ବ୍ରହ୍ମପୁର:ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣା। ସରକାରୀ ପ୍ରାୟୋଜିତ ଆକ୍ରମଣ ବୋଲି କହି ରାଜ୍ୟ ସରକାରଙ୍କୁ ଦାୟୀ କଲା ବିଜେପି। ଏନେଇ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି, "ସୋମବାର ରାତି ପାଖାପାଖି 30ରେ ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ମରଣାନ୍ତକ ଆକ୍ରମଣ କରାଗଲା। ଆମର ଅନୁସନ୍ଧାନ ମୁତାବକ ଏହା ଏକ ସରକାରୀ ପ୍ରାୟୋଜିତ ଆକ୍ରମଣ। ବିଜେଡି ହାରିବା ଭୟରେ ଏ ଆକ୍ରମଣ କରିଛି। ପ୍ରଥମ ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ୪ ଟି ଲୋକସଭା ଆସନରେ ବିଜେପି ୩ ଟି ଆସନ ଓ ୧୮ ରୁ ୨୦ ବିଧାନସଭା ଆସନ ଜିତିବ ବୋଲି ବହୁମତ ମିଳିଛି। ତେଣୁ ଏଭଳି ଆକ୍ରୋଶମୂଳକ ଭାବେ ଆକ୍ରମଣ କରିଛି ଦଳ। ହାରିବା ବିଷୟରେ ଜାଣିବା ପରେ ବିଜେଡି ସୁଚିନ୍ତିତ ଭାବେ ଏ ଷଡଯନ୍ତ୍ର କରିଛି।"
ସେ ଆହୁରି କହିଛନ୍ତି, "ସ୍ୱାଧୀନ ପ୍ରାର୍ଥୀଙ୍କୁ ହାତାବାରିଶି କରି ହାରିବା ଭୟରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଏଭଳି ଆକ୍ରମଣ କରିଛି ବିଜେଡି। ମୁଖ୍ୟ କଥା ହେଉଛି ୨୦ ତାରିଖରେ ଆସ୍କାରେ ନିର୍ବାଚନ ହେବାକୁ ଥିବାରୁ ପ୍ରଦୀପଙ୍କୁ ପ୍ରଚାରରୁ ଦୂରରେ ରଖିବା ପାଇଁ ଏ ଷଡ଼ଯନ୍ତ୍ର କରାଯାଇଛି। ତେଣୁ ଆମେ ଅନୁରୋଧ କରିଛୁ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ। ଏହାସହ ଘଟଣାର ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।" ତେବେ ବିଜେପିର ଏକ ପ୍ରତିନିଧି ଦଳ ଭୁପିନ୍ଦର ସିଂ ଯାଦବ, ସମୀର ମହାନ୍ତିଙ୍କ ନେତୃତ୍ୱରେ ଏମ୍ସ ହସପିଟାଲ ଆସି ପ୍ରଦୀପ ପାଣିଗ୍ରାହୀଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ବୁଝିଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ, ପ୍ରଦୀପ ପାଣିଗ୍ରାହୀଙ୍କ ପଞ୍ଜରା ହାଡରେ ଆଘାତ ଲାଗିଛି । ସେ ଏବେ ICUରେ ଚିକିତ୍ସିତ ହେଉଛନ୍ତି। ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାବେଳେ ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାକୁ ଅସୁବିଧା ହେଉଛି । ତେଣୁ ତାଙ୍କୁ ଦେଖିସାରିବା ପରେ ହିଁ ଏଭଳି ଏକ ଗମ୍ଭୀର ପ୍ରସଙ୍ଗରେ ମତ ରଖାଯାଇଥିବା ନେଇ ଦଳ ପକ୍ଷରୁ କୁହାଯାଇଛି।
ଏହା ବି ପଢନ୍ତୁ...ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲା, ଜେଲ ଗଲେ ପିଣ୍ଟୁ ଦାଶ - Pintu Dash Arrested
"ଦାୟିତ୍ବରେ ଥିବା ଥାନା ଅଧିକାରୀ ସ୍ମୃତି ପ୍ରଧାନଙ୍କ ସାମ୍ନାରେ ଆକ୍ରମଣ ହୋଇଛି। ଏ ପୋଲିସ ଅଧିକାରୀ ବିଜେଡି କର୍ମୀଭାବେ କାମ କରୁଛନ୍ତି। ଏହାସହ ବ୍ରହ୍ମପୁର ଟାଉନ ଥାନା ଅଧିକାରୀ ରାଜକିଶୋର ପାତ୍ରଙ୍କୁ ମଧ୍ୟ ସମାନ ଅଭିଯୋଗରେ ସସପେଣ୍ଡ କରିବା ପାଇଁ ବିଜେପି ଦାବି କରିଛି। ଏହାସହ ନିର୍ବାଚନ ଅଧିକାରୀ ଓ ପୋଲିସ ଡିଜିଙ୍କ ନିକଟରେ ଫେରାଦ ହେବ ବିଜେପି। ତେଣୁ ପୋଲିସ ଡିଜିଙ୍କୁ ଏହି ଘଟଣାରେ ସଠିକ ତଦନ୍ତ କରି ଦୁଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କୁ ଚାକିରିରୁ ବରଖାସ୍ତ କରନ୍ତୁ" ବୋଲି ଦାବି କରିଛି ବିଜେପି।