ବରଗଡ:ଜିଲ୍ଲାର ଅତାବିରା ନିର୍ବାଚନ ମଣ୍ଡଳୀରେ ତେଜୁଛି ପ୍ରାର୍ଥୀ ଚୟନ ବିବାଦ । କିଛି ଦିନ ତଳେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ନିହାର ମହାନନ୍ଦଙ୍କୁ ପଦ୍ମ ଅତାବିରା ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସ୍ଥାନୀୟ ବିଜେପି ନେତା ତଥା କର୍ମକର୍ତ୍ତା ।
ସାଧାରଣ ନିର୍ବାଚନକୁ ଆଉ କିଛି ଦିନ ବାକି ରହିଥିବା ବେଳେ ରାଜ୍ୟରେ ନେତାଙ୍କ ଦଳବଦଳ, ଆମଦାନୀ ନେତାଙ୍କୁ ଟିକେଟ ପ୍ରଦାନ ବେଶ ଚର୍ଚ୍ଚାରେ ରହିଛି । ଏହାମଧ୍ୟରେ ପ୍ରମୁଖ ଦଳଗୁଡିକ ପ୍ରାର୍ଥୀ ଚୟନରେ ଦଳଡିଆଁ ନେତାମାନଙ୍କୁ ଅଧିକ ଗୁରୁତ୍ୱ ଦେଖିବାକୁ ମିଳିଛି । ଯାହାକୁ ନେଇ ଦଳୀୟ ନେତା ତଥା ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି । ବରଗଡ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିଜେପି ପକ୍ଷରୁ ହାତ ଛାଡି ପଦ୍ମ ଧରିଥିବା ନିହାର ମହାନନ୍ଦଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଯାହାକୁ ନେଇ ଦଳୀୟ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ନିରାଶା ଭରିଯାଇଛି । ନେତା ତଥା ସମର୍ଥକମାନେ ଏନେଇ ଅସନ୍ତୋଷ ଜାହିର କରିବା ସହ ଏହାକୁ ଦୃଢ ବିରୋଧ କରିଛନ୍ତି ।
ବରଗଡ ସାମ୍ବାଦିକ ଭବନ ଠାରେ ବିଜେପି ଅସନ୍ତୋଷ ଗୋଷ୍ଠୀ ସାମ୍ବାଦିକ ସମ୍ବିଳନୀ କରି ଅସନ୍ତୋଷ ଜାହିର କରିଛନ୍ତି । ଅସନ୍ତୋଷ ନେତାମାନଙ୍କ ପକ୍ଷରୁ କୁହାଯାଇଛି ଯେ, ଅତାବିରା ବିଧାନସଭା ଆସନକୁ 2009ରେ ପ୍ରଥମେ କଂଗ୍ରେସ ଦଳ ଅକ୍ତିଆର କରିଥିଲା ଏବଂ ପରବର୍ତ୍ତୀ 2014 ଓ 2019 ନିର୍ବାଚନରେ ଏହି ଆସନକୁ ବିଜେଡି ଦଳ ନିଜ ହାତମୁଠାକୁ ନେଇଛି । ତେବେ ଏହି ଆସନରେ କଂଗ୍ରେସ ଦଳ ଧୀରେ ଧୀରେ ନିଜର ଲୋକ ପ୍ରିୟତା ହରାଇ ବସିଥିବାବେଳେ ବିଜେପି ପ୍ରାର୍ଥୀ ମିଲନ ସେଠ ଦୁଇଥର ଦଳୀୟ ପ୍ରାର୍ଥୀ ହୋଇ ନିଜର ସଙ୍ଗଠନକୁ ଦୃଢ କରି କଂଗ୍ରେସ ଦଳରୁ ଅଧିକ ଲୋକପ୍ରିୟତା ଆଣିପାରିଥିଲେ । ପୂର୍ବରୁ ବିଜେପି ତୃତୀୟ ସ୍ଥାନରେ ରହୁଥିବା ବେଳେ 2019 ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ରହିଥିଲା ।