ଗୌହାଟୀ:ଆସାମର ବାରପେଟାରୁ କଂଗ୍ରେସ ସାଂସଦ ଥିବା ଅବଦୁଲ୍ଲ ଖାଲିକ ଦଳରୁ ନିଜ ଇସ୍ତଫା ପ୍ରତ୍ୟାହାର କରିଛନ୍ତି । 5ଦିନ ତଳେ ସେ ଏକାଧିକ ଅଭିଯୋଗ ସହ ଦଳରୁ ଇସ୍ତଫା ଘୋଷଣା କରିଥିଲେ । ପାର୍ଟି ହାଇକମାଣ୍ଡଙ୍କ ନିକଟକୁ ନିଜ ଇସ୍ତଫାପତ୍ର ମଧ୍ୟ ପଠାଇ ଦେଇଥିଲେ । ଆଜି ଦଳର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ତାଙ୍କର ଆଲୋଚନା ହୋଇଥିଲା । ଆଲୋଚନା ପରେ ସେ ନିଜ ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି । ପାର୍ଟି ମୁଖ୍ୟାଳୟରେ ସେ ଇସ୍ତଫାପତ୍ର ପାର୍ଟି ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କୁ ନିକଟରୁ ପ୍ରତ୍ୟାହାର କରିନେଇଛନ୍ତି । ନିଷ୍ପତ୍ତିରେ ପରିବର୍ତ୍ତନ କରିବା ପରେ ସେ ଗଣମାଧ୍ୟମରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଦଳରେ ରହି କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି ।
ତେବେ ସେ ଇସ୍ତଫାପତ୍ରରେ ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ସମ୍ପର୍କରେ ଦଳର ରାଜ୍ୟ କମିଟି ଓ ରାଜ୍ୟ ପ୍ରଭାରୀ ଗୁରୁତ୍ବ ଦେଇନଥିଲେ କିମ୍ବା ଏହାର ସମାଧାନ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାନଥିଲା । ତେଣୁ ସେ ଇସ୍ତଫା ଦେଇଥିଲେ । ଆଜି ସେ ଆଉ ଏକ ପତ୍ର ମଧ୍ୟ ହାଇକମାଣ୍ଡଙ୍କୁ ଲେଖିଛନ୍ତି । ଚିଠିରେ ଦର୍ଶାଇଛନ୍ତି, ଇସ୍ତଫା ଦେବା ପରେ କେନ୍ଦ୍ରୀୟ ନେତୃତ୍ବ ତାଙ୍କ ସହ ଯୋଗାଯୋଗ କରିଛନ୍ତି । ଦଳର ବରିଷ୍ଠ ନେତା କେସି ବେଣୁଗୋପାଲ ଓ ସଂସଦୀୟ କମିଟି ମୁଖ୍ୟ ସୋନିଆ ଗାନ୍ଧୀ ଏସମ୍ପର୍କରେ ତାଙ୍କ ସହ ଆଲୋଚନା କରିଛନ୍ତି । ତେଣୁ ସେ ନିଜ ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କରୁଛନ୍ତି । ଇସ୍ତଫାପତ୍ର ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବରେ ଦଳ ରହି କାର୍ଯ୍ୟ ଜାରି ରଖିବେ ।