ଭୁବନେଶ୍ବର:ଓଡ଼ିଶାର ବିଭିନ୍ନ ସ୍ଥାନରେ ବାଂଲାଦେଶୀ କହି ପଶ୍ଚିମବଙ୍ଗର ଶ୍ରମିକ, ବୁଲା ବେପାରୀଙ୍କୁ ଆକ୍ରମଣ କରାଯାଉଥିବା ଅଭିଯୋଗ ହେଉଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଗତକାଲି ଏନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି । ଏହାକୁ ନେଇ ଓଡ଼ିଶାର ରାଜନୈତିକ ପରିବେଶ ସରଗରମ ହୋଇଛି । ଘଟଣାକୁ ଗୁରୁତର ସହ ନେଇ ପଦକ୍ଷେପ ନେବାକୁ ବିଜେଡି ଓ କଂଗ୍ରେସ ପକ୍ଷରୁ ଦାବି ମଧ୍ୟ ହୋଇଛି ।
'ଅନୁପ୍ରବେଶକାରୀଙ୍କୁ ସରକାର ଚିହ୍ନଟ କରନ୍ତୁ'
ବିଜେଡି ନେତା ସଂତ୍ରୁପ ମିଶ୍ର କହିଛନ୍ତି, "ବିଜେଡି ସବୁବେଳେ ଗୋଟେ ନୀତି ରଖିଛି । ସମସ୍ତଙ୍କ ମାନବିକ ଓ ସାମ୍ବିଧାନିକ ଅଧିକାରକୁ ସମ୍ମାନ ଦେବା । ଭାରତୀୟ ନାଗରିକଙ୍କ ସୁରକ୍ଷା ରାଜ୍ୟ ସରକାରଙ୍କ ଦାୟିତ୍ବ । ଓଡ଼ିଶାରେ ଯେଉଁ ରାଜ୍ୟର ନାଗରିକ ଅଛନ୍ତି, ସେମାନଙ୍କ ସୁରକ୍ଷା ଓଡ଼ିଶା ସରକାରଙ୍କ ଦାୟିତ୍ବ । ଯେଉଁ ମାନେ ଭାରତୀୟ ନାଗରିକ ନୁହଁନ୍ତି ଓ ଓଡିଶାରେ ଅଛନ୍ତି ସେମାନଙ୍କୁ ସରକାର ଚିହ୍ନଟ କରନ୍ତୁ ।
'ଆଜି ନୁହେଁ ଦୀର୍ଘ ୧୫ ବର୍ଷ ହେଲାଣି ରାଜ୍ୟରେ ରହୁଛନ୍ତି ବାଂଲାଦେଶୀ'
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ବାଂଲାଦେଶୀ ଅନୁପ୍ରେଶକାରୀ ଆଜି ନୁହେଁ ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ପ୍ରବେଶ କରି ଆସୁଛନ୍ତି । ଲକ୍ଷାଧିକ ଲୋକ ଆସିଛନ୍ତି । ସେମାନେ ଏଠାରେ ସମସ୍ତ ପ୍ରକାର ପରିଚୟ ପତ୍ର କରିସାରିଲେଣି । ଓଡ଼ିଶାରେ ରହି ସମସ୍ୟା ସୃଷ୍ଟି କରୁଛନ୍ତି । ଏଠି ଆସି ତାଙ୍କର ଆଧାର ଠାରୁ ଧରି ସରକାରୀ ଦସ୍ତାବିଜ କରିସାରିଲେଣି । ବନ୍ଧୁକ କାରବାରଠୁ ନେଇ ଅପରାଧିକ କାର୍ଯ୍ୟକଳାପ କରୁଛନ୍ତି । ବିଜେପି ଓ ବିଜେଡ଼ି ସରକାରରେ ଥିବାବେଳେ ବି ଏହି ସମସ୍ୟା ଥିଲା । ଆଜି ବି ଅଛି । ମୁଁ ଦୀର୍ଘ ବର୍ଷ ହେବ ବିଧାୟକ ରହିଆସୁଛି । ବିଧାନସଭା ଭିତରେ ଓ ବାହାରେ ଏହି ସମସ୍ୟା ଉଠାଇଥିଲେ ମଧ୍ୟ ଫଳ ଶୂନ । ଏହି ଅନୁପ୍ରବେଶ କାରିଙ୍କୁ ତଦନ୍ତ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରନ୍ତୁ ସରକାର ।"
'ରାସ୍ତା ଉପରେ ବଙ୍ଗ ଭାଷାଭାଷୀଙ୍କୁ ମାରପିଟ ହେଉଛି'
ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର କହିଛନ୍ତି, "ରାସ୍ତା ଉପରେ ବଙ୍ଗ ଭାଷାଭାଷୀ ଲୋକଙ୍କୁ ମାରପିଟ କରାଯାଉଛି । ଏହା ଅତ୍ୟନ୍ତ ପରିତାପର ବିଷୟ । ସମୟର ମୌକା ନେଇ କିଛି ଅସାମାଜିକ ଲୋକ ଏପରି କରୁଛନ୍ତି । ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ତିବ୍ବତ ଓ ବାଂଲାଦେଶର ଶରଣାର୍ଥୀଙ୍କୁ ଆମେ ଓଡ଼ିଶାରେ ରହିବାକୁ ସୁଯୋଗ ଦେଇଛୁ । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଶାସନ କଳ ପ୍ରଥମେ ଚିହ୍ନଟ କରିବା ଦରକାର । ପ୍ରକୃତରେ କେଉଁମାନେ ବେଆଇନ ଭାବେ ଅନୁପ୍ରବେଶ କରିଛନ୍ତି । ଏମିତି ନକରି ମାଡପିଟ ଠିକ ନୁହେଁ । ଓଡ଼ିଶା ପରି ଭାଇଚାର ରାଜ୍ୟରେ ଏମିତି ହେବା ଠିକ ନୁହେଁ ।"