ଭୁବନେଶ୍ବର:ସାଧାରଣ ନିର୍ବାଚନରେ ସରକାରରୁ ଯିବା ପରେ ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନକୁ ଗୁରୁତର ସହ ନେଇଛି ବିଜେଡି । ଏଥିପାଇଁ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟାକୁ ବିଜେଡି ଗତିଶୀଳ କରିଛି । ବର୍ଷେ ବିଳମ୍ବରେ ହେଉଥିବା ସଂଗଠନ ନିର୍ବାଚନ ଆସନ୍ତା ପଣା ସଂକ୍ରାନ୍ତି ପୂର୍ବରୁ ସାରିବା ଲାଗି ବିଜେଡି ବଳ ଲଗେଇ ଦେଇଛି । ନିର୍ବାଚନ ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି ବିଜେଡିର ସଂଗଠନ ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ।
ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା କଣ ?
ବିଜେଡିରେ ଆରମ୍ଭ ହୋଇଛି ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା । ବିଜେଡିର ସମ୍ବିଧାନ ଅନୁସାରେ ପ୍ରତି 3 ବର୍ଷରେ ସଦସ୍ୟ ସଂଗ୍ରହ ଅଭିଯାନ ଓ ସାଙ୍ଗଠନିକ ନିର୍ବାଚନ ହୁଏ । ପଞ୍ଚାୟତରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ସାଙ୍ଗଠନିକ ନିର୍ବାଚନ ହୋଇ ନୂତନ କର୍ମକର୍ତ୍ତା ନିର୍ବାଚିତ ହୁଅନ୍ତି । ସଂଗଠନ ନିର୍ବାଚନ ପାଇଁ ବିଜେଡି ସଭାପତି ରାଜ୍ୟ ନିର୍ବାଚନ ଅଧିକାରୀ ନିଯୁକ୍ତ କରିଛନ୍ତି । ଦଳର ନିୟମ ଓ ସମ୍ବିଧାନ ଅନୁସାରେ ରାଜ୍ୟ ନିର୍ବାଚନ ଅଧିକାରୀ ବିଭିନ୍ନ ଜିଲ୍ଲାର ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି । ଆଗାମୀ ଦିନରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ନିର୍ବାଚନ ଅଧିକ ନିଯୁକ୍ତ ହେବେ । ଏହା ପରେ ତଳ ସ୍ତରରୁ ବିଜେଡିର ସଂଗଠନ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ।
- ପ୍ରତି 3 ବର୍ଷରେ ସଦସ୍ୟ ସଂଗ୍ରହ ଅଭିଯାନ ଓ ସାଙ୍ଗଠନିକ ନିର୍ବାଚନ ହୁଏ
- ପଞ୍ଚାୟତରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ନୂତନ କର୍ମକର୍ତ୍ତା ନିର୍ବାଚିତ ହୁଅନ୍ତି
- ନିର୍ବାଚନ ପାଇଁ ଜିଲ୍ଲାର ନିର୍ବାଚନ ଅଧିକାରୀଙ୍କୁ ମିଳିଛି ନିଯୁକ୍ତି
- ଶେଷରେ ହୁଏ ରାଜ୍ୟ ସଭାପତି ନିର୍ବାଚନ
- ପ୍ରତାପ କେଶରୀ ଦେବଙ୍କୁ ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି
ଶେଷରେ ରାଜ୍ୟ ସଭାପତି ନିର୍ବାଚନ ହେବ । ଗତବର୍ଷ ଦଳର ସଂଗଠନ ନିର୍ବାଚନ ହୋଇପାରିନଥିଲା । ସାଧାରଣ ନିର୍ବାଚନ ଥିବାରୁ ଦଳୀୟ ନିର୍ବାଚନ ବର୍ଷେ ଘୁଞ୍ଚା ଯାଇଥିଲା । ନିର୍ବାଚନ କମିଶନ ଏନେଇ ବିଜେଡିକୁ ଅନୁମତି ଦେଇଥିଲେ । ବର୍ଷ ବିଳମ୍ବିତ ହୋଇଥିଲେ ମଧ୍ୟ ଠିକ ସମୟରେ ନିର୍ବାଚନ ସାରିବାକୁ ବିଜେଡି ଚେଷ୍ଟା କରୁଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ସଂଗଠନ ନିର୍ବାଚନ ପାଇଁ ପ୍ରତାପ କେଶରୀ ଦେବଙ୍କୁ ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦେଇଥିଲେ ।
33 ସାଙ୍ଗଠନିକ ଜିଲ୍ଲା ପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତ:
ରାଜ୍ୟ ନିର୍ବାଚନ ଅଧିକାରୀ ବିଜେଡିର 33 ସାଙ୍ଗଠନିକ ଜିଲ୍ଲା ପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତ କରିଛନ୍ତି । ଅନୁଗୋଳର ସରୋଜ କୁମାର ପଟ୍ଟନାୟକ, ବାଲେଶ୍ଵରର ମାନସ ଜେନା, ବରଗଡ଼ର ଅଶୋକ ବାରିକ, ଭଦ୍ରକର ପୱନ କୁମାର ଶର୍ମା, ଭୁବନେଶ୍ୱରର ଜିତେନ୍ଦ୍ର କୁମାର ନନ୍ଦ, ବଲାଙ୍ଗୀରର ଲେଙ୍କା ସାହୁ, ବୌଦ୍ଧର ସନ୍ତୋଷ କୁମାର ନାୟକ, କଟକର ମନୋରଞ୍ଜନ ଖଟୁଆ, ଦେବଗଡ଼ର କାମାକ୍ଷା ଗଙ୍ଗଦେଓ, ଢେଙ୍କାନାଳର ଗୋପାଳ ଚନ୍ଦ୍ର ପାତ୍ର, ଗଜପତିର ପି ପ୍ରସାଦ ରାଓ, ଗଞ୍ଜାମର ଦେବାନନ୍ଦ ମହାପାତ୍ର, ଜଗତସିଂହପୁରର ଜ୍ଞାନ ରଞ୍ଜନ ମହାନ୍ତି, ଝାରସୁଗୁଡାର ସହିଦ ବାଗ, ଯାଜପୁରର ବାବାଜୀ ଚରଣ ଦାସ, କଳାହାଣ୍ଡିର ପ୍ରମୋଦ କୁମାର ସାହାଣୀ, କେନ୍ଦ୍ରାପଡାର ଭୀମସେନ ଭୁଇଁଆ, କେନ୍ଦୁଝରର ସୁରେନ୍ଦ୍ର ଜେନା, ଖୋର୍ଦ୍ଧାର ଜଟାଧାରୀ ପ୍ରଧାନ, କନ୍ଧମାଳର ପ୍ରତାପ କୁମାର ପାତ୍ର, କୋରାପୁଟର ରଘୁରାମ ପାଡାଲ, ମୟୂରଭଞ୍ଜ 1ର ଅନନ୍ତ କୁମାର ଦାସ, ମୟୂରଭଞ୍ଜ 2ର ଗୌରୀ ଶଙ୍କର ଦତ୍ତ, ମାଲକାନଗିରିର ଘନଶ୍ୟାମ ମାଡକାମୀ, ନବରଙ୍ଗପୁରର ସଚିଦାନନ୍ଦ ସ୍ୱାଇଁ, ନୟାଗଡ଼ର ଗଙ୍ଗାଧର ପଣ୍ଡା, ନୂଆପଡାର ଚିତ୍ତରଞ୍ଜନ ବେହେରା, ପୁରୀର ବୈରାଗୀ ଜେନା, ରାୟଗଡାର ବ୍ରଜ ସୁନ୍ଦର ନାୟକ, ରାଉରକେଲାର ଜୟନ୍ତ କୁମାର ମିଶ୍ର, ସୁନ୍ଦରଗଡ଼ର ଅଶୋକ କୁମାର ସ୍ବାଇଁ, ସମ୍ବଲପୁରର ସଂଜୀବ କୁମାର ଷଡ଼ଙ୍ଗୀ, ସୁବର୍ଣ୍ଣପୁରର ଶରତ ଚନ୍ଦ୍ର ଭୋଇଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି ।
ପର୍ଯ୍ୟାୟ କ୍ରମରେ ବିଜେଡିର ସଂଗଠନ ନିର୍ବାଚନ:
ତୃଣମୂଳ ସଂଗଠନ ପଞ୍ଚାୟତରୁ ରାଜ୍ୟ ସଭାପତି ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମରେ ବିଜେଡିର ସଂଗଠନ ନିର୍ବାଚନ ଅନୁଷ୍ଠିତ । ଦଳ ଗଠନରୁ ଆଜି ପର୍ଯ୍ୟନ୍ତ ବିଜେଡିର ରାଜ୍ୟ ସଭାପତି ଭାବେ ନବୀନ ପଟ୍ଟନାୟକ ନିର୍ବାଚିତ ହୋଇ ଆସିଛନ୍ତି । ରାଜ୍ୟ ସଭାପତି ଭାବେ ନବୀନ ଏକକ ପ୍ରାର୍ଥୀ ହୁଅନ୍ତି । ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ନଥିବାରୁ ସେ ଏକ ସ୍ବତ ପ୍ରବୃତ୍ତ ଭାବେ ରାଜ୍ୟ ସଭାପତି ଭାବେ ମନୋନୀତ ହୁଅନ୍ତି । ଏହା ଅଗଣତାନ୍ତ୍ରିକ ପ୍ରକ୍ରିୟା ବୋଲି ଅତୀତରେ ଅନେକ ଥର ଅଭିଯୋଗ ହୋଇଛି ।
ଦଳ ସକ୍ରିୟ, କ୍ରିୟାଶୀଳ ଓ ଗତିଶୀଳ ରୁହେ:
ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର କହିଛନ୍ତି, "ସାଧାରଣ ନିର୍ବାଚନ ସବୁବେଳେ ହୁଏ ନାହିଁ । ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନକୁ ସୁଦୃଢ କରିବା ଲାଗି ଦଳୀୟ ନିର୍ବାଚନ ହୁଏ । ଆଗାମୀ ଦିନ ପାଇଁ ଦଳକୁ ପ୍ରସ୍ତୁତ ରଖିବାକୁ ପଡେ । ତୃଣମୂଳ କର୍ମୀଙ୍କ ଠାରୁ ଆରମ୍ଭ କରି ରାଜ୍ୟସ୍ତରୀୟ ନେତାଙ୍କ ଲାଗି ସଂଗଠନ ନିର୍ବାଚନ ଏକ କସରତ । ଏହା ଦ୍ୱାରା ଦଳ ସକ୍ରିୟ, କ୍ରିୟାଶୀଳ ଓ ଗତିଶୀଳ ରହିବ । ଏହା ନିଶ୍ଚୟ ସ୍ୱାଗତ ଯୋଗ୍ୟ ପଦକ୍ଷେପ । କିନ୍ତୁ ଦଳୀୟ ନିର୍ବାଚନ ଗଣତାନ୍ତ୍ରିକ ପ୍ରକ୍ରିୟାରେ ହେଉନଥିବା ଦୃଷ୍ଟିରେ ଆସୁଛି । ଗ୍ରହଣୀୟ ଓ ଯୋଗ୍ୟ ବ୍ୟକ୍ତି ସଂଗଠନରେ ନିଯୁକ୍ତ ହେଉନାହାନ୍ତି । ଦଳର ନେତୃତ୍ୱଙ୍କ ପ୍ରତି ବୁଶ୍ୱସ୍ତ ବ୍ୟକ୍ତିଙ୍କୁ ଦାଇତ୍ୱ ମିଳୁଛି । ବିଜେଡି ଲାଗି ବର୍ତ୍ତମାନ ଏକ କଠୋର ସମୟ । ଆଗକୁ ପଂଚାୟତ ଓ ପୌର ନିର୍ବାଚନ ହେବାକୁ ଯାଉଛି । ଦଳକୁ ବାନ୍ଧି ରଖିବା ବିଜେଡି ପାଇଁ ବର୍ତ୍ତମାନ ଚ୍ୟାଲେଞ୍ଜ । ସେଥିପାଇଁ ଏହି ସଂଗଠିତ ନିର୍ବାଚନ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।"