ଭୁବନେଶ୍ବର: ଖୋଲିବ 10 ବର୍ଷ ତଳର ମର୍ଡର ମିଷ୍ଟ୍ରି ଫାଇଲ । 2016ରେ ଘଟିଥିବା ବହୁ ଚର୍ଚ୍ଚିତ ଆଶୁତୋଷ ମହାନ୍ତି ଓରଫ ଋଷି ମୃତ୍ୟୁ ରହସ୍ୟର ଖୋଲିବାକୁ ଯାଉଛି ବିଜେପି । ଏହି ମର୍ଡର ଫାଇଲ ଖୋଲିବାକୁ ସରକାରଙ୍କ ନିକଟରେ ନିବେଦନ କରିବ ବିଜେପି । ଏନେଇ ଆଜି ଏକାମ୍ର ବିଧାୟକ ବାବୁ ସିଂ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଏହି ଘଟଣାରେ ପୂର୍ବତନ ମେୟର ତଥା ବର୍ତ୍ତମାନର ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସମ୍ପୃକ୍ତି ଥିବା ସେ ସମୟରେ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଥିଲା କଂଗ୍ରେସ । ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ।
ଖୋଲିବ ଋଷି ହତ୍ୟାକାଣ୍ଡର ଗୁମର:
ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, " ବିଗତ 10 ବର୍ଷ ତଳେ ଋଷିର ଯେଉଁ ହତ୍ୟାକାଣ୍ଡ ଘଟିଥିଲା ତାହାର ପର୍ଦ୍ଦାଫାସ ବା ତା ପରିବାରକୁ କିଏ ସମବେଦନା ଜଣାଇଥିଲା । ତତ୍କାଳୀନ ମେୟର ସେହି ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହ ଘେରରେ ଅଛନ୍ତି । ସେହି ହତ୍ୟାକାଣ୍ଡର ଫାଇଲ ଖୋଲିବାକୁ ଆମେ ସରକାରଙ୍କୁ ନିଶ୍ଚିତ ଜଣାଇବୁ । ଋଷି ମୃତ୍ୟୁର ଫାଇଲ ଖୋଲିଲେ ତା’ ପରିବାର ନିଶ୍ଚିତ ଶାନ୍ତିରେ ଜୀବନଯାପନ କରିପାରିବେ । ଆଜିବି ତାଙ୍କ ପରିବାର ଦୁଃଖ ଭିତରେ ରହିଛନ୍ତି ।’
ଯେତେ ତଦନ୍ତ କଲେ ମୁଁ ପ୍ରସ୍ତୁତ:
ବିଜେପି ବିଧାୟକ ବାବୁ ସିଂଙ୍କ ଏପରି ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା । ସେ କହିଛନ୍ତି, ‘ଯେ କୌଣସି ତଦନ୍ତ ହେଲେ ମୁଁ ପ୍ରସ୍ତୁତ । ମୁଁ ସବୁବେଳେ ସ୍ବାଗତ କରିଛି । ମୁଁ ମୂଳରୁ କହିଛି, ଭବିଷ୍ୟତରେ ବି କହିବି ଜୀବନ ଥିବା ପର୍ଯ୍ୟନ୍ତ..ମୁଁ କେବେ ନଥିଲି । ଯେତେ ପ୍ରକାର ତଦନ୍ତ କଲେ ମୁଁ ପ୍ରସ୍ତୁତ । ଯଦି ଅନ୍ୟାୟରେ ଥାନ୍ତା ମୁଁ ଚ୍ୟାଲେଞ୍ଜ ଦେଇକି ବିଧାୟକ ହୋଇ ଜିତିଲି ।
କାହାକୁ ଭଲ ପାଇଲି ତାହା ବ୍ୟକ୍ତିଗତ:
ସେ ଆହୁରି କହିଛନ୍ତି, ‘ବ୍ୟକ୍ତିଗତ ଭାବରେ ମୁଁ କାହାକୁ ଭଲ ପାଇଲି କାହାକୁ କଣ କଲି ସେଥିରେ ଯେଉଁଟା ନ୍ୟାୟ ନ୍ୟାୟ ଯାହା ଅନ୍ୟାୟ ଅନ୍ୟାୟ ସେଥିରେ କୌଣସି ଅସୁବିଧା ହେବ ନାହି । ମୋ ନାଁରେ ଥାନାରେ ଏ ପର୍ଯ୍ୟନ୍ତ ଗୋଟିଏ ବି ମାମଲା ନାହିଁ । 22 ବର୍ଷ ରାଜନୈତିକ କ୍ୟାରିୟରରେ କୌଣସି ମାମଲା ନାହିଁ ।’
ଋଷି ମୃତ୍ୟୁ ରହସ୍ୟ:
ଏହି ଘଟଣାଟି 2016ର । ମେ’ 6, 2016ରେ ଖଣ୍ଡଗିରି ଥାନା ଅଞ୍ଚଳରୁ ଏକ ହଷ୍ଚେଲ ଭିତରୁ ମିଳିଥିଲା ଇଞ୍ଜିନିୟରିଂ ଆଶୁତୋଷ ମହାନ୍ତି ଓରଫ ଋଷିଙ୍କ ମୃତତେଦହ । ପୋଲିସ ଏକ ଅପମୃତ୍ୟୁ ମାମଲାର ରୁଜୁ କରିଥିଲା । ଋଷିକୁ ହତ୍ୟା କରାଯାଇଥିବା ସେ ସମୟରେ ଅଭିଯୋଗ ଆଣିଥିଲେ ଋଷିଙ୍କ ବାପା ମା’ ।
ଋଷି ମୃତ୍ୟୁ ସହ କେମିତି ଯୋଡି ହେଲା ପୂର୍ବତନ ମେୟରଙ୍କ ନାଁ:
ଋଷି ମୃତ୍ୟୁର 6 ମାସ ପରେ ଅର୍ଥାତ ଡିସେମ୍ବର ମାସରେ ଏକ ଅଶ୍ଲୀଳ ଭିଡିଓ ସାମ୍ନାକୁ ଆସିଥିଲା । ଯାହାକୁ ନେଇ ତତ୍କାଳୀନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ କରି ଏକ ଅଭିଯୋଗ ଆଣିଥିଲେ, ଏହି ମୃତ୍ୟୁ ପଛରେ ଶାସକ ଦଳର ଜଣେ ଜଣେ ନେତାଙ୍କ ସମ୍ପୃକ୍ତି ରହିଛି । ଏହି ଘଟଣାକୁ ପରେ ଛାତ୍ର କଂଗ୍ରେସ ମୁଦ୍ଦା କରିଥିଲା । ପରେ ବିଜେପି ମଧ୍ୟ ଆନ୍ଦୋଳନ କରିଥିଲା । ଗୋଟିଏ ଦିନରେ ବିଜେପି-ବିଜେଡି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।