ଭୁବନେଶ୍ବର:ବିଜେଡିରୁ ଇସ୍ତଫା ଦେବା ପରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଅନୁଭବଙ୍କ ଇସ୍ତଫା ପରଠାରୁ ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଲାଗି ରହିଛି । ଆଜି ଏହି ପ୍ରସଙ୍ଗ ସମ୍ପର୍କିତ ପ୍ରଶ୍ନରେ ମଧ୍ୟ ଅନୁଭବ ସେହି ଚର୍ଚ୍ଚାକୁ ଖଣ୍ଡନ କରିନାହାନ୍ତି ବରଂ ଏହାକୁ ଆଉ ଟିକେ ରୋଚକ କରିଛନ୍ତି । ସିଧାସଳଖ ସେ ବିଜେପିରେ ସାମିଲ ହେବେ ବୋଲି କହିନଥିବା ବେଳେ ସେ କିନ୍ତୁ ଏବେବି ରାଜନୀତିରେ ଅଛନ୍ତି ଓ ରାଜନୀତି ଛାଡିବେ ନାହିଁ ବୋଲି କହିଛନ୍ତି । ବିଜେପିରେ ସାମିଲ ହେବା ନେଇ ସେ କୌଣସି କାର୍ଯ୍ୟକ୍ରମରେ କହିନାହାନ୍ତି, ମାତ୍ର ଜୀବନରେ ଯାହା ହେବାର ଥିବ ତାହା ହିଁ ହେବ ବୋଲି କହିଛନ୍ତି । କେବଳ ନିର୍ବାଚନ ନୁହେଁ ବରଂ ପ୍ରତିଟି କ୍ଷେତ୍ରରେ ସେ ଲଢିବେ ଓ ଜିତିବେ । ତେବେ ଚର୍ଚ୍ଚାକୁ ସିଧା ଖଣ୍ଡନ ନକରିବା ଓ ପ୍ରତି କ୍ଷେତ୍ରରେ ଲଢିବା ମନ୍ତବ୍ୟ ବିଜେପିରେ ସାମିଲ ହେବା ସମ୍ଭାବନା ଆଡକୁ ପରୋକ୍ଷ ନିର୍ଦ୍ଦେଶ କରୁଛି ।
ଅନୁଭବ କହିଛନ୍ତି, "ମୁଁ ଦଳ ଛାଡ଼ିଛି, କିନ୍ତୁ ମୋ ପ୍ରଶଂସକଙ୍କ ଦଳ ଛାଡ଼ିନି । ମୁଁ ଆପଣଙ୍କ ଭଲପାଇବାର ଦଳରେ ସବୁବେଳେ ଅଛି ରହିବି ସେ ଦଳ ଛାଡିବିନି । ଜୀବନ ଥିବା ଯାଏଁ ଆପଣଙ୍କ ସହ ଅଛି । ରାଜନୀତି ମୁଁ ଛାଡ଼ିନାହିଁ କି ଛାଡିବିନି ସେ ସମ୍ପର୍କରେ କହିନାହିଁ । ମୁଁ କୂଟ ରାଜନୀତି କରିପାରିନାହିଁ ଓ ତାହା ଶିଖିନାହିଁ ମଧ୍ୟ । ରାଜନୀତି ସହ ଅଭିନୟ କରିବି, କାରଣ ଏହା ମୋ ଭାତହାଣ୍ଡି ଓ ମୋ ପରିଚୟ । ଲୋକଙ୍କ ପାଇଁ ଏଣିକି ରାଜନୀତି କରିବି ।"