ଭୁବନେଶ୍ବର:ଅସନ୍ତୁଷ୍ଟ ନେତାଙ୍କ ମାନଭଞ୍ଜନ ପାଇଁ ବିଜେଡିର ପ୍ରୟାସ । ନିମାପଡା ବିଧାୟକ ସମୀର ଦାଶଙ୍କୁ ମିଳିଲା ନୂଆ ଦାୟିତ୍ବ । ଟିକଟ କଟିବା ପରେ ଅସନ୍ତୁଷ୍ଟ ଥିବା ସମୀରଙ୍କୁ 2024 ନିର୍ବାଚନ ପାଇଁ ଢେଙ୍କାନାଳ ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଛି ବିଜେଡି । ତେବେ ଟିକଟ ପାଇଁ ସମୀର ବିଶାଳ ଶକ୍ତି ପ୍ରଦର୍ଶନ ସହ ଦଳ ଉପରେ ବାରମ୍ବାର ଚାପ ପକାଇ ଆସୁଥିଲେ ହେଁ ସବୁକିଛି ଫେଲ୍ ମାରିଛି । ତାଙ୍କୁ ଢେଙ୍କାନାଳ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇ ନିମାପଡା ବିଧାନସଭା ଆସନରେ ଟିକଟର ପୁନର୍ବିଚାର କରାଯିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି ଦଳ । ସେପଟେ ଟିକଟ ଦେଇ ପୁଣି ଫେରାଇ ଆଣିଥିବା ଅରୁନ୍ଧତୀ ଦେବୀଙ୍କୁ ମଧ୍ୟ ଦଳ ନୂଆ ଦାୟିତ୍ବ ଦେଇଛି । ରାଣୀଙ୍କୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା ଦାୟିତ୍ବ ଭାବେ ନିଯୁକ୍ତି ମିଳିଛି ।
2024 ନିର୍ବାଚନରେ ବିଜେଡି ଏଥର ନିମାପଡା ବିଧାୟକ ସମୀର ଦାଶଙ୍କ ଟିକଟ କାଟିଛି । ତାଙ୍କ ବଦଳରେ ବିଜେପିରୁ ଆସିଥିବା ଦିଲ୍ଲୀପ ନାୟକଙ୍କୁ ନିମାପଡାରେ ପ୍ରାର୍ଥୀ କରିଛି ବିଜେଡି । ଦିଲ୍ଲୀପଙ୍କ ପ୍ରାର୍ଥିତ୍ବକୁ ବିରୋଧ କରି କିଛି ଦିନ ହେଲା ସମୀରଙ୍କ ସମର୍ଥକମାନେ ସଭା ସମିତି ମେଳି କରି ଟିକଟର ପୁନର୍ବିଚାର କରିବାକୁ ଦାବି କରିଆସୁଥିଲେ । ସମୀର ମଧ୍ୟ ବିଶାଳ ରାଲି ସହ ଶକ୍ତି ପ୍ରଦର୍ଶନ କରି ଦଳକୁ ଅକଳରେ ପକାଇଥିଲେ । ଏମିତିକି ନିମାପଡା ବିଜେଡିର ସମୀରଙ୍କ ସମର୍ଥକଙ୍କ ଏକ ବୃହତ୍ ଗୋଷ୍ଠୀ ଦଳରୁ ଇସ୍ତଫା ମଧ୍ୟ ଦେଇଥିଲେ । ଏହାମଧ୍ୟରେ ଅସନ୍ତୁଷ୍ଟ ସମୀର ବିଜେପିର ସାମିଲ୍ ହେବାର ଚର୍ଚ୍ଚା ଉଠିଥିଲା । ନଚେତ୍ ସେ ସ୍ବାଧୀନରୁ ଲଢିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ଏହି ଅସନ୍ତୋଷ ନିମାପଡାରେ ବିଜେଡି ଅଙ୍କ ବିଗାଡିବା ନେଇ ସନ୍ଦେହ ସୃଷ୍ଟି କରିଥିଲା ।
ହେଲେ ବାରମ୍ବାର ଚାପ ସତ୍ତ୍ବେ ଦଳ ସମୀରଙ୍କୁ ଟିକଟ ଦେବା ଉପରେ ପୁନର୍ବିଚାର କରିନାହିଁ । ଏହା ବଦଳରେ ଢେଙ୍କାନାଳ ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇ ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଛି । ଏପରି ସ୍ଥଳେ ସମୀରଙ୍କ ଆଗାମୀ ଆଭିମୁଖ୍ୟ କ'ଣ ରହିବ ତା' ଉପରେ ଏବେ ସମସ୍ତଙ୍କର ନଜର ।