ଭୁବନେଶ୍ବର: 5T ଅଧ୍ୟକ୍ଷ ତଥା ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଅପରାଜିତାଙ୍କ ଜୋରଦାର ଟାର୍ଗେଟ । "ସାଂସଦ ଅପରାଜିତା ଷଡ଼ଙ୍ଗୀ ୫ ବର୍ଷରେ କ'ଣ କରିଛନ୍ତି ?" ବୋଲି ପାଣ୍ଡିଆନ ପଚାରିଥିବା ପ୍ରଶ୍ନରେ ୧୨ଜଣ ବିଜେଡି ସାଂସଦଙ୍କ ରିପୋର୍ଟ କାର୍ଡ ମାଗିଥିଲେ ଅପରାଜିତା । ଏହା ସହିତ ବିଜେପିର ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ପାଣ୍ଡିଆନଙ୍କ 'କୁଜି ନେତା' ଉଚ୍ଚାରଣ ପ୍ରସଙ୍ଗକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଅପରାଜିତା ଷଡ଼ଙ୍ଗୀ । ପାଣ୍ଡିଆନଙ୍କର ନିର୍ବାଚନ ଲଢ଼ିବାର ସାହସ ନାହିଁ, ଖାଲି ମୁଖ୍ୟମନ୍ତ୍ରୀଙ୍କ ଦୁର୍ବଳ ସ୍ୱାସ୍ଥ୍ୟବସ୍ଥାର ଫାଇଦା ଉଠାଇବା ଜାଣିଛନ୍ତି ବୋଲି କହି ବର୍ଷିଛନ୍ତି ଅପରାଜିତା ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅପରାଜିତା କହିଛନ୍ତି, "5T ଅଧ୍ୟକ୍ଷ ପାଣ୍ଡିଆନ ବାବୁ ମେଣ୍ଟ ଚର୍ଚ୍ଚାକୁ ନେଇ କହିଲେ ଦୁଇ ବଡ଼ନେତା ମିଶି ମେଣ୍ଟ ବିଷୟରେ କଥା ହେଉଥିଲେ । ହେଲେ କିଛି କୁଜି ନେତା ତାହା ହେବା ପାଇଁ ଦେଲେନାହିଁ । ପାଣ୍ଡିଆନ ବାବୁଙ୍କର ଏହିଭଳି ଶବ୍ଦ ପ୍ରୟୋଗର ମୁଁ ଘୋର ନିନ୍ଦା କରୁଛି । ଏଭଳି ଶବ୍ଦ ପ୍ରୟୋଗ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କୁ ସୁହାଉନି । ମତେ ଲାଗୁଛି ସେ ପ୍ରଶିକ୍ଷଣରେ ଦିଆଯାଇଥିବା ଶିଷ୍ଟାଚାରର ଜ୍ଞାନ ନେଇନାହାନ୍ତି । ଯେଉଁଠି ରାଜନୀତିରେ ବି କିଭଳି ମର୍ଯ୍ୟାଦାରେ ରହି କଥା କୁହାଯାଏ, ତାହା ଶିଖାଯାଇଛି । ମର୍ଯ୍ୟାଦାର ଏହି ଲକ୍ଷ୍ମଣ ରେଖାରେ ରହି କହିବା ଉଚିତ । କିନ୍ତୁ ସେ ତାହା ନକରି ପ୍ରଧାନମନ୍ତ୍ରୀ ଓ ବରିଷ୍ଠ ନେତାଙ୍କ ଉପରେ ଟିପ୍ପଣୀ ରଖୁଛନ୍ତି । ତାହା ତାଙ୍କୁ ଶୋଭ ଦେଉନାହିଁ । କାରଣ ସେ ଜଣେ ବ୍ୟକ୍ତି, ଯିଏ ମୁଖ୍ୟମନ୍ତ୍ରୀଙ୍କ ଦୁର୍ବଳ ସ୍ବାସ୍ଥ୍ୟାବସ୍ଥାର ଫାଇଦା ନେଇ ସମସ୍ତଙ୍କ ଠାରୁ ତାଙ୍କୁ ସଙ୍ଗରୋଧ କରି ବା ଦୂରେଇ ନିଜକୁ ଓଡ଼ିଶାର ମହାନ ଜନନାୟକ ଭାବରେ ସ୍ଥାପିତ କରିବାକୁ ଲାଗିଛନ୍ତି । ଆଉ ଏଥିରେ ସେ ବିଫଳ ହେଉଥିବା ମଧ୍ୟ ଆମେ ସମସ୍ତେ ଜାଣିଛେ ।"