ଭୁବନେଶ୍ବର: ଚାଷୀଙ୍କ ସମସ୍ୟାକୁ ନେଇ ରାଜ୍ୟ ବିଜେପି ସଭାପତି ଦେଇଥିବା ବିବୃତିକୁ କାଉଣ୍ଟର ଆଟାକ କରିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର କହିଛନ୍ତି ଯେ, ରାଜ୍ୟ ବିଜେପିର ସଭାପତି ମନମୋହନ ସାମଲ ଆଜି ଚାଷୀ ଓ ଚାଷୀଙ୍କ ବିଷୟରେ ବକ୍ତବ୍ୟ ରଖିଛନ୍ତି । ଏହା ହିଁ ତାଙ୍କର କୁମ୍ଭୀର କାନ୍ଦଣାକୁ ଦର୍ଶାଉଛି । 2017 ମସିହା ମାର୍ଚ୍ଚ 17 ତାରିଖରେ ବିଧାନସଭାରେ ସର୍ବ ସମ୍ମତି କ୍ରମେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପିକୁ 2930 ଟଙ୍କା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଏହାକୁ ପାରିତ କରିବାରେ ତତ୍କାଳୀନ ବିଜେପି ବିଧାୟକ ମାନେ ସମର୍ଥନ କରିଥିଲେ ବୋଲି ମନମୋହନ ଭୁଲି ଯାଇଛନ୍ତି ।
ଓଡ଼ିଶାର ଚାଷୀଙ୍କ ହକ ପାଇଁ ଏମଏସପି କୁଇଣ୍ଟାଲ 2930 ଟଙ୍କା କରାଯାଉ ବୋଲି ସବୁ ବିଧାୟକ ଦାବି କରିଥିଲେ । ଘଟଣାକୁ 7 ବର୍ଷ ବିତିଗଲା । ଓଡିଶା ଚାଷୀଙ୍କ ହକ ପାଇଁ 2930 ଟଙ୍କା ଏମଏସପି କରିବା ପାଇଁ ମନମୋହନ ଥରୁଟିଏ ତାଙ୍କର କେନ୍ଦ୍ରୀୟ ନେତୃତ୍ବଙ୍କ ପାଖରେ ଏ କଥା କହିନାହାଁନ୍ତି । ନିର୍ବାଚନ ମୁଣ୍ଡ ଉପରେ ଆସିଯାଇଥିବାରୁ ଆଜି ହଠାତ ମନମୋହନଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିଛି । ତେଣୁ ଏ ଭେଳିକି ଦେଖାଇ ଓଡିଶାର ଚାଷୀ କୂଳକୁ ବିଭ୍ରାନ୍ତ କରିବା ଲାଗି ସେ ଆଜି ଆଗେଇ ଆସିଛନ୍ତି । 7 ବର୍ଷ ଭିତରେ ଚାଷୀଙ୍କ ଏମଏସପି ବଢେଇବାକୁ ବିଜେପିର ବିଧାୟକ ମାନେ କାହିଁକି ମୁହଁ ଖୋଲିଲେ ନାହିଁ ? ଏବେ ଚାଷୀଙ୍କ ପ୍ରସଙ୍ଗ ଉଠେଇବା ବିଜେପିର ଦୋମୁହାଁ ନୀତିକୁ ଦର୍ଶାଉଛି ।