ଯାଜପୁର: ଅଦିନିଆ ଲଘୁଚାପ ବର୍ଷାରେ ପ୍ରଭାବିତ ହୋଇଛନ୍ତି ଚାଷୀକୂଳ । ଯାଜପୁରରେ ମଧ୍ୟ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀ । ଆଜି (ରବିବାର) ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯାଜପୁର ଓ କେନ୍ଦ୍ରାପଡା ଗସ୍ତ କରି ଚାଷୀମାନଙ୍କ ସହ ଆଲୋଚନା କରିବା ସହ କ୍ଷେତ ବୁଲି ଧାନ ଅବସ୍ଥା ଦେଖିଛନ୍ତି । ଖୁବଶୀଘ୍ର କ୍ଷତିପୂରଣ ରାଶି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷଜମିକୁ ଯାଇ ସ୍ଥିତି ପରିଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କେନ୍ଦ୍ରାପଡ଼ା ଜିଲ୍ଲା ପରେ ସିଧା ଯାଜପୁରରେ ପହଞ୍ଚିଥିଲେ । ଯାଜପୁର ଜିଲ୍ଲାର ବିଞ୍ଝାରପୁରର କପିଳା ପଞ୍ଚାୟତ ଏବଂ ଦଶରଥପୁର ବ୍ଲକର ବିରଜାପୁର ପଞ୍ଚାୟତ ଆଦି ଗସ୍ତ କରି ଅଦିନିଆ ବର୍ଷାରେ ଧାନ ଗଜା ହୋଇଥିବା ଚାଷଜମି ଗୁଡ଼ିକ ବୁଲି ଦେଖିଥିଲେ ଓ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ଚାଷୀମାନେ ମଧ୍ୟ ସେମାନଙ୍କ ଗଜା ହୋଇଯାଇଥିବା ଧାନ ଆଣି ମନ୍ତ୍ରୀଙ୍କୁ ଦେଖାଇଥିଲେ ।
ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଯାଜପୁର ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ, ଜିଲ୍ଲା କୃଷି ଉପ ନିର୍ଦ୍ଦେଶକଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ । ବିଞ୍ଝାରପୁର ଅଞ୍ଚଳର ବିଜେପି ନେତ୍ରୀ ବବିତା ମଲ୍ଲିକ ମନ୍ତ୍ରୀଙ୍କୁ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲାଇ ଦେଖାଇଥିଲେ । ଯାଜପୁରରେ ସର୍କିଟ ହାଉସରେ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି," ଆସନ୍ତାକାଲି 30ତାରିଖ ମଧ୍ୟରେ ସର୍ଭେ ଶେଷ ହେବାକୁ ଥିବା ବେଳେ ଆସନ୍ତା ଜାନୁଆରୀ 30 ତାରିଖ ସୁଦ୍ଧା ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆକଳନ ଅନୁଯାୟୀ କ୍ଷତିପୂରଣ ଦିଆଯିବ । ଏଥିରୁ କେହି ବି ଜଣେ ଚାଷୀ ବାଦ ପଡ଼ିବେ ନାହିଁ ।"
ଏହାମଧ୍ୟ ପଢନ୍ତୁ... ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନୟାଗଡ ଓ ଗଜପତିରେ ପରଖିଲେ ଫସଲ କ୍ଷୟକ୍ଷତି ବର୍ଷା କ୍ଷତିଗ୍ରସ୍ତ ଚାଷ ଜମି ବୁଲିଲେ ମନ୍ତ୍ରୀ, ପ୍ରଶାସନର କ୍ଷୟକ୍ଷତି ରିପୋର୍ଟକୁ ଅସ୍ବୀକାର କଲା ବିଜେଡି |
ବର୍ଷାଜନିତ କ୍ଷୟକ୍ଷତି ଆକଳନ ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ୫ ଜଣ ବିଭାଗୀୟ ମନ୍ତ୍ରୀ ବର୍ଷା ପ୍ରଭାବିତ ୧୦ ଜିଲ୍ଲାକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଗଞ୍ଜାମ, ଗଜପତି ଓ ନୟାଗଡ ଗସ୍ତ କରିଥିବା ବେଳେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କଟକ ଓ ଜଗତସିଂହପୁର ଗସ୍ତ କରିଥିଲେ । ସେହିଭଳି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭଦ୍ରକ ଓ ବାଲେଶ୍ୱର ଏବଂ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ରାପଡ଼ା ଓ ଯାଜପୁର ଯାଇଛନ୍ତି । ସେହିପରି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଖୋର୍ଦ୍ଧା ଗସ୍ତ କରିଛନ୍ତି ।
ଇଟିଭି ଭାରତ, ଯାଜପୁର