ଭୁବନେଶ୍ବର: ସରକାରୀ ଅଧିକାରୀଙ୍କୁ ଧମକ ଚମକ ଦେଉଛନ୍ତି ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ଏଭଳି ଅଭିଯୋଗ ନେଇ ପ୍ରଦୀପଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । ପ୍ରଦୀପଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଦଳ । ନିର୍ବାଚନରେ ନିୟୋଜିତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଦୀପ ପାଣିଗ୍ରାହୀ ନାଲି ଆଖି ଦେଖାଉଥିବା ନେଇ ଆଜି ବିଜେଡିର ଏକ ଟିମ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ।
ଏନେଇ ପ୍ରଦୀପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସିଇଓଙ୍କୁ ଭେଟି ଦାବି କରିଛି ବିଜେଡି । କଥା ନମାନିଲେ ବଦଳି କରିଦେବା ପାଇଁ ବ୍ରହ୍ମପୁରର ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ ପ୍ରଦୀପ ଧମକ ଦେଉଥିବା ଅଭିଯୋଗ ହୋଇଛି । ସେଥିପାଇଁ ପ୍ରଦୀପଙ୍କ ବିରୋଧରେ ସିଇଓଙ୍କୁ କାର୍ଯ୍ୟାନୁଷ୍ଠନ ପାଇଁ ଦାବି କରିଛି ବିଜେଡି । ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି, "ଏକ ଗୁରୁତ୍ବପୂର୍ଣ୍ଣ ଘଟଣାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଆସିଥିଲୁ । ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ହୋଇଥିବା ପ୍ରଦୀପ ପାଣିଗ୍ରାହୀଙ୍କ କାର୍ଯ୍ୟକଳାପ ବାବଦରେ ରାଜ୍ୟବାସୀ ଅବଗତ ଅଛନ୍ତି । ଲୋକଙ୍କ ଅର୍ଥ ହଡ଼ପ କରି ଗିରଫ ହୋଇ ଦୀର୍ଘ ଦିନ ଜେଲରେ ରହି ଫେରିଛନ୍ତି । ବିଜେପି ତାଙ୍କୁ କୋଳେଇ ନେଇ ପ୍ରାର୍ଥୀ କରିବା ପରେ ସେ ତାଙ୍କର ଅସଲ ସ୍ବରୂପ ଏବେ ଦେଖାଉଛନ୍ତି । ସ୍ବଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ଲାଗି ନିର୍ବାଚନ ଅୟୋଗଙ୍କ ଅଧୀନରେ ଥିବା ଅଧିକାରୀଙ୍କୁ ଧମକ ଚମକ ଦେଉଛନ୍ତି ପ୍ରଦୀପ । ଆଇଏଏସ୍ ଓ ଆଇପିଏସ୍ଙ୍କୁ ଯେପରି ଭାବେ ନିର୍ବାଚନ ଅୟୋଗଙ୍କୁ ଅଭିଯୋଗ କରି ବଦଳି କଲୁ ସେମିତି ରାଜ୍ୟର ଅଧିକାରୀଙ୍କୁ ବଦଳି କରିବୁ ବୋଲି ପ୍ରଦୀପ ଧମକ ଦେଉଛନ୍ତି ।"