ଭୁବନେଶ୍ବର: 3 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଅଷ୍ଟମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଚଳିତ ପର୍ଯ୍ୟାୟରେ 3 ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ । ଭୋଗରାଇରୁ ଗୌତମ ବୁଦ୍ଧ ଦାସ, ବେଗୁନିଆରୁ ପ୍ରଦୀପ କୁମାର ସାହୁ ଓ ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁଙ୍କୁ ଟିକଟ ଦେଇଛି ଦଳ । ମୋଟ 144 ଆସନ ପାଇଁ ଦଳ ଟିକଟ ଘୋଷଣା କରିଥିବାବେଳେ କୋରେଇ, ଖଣ୍ଡପଡା ଓ ନୀଳଗିରି ଘୋଷଣା ବାକି ଅଛି ।
ବିଜେଡି ଭୋଗରାଇ ଆସନରେ ନୂଆ ଚେହେରାକୁ ଭରସା କରିଛି । ସାମ୍ବାଦିକରୁ ନେତା ହୋଇଥିବା ଗୌତମଙ୍କୁ ବିଜେଡି ଟିକଟ ଦେଇଛି । ଗୌତମ ହେଉଛନ୍ତି ସ୍ୱାଧୀନତା ସଂଗ୍ରାମୀ ତଥା ପୁରାତନ ବିଧାୟକ ଦୁର୍ଗା ଦାସଙ୍କ ପୁଅ । ଗୌତମବୁଦ୍ଧ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିଛନ୍ତି । ଗୌତମବୁଦ୍ଧ 2021 ମସିହା 11 ତାରିଖରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଥିଲେ । ଦଳ ତାଙ୍କୁ ପ୍ରଥମେ ମିଡିଆ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ଦେଇଥିଲା । ପରବର୍ତ୍ତୀ ସମୟରେ ଦଳ ତାଙ୍କୁ ସଂଗଠନ କାର୍ଯ୍ୟରେ ନିୟୋଜିତ କରିଥିଲା । ରାଜ୍ୟ ମୁଖପାତ୍ର ସହ ଦେବଗଡ଼ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବ ଅଛନ୍ତି ଗୌତମ । ଏହାସହ ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ଟିକଟ କାଟିଛି ଦଳ । ଅସୁସ୍ଥତା କାରଣରୁ ଅନନ୍ତ ତାଙ୍କ ପୁଅ ପାଇଁ ଟିକଟ ଦାବି କରୁଥିଲେ । ବରାବର ନବୀନ ନିବାସ ଆସି ଦଳର ତୁଙ୍ଗ ନେତାଙ୍କୁ ସେ ପ୍ରଭାବିତ କାରିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି ।
ସେହିପରି ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ରଙ୍କ ଟିକଟ କାଟିଛି ବିଜେଡି । ଜିତୁଙ୍କ ବଦଳରେ ଦଳ ରାଜେନ୍ଦ୍ର ସାହୁଙ୍କୁ ଭରସା କରିଛି । ଗତ ନିର୍ବାଚନରେ ରାଜେନ୍ଦ୍ର ସାହୁ ବେଗୁନିଆରୁ ଲଢ଼ି ଜିତିଥିଲେ । ସେହିପରି ଦଳ ବେଗୁନିଆରେ ପ୍ରଦୀପ କୁମାର ସାହୁଙ୍କୁ ଭରସା କରିଛି । ପ୍ରଦୀପ 2019 ନିର୍ବାଚନରେ କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ି ହାରିଥିଲେ । ପରବର୍ତ୍ତୀ ସମୟରେ ସେ ବିଜେଡିରେ ସାମିଲ ହୋଇଥିଲେ । ଏଥର ଦଳ ତାଙ୍କୁ ଭରସା କରି ଟିକଟ ଦେଇଛି ।
ଖୋର୍ଦ୍ଧା ଓ ବେଗୁନିଆରେ ଏଥର ରୋଚକ ଓ ବଡ଼ ଲଢେ଼ଇ ହେବ ବୋଲି ଆଶା କରାଯାଇଛି । ଚିଲିକା ବିଧାୟକ ତଥା ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ ଓ ରାଜେନ୍ଦ୍ର ସାହୁ ମୁହାଁମୁହିଁ ହେବେ । ସେହିପରି ବେଗୁନିଆରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ଓ ଶିଷ୍ୟଙ୍କ ମଧ୍ୟରେ ଟକ୍କର ହେବ । କଂଗ୍ରେସ ଜାନକୀଙ୍କ ପୁଅ ପୃଥିବୀ ବଲ୍ଲଭ ପଟ୍ଟନାୟକଙ୍କୁ ବେଗୁନିଆରେ ଟିକେଟ ଦେଇଛି । ସେହିପରି ଜାନକୀଙ୍କ ଏକାନ୍ତ ପରମ ଶିଷ୍ୟ କୁହାଯାଉଥିବା ପ୍ରଦୀପଙ୍କୁ ବିଜେଡି ବେଗୁନିଆରେ ଭରସା କରିଛି । ତେଣୁ ଏଠାରେ ଜାନକୀ ନନ୍ଦନ ଓ ଶିଷ୍ୟଙ୍କ ବଡ଼ ଲଢେଇ ହେବ ବୋଲି ଆଶା କରାଯାଉଛି । ସେପଟେ ବିଜେପି ଏପର୍ଯ୍ୟନ୍ତ ବେଗୁନିଆରେ ପ୍ରାର୍ଥୀ ଘୋଷଣା କରିନାହିଁ ।