ଭବାନୀପାଟଣା: ନିର୍ବାଚନୀ ବିଗୁଲ ବାଜିବା ପରେ ସରଗରମ ରାଜନୀତି ପାଣିପାଗ । ନିର୍ବାଚନ ତାରିଖ ଘୋଷଣା ହେବା ପରେ ନେତା ଓ କର୍ମୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଜୋରଦାର ଉତ୍ସାହ । ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ନେତାଙ୍କ ବୈଠକ ଆରମ୍ଭ ହୋଇଗଲାଣି । ଏହାରି ଭିତରେ ଚର୍ଚ୍ଚାରେ ରହିଛି କଳାହାଣ୍ଡି ଲୋକସଭା ଆସନ । ଏହି ଆସନ ପାଇଁ ବିଜେପି ଖେଳିଛି ମହିଳା କାର୍ଡ । କଳାହାଣ୍ଡି ଲୋକସଭା କ୍ଷେତ୍ରରୁ ମାଳବିକା କେଶରୀ ଦେଓଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟୀ । ସେପଟେ ବିଜେଡି ଓ କଂଗ୍ରେସ କାହାକୁ ଏଠାରୁ ପ୍ରାର୍ଥୀ କରିବେ ଏବେ ତାହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି ।
ତେବେ ରାଜ୍ୟର ଏକ ପ୍ରମୁଖ ଲୋକସଭା କ୍ଷେତ୍ର ଭାବରେ କଳାହାଣ୍ଡି ଲୋକସଭା ଆସନ ପରିଚିତ । ଗତ ନିର୍ବାଚନରେ ଏଠାରୁ 3 ଟାଣୁଆ ନେତା ପ୍ରତିଦ୍ବନ୍ଦୀତା କରିଥିଲେ । ବିଜେପିର ବସନ୍ତ ପଣ୍ଡା ସମୁଦାୟ ୪ ଲକ୍ଷ ୩୩ ହଜାର ୭୪ ଖଣ୍ଡ ଭୋଟ ପାଇ ବିଜୟ ହୋଇଥିବା ବେଳେ ବିଜେଡିର ପୁଷ୍ପେନ୍ଦ୍ର ସିଂହଦେଓ ୪ ଲକ୍ଷ ୬ ହଜାର ୨୬୦ ଖଣ୍ଡ ଭୋଟ ପାଇଥିଲେ ଏବଂ କଂଗ୍ରେସ ନେତା ଭକ୍ତ ଚରଣ ଦାସ ୩ ଲକ୍ଷ ୧୯ ହଜାର ୨୦୨ଟି ଭୋଟ ପାଇ ପରାଜୟ ହୋଇଥିଲେ । ହେଲେ ଚଳିତ ବର୍ଷ ହେବାକୁ ଥିବା ନିର୍ବାଚନରେ ବସନ୍ତଙ୍କ ବଦଳରେ କଳାହାଣ୍ଡିର ପୂର୍ବତନ ସାଂସଦ ଅର୍କ କେଶରୀଙ୍କ ପତ୍ନୀ ମାଳବିକା କେଶରୀଙ୍କୁ ଭରସା କରି ଟିକେଟ ଦେଇଛି ବିଜେପି ।