ହାଇଦ୍ରାବାଦ:ଗୋଟିଏ ପଟେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନିକ କାର୍ଯ୍ୟଭାର ସମ୍ଭାଳିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅନ୍ୟପଟେ ରାଜନୈତିକ ଚିତ୍ରପଟ୍ଟରେ ନିଶ୍ଚିତତା ଓ ଅପ୍ରତ୍ୟାଶିତତାର ମିଶ୍ରଣ ହୋଇ ରହିଛି । ନିଜର ବିଶ୍ବସନୀୟ ସହଯୋଗୀମାନଙ୍କୁ ଏକଜୁଟ କରୁଛନ୍ତି ଟ୍ରମ୍ପ । ଯାହାକି ଆଗକୁ ଏକ ନୂଆ ରୂପ ନେବ ବୋଲି ସଂକେତ ମିଳିଛି ।
ଟ୍ରମ୍ପ ସରକାରରେ ପ୍ରମୁଖ ନିଯୁକ୍ତି ହେବାକୁ ଥିବାବେଳେ ବୈଦେଶିକ ମନ୍ତ୍ରୀ ଭାବେ ମାର୍କୋ ରୁବିୟୋ, ରାଷ୍ଟ୍ରୀୟ ପରାମର୍ଶଦାତା ଭାବେ ମାଇକଲ ବାଲ୍ଟେଜ, ପ୍ରତିରକ୍ଷା ମନ୍ତ୍ରୀ ଭାବେ ପିଟ୍ ହେଗସେଥ ଏବଂ ସ୍ବାସ୍ଥ୍ୟ ଓ ମାନବ ସେବା ମନ୍ତ୍ରୀ ଭାବେ ରୋବର୍ଟ ଏଫ କେନେଡି ଜୁନିୟରଙ୍କ ନାଁ ସାମିଲ ରହିଛି । ସବୁଠୁ ବଡ଼ କଥା ହେଉଛି ଏଲନ ମସ୍କ ଏବଂ ବିବେକ ରାମସ୍ବାମୀଙ୍କୁ ନବ ସ୍ଥାପିତ ସରକାରୀ ଦକ୍ଷତା ବିଭାଗର ନେତୃତ୍ବ ନେବା ପାଇଁ ଚୟନ କରାଯାଇଛି । ପ୍ରଶାସନର ବୈଦେଶିକ ନୀତି ବିଶ୍ବ ପାଇଁ କେତେ ଲାଭଦାୟକ ହେବ ?
ଟ୍ରମ୍ପ ପ୍ରଶାସନ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ତାଙ୍କର ବୈଦେଶିକ ନୀତି ଘରୋଇ ପ୍ରାଥମିକତାକୁ ପ୍ରାଧାନ୍ୟ ଦେବ । ତଥାପି ସୀମା ବିବାଦ, ଅନ୍ତରାଷ୍ଟ୍ରୀୟ ସମ୍ବନ୍ଧ ଆଦିକୁ ପ୍ରଶାସନର ନିଷ୍ପତ୍ତି ପ୍ରଭାବିତ କରିପାରେ । ଡୋନାଲ୍ଡ ଟ୍ରମ୍ପ ପ୍ରଥମେ କେଉଁ ପ୍ରସଙ୍ଗ ଉପରେ ଗୁରୁତ୍ବ ଦେବେ, ସେକଥା ମନକୁ ଆସିଲେ ପ୍ରଥମେ ଆସେ ସଂଘର୍ଷ ସମାଧାନ ପ୍ରସଙ୍ଗ । ବିଶେଷ କରି ଋଷ-ୟୁକ୍ରେନ ଯୁଦ୍ଧ ଏବଂ ମଧ୍ୟ ପୂର୍ବରେ ଇସ୍ରାଏଲ-ହମାସ ୟୁଦ୍ଧ।
ଋଷ:
ଟ୍ରମ୍ପ ପ୍ରଶାସନ ଅଧୀନରେ ବୈଦେଶିକ ନୀତି ଅନୁସାରେ ଋଷର ପ୍ରାଥମିକତା ରହିବ । ୟୁକ୍ରେନରେ ଚାଲିଥିବା ବିବାଦର ଅନ୍ତ ଘଟାଇବା ପାଇଁ ପ୍ରାରମ୍ଭିକ ପଦକ୍ଷେପ ସବୁ ନିଆଯାଇପାରେ । ସେହିପରି ମସ୍କୋ ସହିତ କୂଟନୈତିକ ସ୍ତରରେ ଜଡିତ ହେବାକୁ ଟ୍ରମ୍ପ ଟିମ୍ ପ୍ରସ୍ତୁତ ଥିବା ଜଣାପଡିଛି ।