ପୁରୀ:ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ସମ୍ଭାବ୍ୟ ପ୍ରାର୍ଥୀ । ପୁରୀ ସଂସଦୀୟ କ୍ଷେତ୍ରର ଲୋକସଭା ଓ ସମସ୍ତ ବିଧାନସଭାର ବିଜେଡିର ସମ୍ଭାବ୍ୟ ପ୍ରାର୍ଥୀ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପୁରୀ ସଂସଦୀୟ କ୍ଷେତ୍ରରେ ଥିବା ସାଂସଦ ସିଟ୍ ଓ 6 ଟି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନଥିଲେ ବି ଏକ ପ୍ରକାର ଚୂଡ଼ାନ୍ତ ହୋଇସାରିଛି । "ପୁରୀରୁ ସ୍ବର୍ଗତ ମହେଶ୍ବର ମହାନ୍ତିଙ୍କ ପୁଅ ସୁନିଲ ମହାନ୍ତି, ବ୍ରହ୍ମଗିରିରୁ ଉମାକାନ୍ତ ସାମନ୍ତରାୟ, ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା, ପିପିଲିରୁ ରୁଦ୍ର ମହାରଥୀ, ରଣପୁରରୁ ସତ୍ୟ ନାରାୟଣ ପ୍ରଧାନ, ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀଙ୍କ ନାଁ ସାମିଲ ରହିଛି । ପୁରୀରୁ ସାଂସଦ ପ୍ରାର୍ଥୀ ଭାବେ ଅରୁପ ପଟ୍ଟନାୟକ ନିର୍ବାଚନ ଲଢ଼ିବେ । ସମୟ ଆସିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ" ବୋଲି କହିଛନ୍ତି ପୁରୀ ଜିଲ୍ଲା ବିଜେଡି ସଭାପତି ଦିବାକର ପାତ୍ର । କେବଳ ଚିଲିକାରୁ ପ୍ରାର୍ଥୀ ହେବାକୁ ଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଛାଡି ସବୁ ପ୍ରାର୍ଥୀ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।
ଆସନ୍ତା ନିର୍ବାଚନରେ ପୁରୀ ସଂସଦୀୟ କ୍ଷେତ୍ରର ସବୁ ଆସନ ବିଜେଡି ଜିତିବ ବୋଲି ପୁରୀ ଜିଲ୍ଲା ବିଜେଡି ସଭାପତି ଦମ୍ଭୋକ୍ତି ଦେଖାଇଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପ୍ରତିକ୍ରିୟା ଦେଇ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ କହିଛନ୍ତି, "ପ୍ରାର୍ଥୀ ଘୋଷଣା ମୁଖ୍ୟମନ୍ତ୍ରୀ କରିବେ। ମୁଖ୍ୟମନ୍ତ୍ରୀ ଯେଉଁଠୁ ଲଢ଼ିବାକୁ କହିବେ ଲଢ଼ିବୁ ।" ସେହିପରି ମନ୍ଦିର ଦର୍ଶନ କରିବାକୁ ଯାଇଥିବା ଅନ୍ୟ ନେତାଙ୍କ ସହ ଏକାଠି ନ ଆସି ଏକୁଟିଆ ମନ୍ଦିର ଭିତରୁ ପ୍ରତ୍ୟାବର୍ତ୍ତନ କରିବାକୁ ନେଇ ପ୍ରଶ୍ନ ଉଠିଛି ।