ଭୁବନେଶ୍ବର: 5 ମାସରୁ ଅଧିକ ସମୟ ହେଲାଣି ଖାଲି ପଡିଛି ପିସିସି ପଦ । ଗତ ନିର୍ବାଚନ ପରେ ପରେ ପିସିସି ଭଙ୍ଗ ହୋଇଥିବାବେଳେ ତାହା ଏପର୍ଯ୍ୟନ୍ତ ପୁନଃଗଠନ ହୋଇପାରିନାହିଁ । ତେବେ ଚଳିିତ ମାସରେ ଘୋଷଣା ପିସିସି ସଭାପତିଙ୍କ ନାଁ ଘୋଷଣା ହେବା ନେଇ କହିଛନ୍ତି ଦଳୀୟ ନେତା ।
New PCC President (ETV Bharat Odisha) ପିସିସି ପୁନଃଗଠନ କେବେ?
2024 ସାଧାରଣ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ପିସିସିର ସମସ୍ତ କମିଟି ଗୁଡିକୁ ଭଙ୍ଗ କରିଛି AICC । ଜୁଲାଇ 22 ତାରିଖଠାରୁ ଏପର୍ଯ୍ୟନ୍ତ ପ୍ରାୟ ସାଢ଼େ ପାଞ୍ଚ ମାସ ବିତିଗଲାଣି ହେଲେ ପିସିସି ସଭାପତି ନାଁରେ ଚୂଡାନ୍ତ ମୋହର ବାଜି ପାରିଲା ନାହିଁ । ନେତା ବିହୀନ କଂଗ୍ରେସ ଓଡ଼ିଶାରେ ବିଜେପି ସରକାରର ବିଫଳତାକୁ ମଧ୍ୟ ମୁକାବିଲା କରିବାରେ ସକ୍ଷମ ହେଉନାହିଁ । ଅନ୍ୟପଟେ ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ଭଳି ନୂଆ ସଭାପତି ଘୋଷଣା ଘୁଞ୍ଚି ଘୁଞ୍ଚି ଯାଉଛି । ଏପରି ସ୍ଥଳେ ଖୁବଶୀଘ୍ର ନୂଆ ସଭାପତି ଘୋଷଣା ହେବା ନେଇ ଆଶା ରଖିଛନ୍ତି କଂଗ୍ରେସ କର୍ମୀ ଓ ନେତା । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଶୋକ ସପ୍ତାହ ଶେଷ ହେବା ପରେ ହୁଏତ ଘୋଷଣା ହୋଇପାରେ ପିସିସି ସଭାପତି ନାଁ, ଏଭଳି ଆକଳନ କରିଛନ୍ତି କିଛି ବରିଷ୍ଠ ନେତା।
ପୂର୍ବତନ ପିସିସି ସଭାପତିଙ୍କ ପ୍ରତିକ୍ରିୟା:
ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି,"ପିସିସି ସଭାପତି ଜାନୁଆରୀ ମାସ ଭିତରେ ଘୋଷଣା ହେବ । ବିଜେପି ଆଗରେ ପହଞ୍ଚିବାକୁ ଆମକୁ ବେଶୀ ସମୟ ଲାଗିବ ନାହିଁ । ଯାହାକୁ କଂଗ୍ରେସ ହାଇକମାଣ୍ଡ ଦାଇତ୍ୱ ଦେବେ ତାକୁ ଆମେ ଗ୍ରହଣ କରିବୁ । ବିଜୁ ଜନତା ଦଳ ଲୋକଙ୍କ ପାଖରୁ ଦୂରେଇ ଯାଇଛି । ବିଜେପି ସରକାର ପ୍ରତି ସବୁ ଶ୍ରେଣୀର ଲୋକମାନଙ୍କ ମନରେ ନୈରାଶ୍ୟ ମନୋଭାବ ଆସିଛି । ବିଜେପି ଓଡ଼ିଶାରେ ଶାସନ କରିପାରିବେ ନାହିଁ । ଉଭୟ ବିଜେଡି ଓ ବିଜେପି। ସ୍ଥିତି ନୈରାଶ୍ୟଜଣକ । ସେଥିପାଇଁ ବିକଳ୍ପ ଭାବରେ କଂଗ୍ରେସକୁ ଲୋକେ ଦେଖିଲେଣି।"
ଏହା ବି ପଢନ୍ତୁ...2024ରେ ବିଫଳ କଂଗ୍ରେସ ! 14ରେ ଅଟକିଲା 90 ନାରା, ପୁନର୍ଗଠନ ହୋଇପାରୁନି PCC
ଏହା ବି ପଢନ୍ତୁ...AICC ବୈଠକରେ ରିଜୋଲିସନ, ଝାଡ଼ଖଣ୍ଡ-ମହାରାଷ୍ଟ୍ର ନିର୍ବାଚନ ପରେ ନୂଆ ପିସିସି ସଭାପତି
ରେସରେ କିଏ?
ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା , AICCର ବରିଷ୍ଠ ସଦସ୍ୟ ଭକ୍ତ ଚରଣ ଦାଶ, ଉପକୂଳ ଓଡିଶାର ଟାଣୁଆ ସଂଗଠକ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନାଁ ପିସିସି ସଭାପତି ପଦ ପାଇଁ ରେସରେ ରହିଛି । ନଭେମ୍ବରରେ AICC ପକ୍ଷରୁ ଦୁଇ ଜଣ ବରିଷ୍ଠ ନେତା ଭୁବନେଶ୍ୱର ଆସି କିଏ ହେବ ପରବର୍ତ୍ତୀ ମୁଖିଆ ,ଦିନତମାମ ମାନସ ମନ୍ଥନ କରି ଚୂଡାନ୍ତ ରିପୋର୍ଟ AICCକୁ ଦେଇସାରିଥିବା କୁହାଯାଉଛି । ବାକି ରହିଲା AICC ଘୋଷଣାକୁ । ଏନେଇ ପୂର୍ବତନ ବିଧାୟିକ ସନ୍ତୋଷ ସିଂ ସାଲୁଜା କହିଛନ୍ତି," ଖୁବଶୀଘ୍ର ଓଡିଶାବାସୀ ପିସିସି ସଭାପତି ପାଇବେ । ପିସିସି ସଭାପତି ମନୋନୀତ ହେବାକୁ ସମୟ ଲାଗିବାର କାରଣ ହେଲା ବିଗତ ନିର୍ବାଚନ ଗୁଡିକରେ କଂଗ୍ରେସର କ୍ରମାଗତ ବିପର୍ଯ୍ୟୟ। AICC ଚାହୁଁଛି ଜଣେ ଯୋଗ୍ୟ ନେତାଙ୍କୁ ପିସିସି ସଭାପତି କରିବାକୁ , ଯାହା ଉପରେ ସାଧାରଣ ଲୋକଙ୍କ ଆସ୍ଥାପ୍ରାକଟ ହେବ । ଦିଲ୍ଲୀରୁ ଯେତେବେଳେ ଡାକରା ଆସିବ ସେତେବେଳେ ଯିବୁ । ଯେଉଁମାନେ ରାଜ୍ୟର ନେତୃତ୍ୱ ନେଇପାରିବେ, କଂଗ୍ରେସର କର୍ମୀମାନେ ତାଙ୍କ ଉପରେ ବିଶ୍ୱାସ କରିପାରିବେ । ରାଜ୍ୟବାସୀ ତାଙ୍କ ଉପରେ ଭରଷା କରିପାରିବେ,ରାଜ୍ୟରେ ଉଭୟ ବିଧାନସଭା ଏବଂ ଲୋକସଭାରେ ଭଲ ପଦର୍ଶନ କରିପାରିବେ। କଂଗ୍ରେସକୁ କ୍ଷମତାକୁ ଆଣିପାରିବେ ସେଭଳି ନେତାଙ୍କୁ ପିସିସି ସଭାପତି ଦାଇତ୍ୱ ଦେବେ AICC।
ଇଟିଭି ଭାରତ, ଭୁବନେଶ୍ବର