ଭୁବନେଶ୍ବର:ଦୀର୍ଘ ୨୪ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡି ହାତରୁ ଶାସନଭାର ଯାଇଛି । ଗତ ନିର୍ବାଚନରେ ପ୍ରଥମ ଥର ପାଇଁ ରାଜ୍ୟରେ କ୍ଷମତାକୁ ଆସିଛି ବିଜେପି । ଏହାରି ଭିତରେ ଆଜି ବିଜେଡି ବିଧାୟକ ଅରୁଣ ସାହୁଙ୍କ ନାରାକୁ ନେଇ ବଢିଛି ଚର୍ଚ୍ଚା ଲୋୟର ପିଏମଜିରେ ହଜାର ହଜାର ଲୋକଙ୍କ ଉପସ୍ଥିତରେ କଂଗ୍ରେସ ଦେଉଥିବା ନାରା ଭଳି ପାଖାପାଖି ସମାନ ନାରା ଦେଇଛନ୍ତି ଅରୁଣ ।
ଅରୁଣଙ୍କ ନାରାକୁ ନେଇ ଚର୍ଚ୍ଚା:
ଲୋୟର ପିଏମିଜିରେ ବକେୟା ଦରମା ନେଇ ମହିଳାମାନେ ରାଲି କରୁଥିବାବେଳେ ୧୫ଜଣ ବିଜେଡି ବିଧାୟକମାନେ ମିଶନ ଶକ୍ତି ମହିଳାଙ୍କୁ ଭେଟିବାକୁ ଯାଇଥିଲେ । ଏହି ସମୟରେ ବିଜେଡି ବିଧାୟକ ଅରୁଣ ସାହୁ ରାଜ୍ୟ ଓ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ହେଲେ ସେ ଏମିତି କିଛି ନାରା ଦେଇଛନ୍ତି ଯାହା ଅଧିକାଂଶ ସମୟରେ କଂଗ୍ରେସ ରାଲିବେଳେ ଶୁଣିବାକୁ ମିଳିଥାଏ । ହରିବଂଶ ରାୟ ବଚନଙ୍କ ଲିଖିତ ଏହି ସାୟେରୀ ଯାହାକୁ କଂଗ୍ରେସ ଅନେକ ସମୟରେ ନାରାବାଜି ବେଳେ ବ୍ୟବହାର କରିଥାଏ । ସେହି ନାରାକୁ ଦୋହରାଇଛନ୍ତି ଅରୁଣ । ଯାହାକୁ ନେଇ ଚର୍ଚ୍ଚା ବଢିଛି ।
କେଉଁ ନାରା ଦେଇଥିଲେ ଅରୁଣ ?
"ଜୁଲ୍ମି କବତକ ଜୁଲ୍ମ କରେଗା, ଶାସନକ କି ଅଧିକାରୋ ସେ...ଚରା ଚରା ଗୁଞ୍ଜ ରାହା ହେ, ପରିବର୍ତ୍ତନ କି ନାରା ସେ"। ଅରୁଣଙ୍କ ଏହି ପରିବର୍ତ୍ତନ ନାରାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅରୁଣଙ୍କ ଏହି ନାରା ଶୁଣି ବିଜେଡି କଂଗ୍ରେସର ହାତ ଧରିପାରେ ବୋଲି କେହି କେହି ଚର୍ଚ୍ଚା କରୁଛନ୍ତି । ଅରୁଣ କହିଛନ୍ତି, "ଆମେ ୫୧ ଜଣ ବିଧାୟକ ଅଛୁ । ଏହା ଛୋଟ ଶକ୍ତି ନୁହେଁ, ଗୃହ ବାହାରେ ଯେପରି ଆନ୍ଦୋଳନକାରୀ ନିଦ ହଜାଇ ଦେଉଛନ୍ତି ସେହିପରି ଗୃହ ଭିତରେ ଆମେ ନିଦ ହଜାଇଦେବୁ ।"
ବିଭିନ୍ନ ଯୋଜନାକୁ ନେଇ ଟାର୍ଗେଟ୍:
ନୂଆ ସରକାର ପରେ ଯେପରି ବିଜେଡିର ନେତାଙ୍କୁ ବିଜେପିରେ ମିଶାଇବା ଘଟଣା ସାମ୍ନାକୁ ଆସୁଛି ଏହାକୁ ନେଇ ମଧ୍ୟ ପରୋକ୍ଷରେ ଏକ ଆକ୍ଷେପ କରିଛନ୍ତି ଅରୁଣ । ସେ କହିଛନ୍ତି, "ଆମକୁ ଭାଗ ଭାଗ କରିବାକୁ ଚେଷ୍ଟା କରାଯାଉଛି । ଆମେ ଲଢେଇ କରି ଆମେ ହକ ନବୁ ଆମେ ପ୍ରାପ୍ୟ ନେବୁ । ଖଟିଛୁ ଖଟିବୁ ଏ ଜାତିକୁ ଉଠେଇବୁ ।" ସେହିପରି 'ଆମ ଗାଁ ଆମ ବିକାଶ'ରେ ଧର୍ମାନୁଷ୍ଠାନ ଉନ୍ନତି ପାଇଁ ଆସୁଥିବା ଅର୍ଥକୁ ନେଇ ମଧ୍ୟ ନିଶାନା କରି ଅରୁଣ କହିଛନ୍ତି, "ଆମ ଠାକୁରଙ୍କ ପାଖକୁ ଯେଉଁ ପଇସା ଯାଉଥିଲା । ତାକୁ ବନ୍ଦ କରିଦେଇଛନ୍ତି ସରକାର। ଏପଟେ ସୁଭଦ୍ରା ଯୋଜନା ପାଇ ୫୦ହଜାର କହି ୫ହଜାର ଦେଲେ ।"