ବଲାଙ୍ଗୀର:ରାଜାଘର କଳି ଏବେ ନେଇଛି ରାଜନୈତିକ ମୋଡ଼ । ନିର୍ଯାତନା ଅଭିଯୋଗ ଆଣୁଥିବା ସାନ ବୋହୂ ଅଦ୍ରିଜା ରାଜପରିବାରର ପ୍ରାର୍ଥୀଙ୍କୁ ଭୋଟ ନଦେବାକୁ ଅପିଲ କରିଛନ୍ତି । ଅଦ୍ରିଜା ମଞ୍ଜରୀ ସିଂଦେଓ ବଲାଙ୍ଗୀର ଆସି ରାଜପରିବାର ନାଁରେ ପୁଣି ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହାସହ ସେ ବଲାଙ୍ଗୀରବାସୀଙ୍କୁ ଭୋଟ ନଦେବାକୁ ଅପିଲ କରିଛନ୍ତି। ସେପଟେ ତାଙ୍କ ସ୍ୱାମୀ ଅର୍କେଷ ନାରାୟଣ ସିଂଦେଓ କହିଛନ୍ତି, "ଏହା ବିରୋଧୀଙ୍କ ଅତି ହୀନ ରାଜନୀତି । କୋର୍ଟରେ ଥିବା ମାମଲାକୁ ନେଇ ଏମାନେ ରାଜନୀତି କରୁଛନ୍ତି। ଲୋକ ସତ କ'ଣ ଜାଣିଛନ୍ତି ଓ ଉଚିତ ଜବାବ ଦେବେ।"
ବଲାଙ୍ଗୀର ଏୟୁ ସିଂଦେଓ ରାଜା ପରିବାରର କଳି ଏବେ ରାଜନୈତିକ ମୋଡ଼ ନେଇଛି। ଅର୍କେଶଙ୍କ ପତ୍ନୀ ତଥା ସାନବୋହୂ ଅଦ୍ରିଜା ଅଭିଯୋଗ ଆଣିଛନ୍ତି,"ଯାହାଙ୍କ ଘରେ ମହିଳା ସୁରକ୍ଷିତ ନାହାନ୍ତି ତାଙ୍କୁ ଭୋଟ ନଦେବାକୁ ଅନୁରୋଧ ।" ସ୍ୱାମୀ ଓ ତାଙ୍କ ଦେଢଶୁରଙ୍କ ପାଇଁ ବୁଲି ବୁଲି ଭୋଟ ମାଗିଥିଲେ ବୋଲି କହିଛନ୍ତି ଅଦ୍ରିଜା । ଉଭୟ ଗତ ନିର୍ବାଚନରେ ପରାଜିତ ହୋଇଥିଲେ। ସେହି ଦିନଠୁ ତାଙ୍କ ଉପରେ ଯୌତୁକ ଓ ଟଙ୍କା ପାଇଁ ତାଙ୍କ ଶ୍ବଶୁର ଘର ଚାପ ପକାଇବା ସହ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଛନ୍ତି ବୋଲି ସେ କହିଛନ୍ତି। ଏଭଳି ସମୟରେ ପୁଣି ବିଜେଡି କଳିକେଶଙ୍କୁ ଟିକଟ ଦେବା ଘଟଣାକୁ ବିରୋଧ କରିଛନ୍ତି ଅଦ୍ରିଜା ।
ସେପଟେ ଅଦ୍ରିଜାଙ୍କ ଅଭିଯୋଗର ଜବାବ ରଖିଛନ୍ତି ତାଙ୍କ ସ୍ୱାମୀ ଅର୍କେଷ ନାରାୟଣ ସିଂଦେଓ। ସେ କହିଛନ୍ତି, "ଅନ୍ୟ ଘର ଲୋକଙ୍କ ତରକାରୀରେ ଭୋଜି ମନାଇବା ଅର୍ଥାତ ପରର ତୁନରେ ଫୁସପୁନି ଭୋଜି ଓ ପରର ସ୍ତ୍ରୀକୁ ନେଇ ରାଜନୀତି ।" ଏଭଳି ହୀନ ରାଜନୀତି ବିରୋଧୀ କରୁଛନ୍ତି। ସିଧାସଳଖ ବିଧାୟକ ନରସିଂହ ମିଶ୍ର ଓ ତାଙ୍କ ସାନ ପୁଅ ସମରେନ୍ଦ୍ରଙ୍କୁ ଟାର୍ଗେଟ୍ କରିଛନ୍ତି ଅର୍କେଶ । ସେ କହିଛନ୍ତି, "ଏହା ପୁରୁଣା କଥା ଅଟେ । ତେଣୁ ସେମାନେ କିଛି ନୂଆ ସ୍କ୍ରିପ୍ଟ ଓ ନୂଆ ଅଭିନେତା ଆଣନ୍ତୁ, ଯାହାଦ୍ୱାରା ନାଟକ ଚାଲିବ ।" ସେହିପରି ତାଙ୍କ ବୈବାହିକ ଜୀବନରେ ବାଧା ଆସିଥିବାବେଳେ ମାମଲା ଏବେ କୋର୍ଟରେ ବିଚାରଧୀନ ଅଛି। କୋର୍ଟଙ୍କୁ ବିଶ୍ୱାସ ନକରି ତାଙ୍କ ସ୍ତ୍ରୀ ବିରୋଧୀଙ୍କ ସହ ମିଶି ତାଙ୍କ ପ୍ରରୋଚନାରେ ଏଭଳି କହିବା ନୂଆ ନୁହେଁ ବୋଲି ସେ କହିଛନ୍ତି।