ସମ୍ବଲପୁର:ପାଖେଇ ଆସୁଛି ଭୋଟିଂ ତାରିଖ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଏକ ମାସରୁ କମ ସମୟ ରହିଥିବା ବେଳେ ରାଜନେତାମାନଙ୍କ ପ୍ରଚାର କାର୍ଯ୍ୟ ଜୋରଦାର ରହିଛି । ଭୋଟରଙ୍କ ନିକଟକୁ ଯାଇ ସେମାନଙ୍କୁ ଆକୃଷ୍ଟ କରିବାକୁ ପୂର୍ଣ୍ଣ ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ଆଜି(ମଙ୍ଗଳବାର) ସମ୍ବଲପୁର ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସମ୍ବଲପୁର ଲୋକସଭା କ୍ଷେତ୍ର ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ l
ସମ୍ବଲପୁରରେ ଜୋରଦାର କସରତ ଚଳାଇଛନ୍ତି ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଜିଲ୍ଲାର ଓକିଲ ସଂଘ କାର୍ଯ୍ୟାଳୟକୁ ପରିଦର୍ଶନ କରି ସଂଘର ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି । ଏନେଇ ପ୍ରତିକ୍ରିୟାରେ ସେ କହିଛନ୍ତି, "ମୁ ସମ୍ବଲପୁର ଲୋକସଭା ଆସନର ପ୍ରାର୍ଥୀ ହୋଇଥିବାରୁ ଆଶୀର୍ବାଦ, ସମର୍ଥନ ଓ ସହଯୋଗ ଲୋଡ଼ିବା ପାଇଁ ଜିଲ୍ଲା ଓକିଲ ସଂଘକୁ ଆସିଛି l ଜିଲ୍ଲାର ଓକିଲ ସଂଘର ବରିଷ୍ଠ ସଦସ୍ୟମାନଙ୍କୁ ଅନେକ ବର୍ଷ ହେଲା ଜାଣିଛି ଓ ବ୍ୟକ୍ତିଗତ ପରିଚୟ ମଧ୍ୟ ରହିଛି l ମୋର ଏଠାରେ ଅନେକ ଗୁରୁଜନ ଓ ବରିଷ୍ଠ ଆଇନଜୀବୀଙ୍କ ସହ ଦେଖାହେଲା l ସମ୍ବଲପୁରର ବିକାଶ ପାଇଁ ସେମାନେ ଅନେକ ଉପାଦେୟ ପରାମର୍ଶମାନ ଦେଲେ l"
ଏହାମଧ୍ୟ ପଢନ୍ତୁ.. ବିଜେଡି ନାଁରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣିଲା ସମ୍ବଲପୁର ବିଜେପି - ELection Code Of Conduct Violation
ଅନ୍ୟପଟେ ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ବିଜେପି ପ୍ରାର୍ଥୀ । ସେ କହିଛନ୍ତି, "ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଗଠନ ହେଉ କିମ୍ବା କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ଆୟାମ ଗୁଡିକର ଏଠି ବ୍ରାଞ୍ଚ ଅଫିସ ହେଉ, ସେ ସବୁ ବିଷୟରେ ଆଲୋଚନା ହୋଇଛି । ଦେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଅନେକ ବିକାଶ ମୂଳକ କାର୍ଯ୍ୟ ହେଉଛି l" ସମ୍ବଲପୁରକୁ କିପରି ଭାରତ ବର୍ଷର ଏକ ଅଗ୍ରଣୀ ଅଞ୍ଚଳରେ ପରିଣତ କରିବା, ଏଠାକାର ଯୁବକମାନଙ୍କ ମଧ୍ୟରେ ରୋଜଗାରର ସୃଜନ ସୃଷ୍ଟି କରିପାରିବା, ଏଠାକାର ସାମାଜିକ ଜୀବନ ଯେପରି ଦୃଢ ହୋଇପାରିବ ଓ ଅର୍ଥନୀତି ଦୃଢ ହୋଇପାରିବ ସେନେଇ ପରାମର୍ଶ ନେଇଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ l
ସୂଚନାଯୋଗ୍ୟ, ସମ୍ବଲପୁରରେ ମେ 25 ତାରିଖରେ ଭୋଟ ପଡିବାକୁ ଯାଉଛି । ବିଜେପି ପକ୍ଷରୁ ସମ୍ବଲପୁର ଲୋକସଭା କ୍ଷେତ୍ର ପାଇଁ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନୀ ରଣନୀତି ଲଢୁଥିବା ବେଳେ ବିଜେଡିର ହେଭିଓ୍ୱେଟ ପ୍ରଣବ ପ୍ରକାଶ ଦାସ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ତେବେ କଂଗ୍ରେସର କିଏ ହେବ ପ୍ରାର୍ଥୀ ସେନେଇ ଏବେବି ସସପେନ୍ସ ଜାରି ରହିଛି ।
ଇଟିଭି ଭାରତ, ସମ୍ବଲପୁର