ହାଇଦ୍ରାବାଦ:ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ( The National Disaster Management Authority -NDMA), ହିମାଳୟର ସୁଉଚ୍ଚ ଏବଂ ବିପଦପୂର୍ଣ୍ଣ ଗ୍ଲାସିଆଲ ହ୍ରଦ ଉପରେ ନଜର ରଖିବାକୁ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ସମୟରେ ବାରମ୍ବାର ଗ୍ଲାସିୟର ସ୍ଖଳନ ପରେ ସଂସ୍ଥା ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏବେ ହିମାଳୟ ପର୍ବତମାଳାରେ ଗ୍ଲାସିୟର ସ୍ଖଳନ ପ୍ରମୁଖ ବିପଦ ଭାବେ ଉଭା ହେଉଛି । ବର୍ତ୍ତମାନ ହିମାଳୟରେ 5000ରୁ ଗ୍ଲାସିଆଲ ହ୍ରଦ (glacial lakes) ଏବଂ 200 ଶହ ହ୍ରଦ (Lakes) ରହିଛି । ଜଳବାୟୁ ପରିବର୍ତ୍ତନ ଏବଂ ମାନବୀୟ ବିଭ୍ରାଟ ଯୋଗୁଁ ବାୟୁମଣ୍ଡଳର ଉଷ୍ମତା ବଢ଼ୁଛି ଏବଂ ଏହାର ପ୍ରଭାବରେ ଗ୍ଲାସିଆଲନ ଲେକ୍ ସ୍ଖଳନ ଓ ବନ୍ୟା ( Glacial lake outburst flood -GLOF ) ସୃଷ୍ଟି ହେଉଛି ।
ବନ୍ୟାର କାରଣ ଗ୍ଲାସିଆଲ ହ୍ରଦ:
ଏକ ଗ୍ଲାସିଆଲ ହ୍ରଦ ବନ୍ୟା ପରିସ୍ଥିତି ବା GLOF, ସାଧାରଣ ବନ୍ୟା ତୁଳନାରେ ଅଧିକ ଭୟଙ୍କର । ଏହା ଅଧିକ କ୍ଷତି ଘଟାଇବା ସହ ବିନାଶ ଘଟାଇଥାଏ । ଗତ କିଛି ବର୍ଷ ମଧ୍ୟରେ ଭାରତରେ ଅଧିକ GLOF ଘଟଣା ବା ପ୍ରାକୃତିକ ବିପର୍ଯ୍ୟୟ ଘଟାଇଛି । ୨୦୧୩ରେ କେଦାରନାଥ ଗ୍ଲାସିଆଲ୍ ସ୍ଖଳନ ବହୁତ ଭୟାନକ ଥିଲା । ଏଥିରେ ୬୦୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ୨୦୧୪ରେ ଅଗଷ୍ଟ ୬ ତାରିଖ ରାତିରେ ଲଦାଖରେ ହଠାତ ଭୂସ୍ଖଳନରେ ଭୁଶୁଡ଼ି ପଡ଼ିଥିଲା ପୋଲ । ଭାସିଯାଇଥିଲା ଘର ଦ୍ବାର । ଚାଷ ଜମି ନଷ୍ଟ ଭ୍ରଷ୍ଟ ହୋଇଯାଇଥିଲା ।
ବରଫର ଅନିୟମିତ ସ୍ଖଳନ:
୨୦୨୧ ଫେବ୍ରୁଆରି ୭ରେ ଉତ୍ତରାଖଣ୍ଡ ଚମୋଲି ଅନ୍ତର୍ଗତ ଧଉଳିଗଙ୍ଗା ଏବଂ ରାଶିଗଙ୍ଗାରେ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା । ଏଥିରେ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏପରିକି ଦୁଇଟି ବୃହତ ଜଳବିଦ୍ୟୁତ ପରିଯୋଜନା ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ୨୦୧୩ରେ କେଦାରନାଥରେ ଗ୍ଲାସିଆଲ ଫ୍ଲଡ ହୋଇଥିବା ବେଳେ, ଲଦାଖ ଏବଂ ଚମୋଲିରେ ଭୂସ୍ଖଳନ ଘଟିଥିଲା । ତେବେ ଏହି ତିନିଟି ଯାକ ପ୍ରାକୃତିକ ଦୁର୍ବିପାକକୁ ନେଇ ଗୋଟିଏ କଥା କୁହାଯାଇପାରେ । ସ୍ଥାୟୀ ବରଫ ଅନିୟମିତ ସ୍ଖଳନ( untimely melting of permanent ice) ବା ପର୍ମାଫ୍ରୋଷ୍ଟ (permafrost) । ପର୍ବତ ପର୍ମାଫ୍ରୋଷ୍ଟ ହେଉଛି ଏପରି ବରଫ ଯାହା ପାହାଡ଼ ଚଟାଣ ଫାଟ ମଧ୍ୟରେ ରହିଥାଏ ।
The Glacial Lake Outbursts Risk In The Himalayas: (ETV Bharat Odisha) ବରଫ ସ୍ଖଳନ ପଛରେ ତାପମାତ୍ରା ବୃଦ୍ଧି:
ଦୁଇ ପଥରରେ ଥିବା ଫାଟକୁ ଯୋଡ଼ି ରଖୁଥିବା ପର୍ବତ ପର୍ମାଫ୍ରୋଷ୍ଟ ପରବର୍ତ୍ତୀ ସମୟରେ ଭୂସ୍ଖଳନ ଘଟାଇଥାଏ । ଏହି ପଥର ସଦୃଶ ବରଫ ତରଳିବା ଯୋଗୁଁ ଭୂସ୍ଖଳନ ସୃଷ୍ଟି ହୁଏ । ବିଶେଷ କରି ଗତ କିଛି ଦଶନ୍ଧି ଧରି ତାପମାତ୍ରା ବୃଦ୍ଧି ଯୋଗୁଁ ଏହି ବରଫ ତରଳିବାରେ ଲାଗିଛି ଏବଂ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଘଟାଉଛି ।
ସିକିମ ବିପର୍ଯ୍ୟୟ:
୨୦୨୩ ଅକ୍ଟୋବର ୪ ତାରିଖରେ ସିକିମରେ ସୃଷ୍ଟି ହୋଇଥିଲା GLOF ସମ୍ବନ୍ଧୀୟ ବିପର୍ଯ୍ୟୟ । ଏଥିରେ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ, ଅନେକ ଆହତ ହୋଇଥିଲେ । କିଛି ଲୋକ ନିଖୋଜ ହୋଇଥିଲେ । ପ୍ରବଳ ବର୍ଷା ଯୋଗୁଁ ସିକ୍କିମର ଗ୍ଲାସିଆଲ୍ ସାଉଥ୍ ଲୋନାକ୍ ହ୍ରଦ ପ୍ରବାହିତ ହେଲା । ଫଳରେ ପାହାଡ଼ ତଳିଆ ଅଞ୍ଚଳରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହେଲା । ବନ୍ୟା ଜଳ ବୃଦ୍ଧି ଲାଚେନ ଉପତ୍ୟକାର ତିସ୍ତା ନଦୀରେ ବନ୍ୟା ହେବା ସହ ସବୁ କିଛି ଧୋଇଗଲା । ଅନେକ ପୋଲ, ସଡ଼କ ଏବଂ ସିକିମର ସର୍ବ ବୃହତ ଜଳ ବିଦ୍ୟୁତ ପ୍ରକଳ୍ପ, ଚୁଙ୍ଗଥାଙ୍ଗରେ ଥିବା ତିସ୍ତା-3 ଡ୍ୟାମ୍ (Teesta-III Dam) ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ଫ୍ଲାସ୍ ଫ୍ଲଡ ଯୋଗୁଁ 5,200 ମିଟର ଉଚ୍ଚରେ ଅବସ୍ଥିତ ଲୋନାକ୍ ଗ୍ଲାସିୟାଲ୍ ଲେକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ସିକିମ ବିପର୍ଯ୍ୟୟ ହେଉଛି ହିମାଳୟ ଭୂସ୍ଖଳନର ପୁନରାବୃତ୍ତି । ଆଉ ଏହାର କାରଣ ପଛରେ ରହିଛି ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଏବଂ ତାପମାତ୍ରା ବୃଦ୍ଧି ।
ହିମାଳୟରେ ସର୍ବାଧିକ ବରଫ:
ହିମାଳୟର କେନ୍ଦ୍ରୀୟ ଅଞ୍ଚଳ ବାହାରେ ସର୍ବାଧିକ ବରଫ ରହିଥାଏ । ଏହା ବଡ଼ ବଡ଼ ଗ୍ଲାସିୟରରେ ଭରପୁର ଥାଏ । ଏହାକୁ ଏସିଆ ମହାଦେଶର ପ୍ରମୁଖ ନଦୀଗୁଡ଼ିକର ଉତ୍ପତ୍ତି ସ୍ଥଳ ମଧ୍ୟ କୁହାଯାଏ । ଏହା ଏସିଆ ମହାଦେଶର ଜଳବାୟୁକୁ ନିୟମନ୍ତ୍ରଣ କରିଥାଏ । ଏହି ନଦୀଗୁଡ଼ିକର ତଳମୁଣ୍ଡରେ କୋଟି କୋଟି ଲୋକ ବାସ କରନ୍ତି । ସେସବୁ ଦେଶ ହେଲା ଚୀନ, ଭାରତ, ପାକିସ୍ଥାନ ଏବଂ ଅନ୍ୟ ଦକ୍ଷିଣ ପୂର୍ବ ଏସୀୟ ଦେଶ । ଏସବୁ ଦେଶ ଆବଶ୍ୟକ କରୁଥିବା ଜଳ ପାଇଁ ସଂପୃକ୍ତ ନଦୀଗୁଡ଼ିକ ଉପରେ ନିର୍ଭର କରିବାକୁ ପଡ଼ିଥାଏ । ବୈଜ୍ଞାନିକ ଗବେଷଣାରୁ ଜଣାପଡ଼ିଛି ଯେ, ଗ୍ଲୋବାଲ ୱାର୍ମିଂ (Global warming) ଯୋଗୁଁ ଉତ୍ତାପ ସନ୍ତୁଳନ ପ୍ରଭାବିତ ହେଉଛି ଏବଂ ଏହାଦ୍ବାରା ପରିବେଶ ପରିବର୍ତ୍ତନ ଘଟୁଛି । ହିମାଳୟ ଏବଂ ତିବ୍ବତ ଉପତ୍ୟାକାରେ ବାସ କରୁଥିବା ଭାରତ, ଚୀନ, ପାକିସ୍ତାନ ଏବଂ ଦକ୍ଷିଣ ଏସୀୟ ଦେଶଗୁଡ଼ିକର ୧୦୦ କୋଟିରୁ ଅଧିକ ଲୋକ ବାସ କରୁଥିବା ବେଳେ, ସେମାନେ ଜଳ ପାଇଁ ଏସବୁ ନଦୀ ଉପରେ ସିଧା ସଳଖ ନିର୍ଭର କରନ୍ତି ।
ତାପମାତ୍ରା ବୃଦ୍ଧି ଗ୍ଲାସିୟର ସ୍ଖଳନର ମୁଖ୍ୟ କାରଣ:
ବର୍ତ୍ତମାନ ସମୟରେ ହିମାଳୟରେ ହେଉଥିବା ଭୂସ୍ଖଳନକୁ ବିଚାରକୁ ନେଲେ, ତାପମାତ୍ରା ବୃଦ୍ଧି ଏବଂ ଗ୍ରୀନ ହାଉସ ଗ୍ୟାସ ଏମିସନ(Greenhouse Gas Emissions) କାରଣରୁ ୨୧୦୦ ମସିହା ବେଳକୁ ମାଉଣ୍ଟ ଏଭେରେଷ୍ଟ ଏବଂ ଏହାର ଆଖପାଖ ଇଲାକାରେ ୭୦ରୁ ୯୯ ପ୍ରତିଶତ ଗ୍ଲାସିୟର ନଷ୍ଟ ହୋଇ ଯାଇପାରେ । ଏହା ପଛରେ ଆଉ ଏକ ବଡ଼ କାରଣ ହେଉଛି, ଏସବୁ ଅଞ୍ଚଳ ପର୍ଯ୍ୟଟନ ସ୍ଥଳରେ ପରିଣତ ହୋଇଥିବାରୁ, ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସୁଛନ୍ତି । ଏଥିପାଇଁ ବହୁ ପରିମାଣର ଭାରିଯାନ ଚଳାଚଳ କରୁଛି ଏବଂ ଏଥିଯୋଗୁଁ ବହୁ ପରିମାଣର ଅଙ୍ଗାରକାମ୍ଳ ଗ୍ୟାସ ସୃଷ୍ଟି ହେଉଛି । ଯାହା କି ପରିବେଶ ପ୍ରଦୂଷଣ କରିବା ସହ ଗ୍ଲାସିୟର ସ୍ଖଳନର ଅନ୍ୟ ଏକ ପ୍ରମୁଖ କାରଣ ପାଲଟୁଛି । ଗବେଷଣା ଏବଂ ଅଧ୍ୟୟନରୁ ଜଣାପଡ଼ିଛି ଯେ, ହିମାଳୟ ଅଞ୍ଚଳରେ ଯେତେ ଗ୍ଲାସିୟର ସ୍ଖଳନ ହେଉଛି, ତାର ୩୦ ପ୍ରତିଶତ କେବଳ ଅଙ୍ଗାରକାମ୍ଳ ଗ୍ୟାସ ଯୋଗୁଁ ହୋଇଥାଏ । ଏହି ତଥ୍ୟ, ଅତ୍ୟନ୍ତ ଉଦବେଗଜନକ ଏବଂ ସାଙ୍ଘାତିକ ପରିସ୍ଥିତି ନେଇ ସୂଚିତ କରୁଛି ।
ଗବେଷଣାରୁ ଜଣାପଡିଛି ଯେ, ସ୍ଥାୟୀ ଗ୍ଲାସିୟର ତରଳି ହିମାଳୟ ଅଞ୍ଚଳରେ ଗ୍ଲାସିଅର ହ୍ରଦ ସୃଷ୍ଟି କରିଥାଏ । ଗ୍ଲାସିୟରରେ ମୁଖ୍ୟତଃ ଆବର୍ଜନା ଭରି ରହିଥାଏ । ଭୂକମ୍ପନ କିମ୍ବା ଅତ୍ୟଧିକ ବର୍ଷା ହେଲେ ଏହି ହ୍ରଦଗୁଡ଼ିକ ପ୍ରବାହିତ ହୁଏ । ଭୂସ୍ଖଳନ ହେବା ସହ ପଥର ଖଣ୍ଡ ଏବଂ ଗଛ ସହିତ ସମସ୍ତ ଆବର୍ଜନା ପାହାଡ଼ ତଳକୁ ଖସିଥାଏ ଏବଂ ବଡ଼ ଧରଣର ବିପର୍ଯ୍ୟୟ ଘଟାଇଥାଏ । ସବୁଠୁ ବଡ଼ କଥା ହେଲା, ଏହା ଏତେ ତୀବ୍ର ଏବଂ କ୍ଷୀପ୍ର ଥାଏ ଯେ, ମାତ୍ର କେଇ ମିନିଟ କିମ୍ବା କିଛି ଘଣ୍ଟା ମଧ୍ୟରେ ସବୁ କିଛି ଧୋଇଯାଏ । ୧୯୯୦ ମସିହା ପରଠାରୁ କେନ୍ଦ୍ରୀୟ ଏବଂ ପୂର୍ବ ହିମାଳୟ ଅଞ୍ଚଳରେ ଅଧିକ ସଂଖ୍ୟାରେ ଗ୍ଲାସିୟର ହ୍ରଦ ସୃଷ୍ଟି ହୋଇଛି । ହିମାଳୟର ସେହି ଅଞ୍ଚଳରେ ଅଧିକ ଭୂସ୍ଖଳନ ହେଉଛି, ଯେଉଁ ଅଞ୍ଚଳରେ ଅଧିକ ତିଖା (slope) ପାହାଡ଼ ରହିଛି । ତାପମାତ୍ରାରେ ଅହେତୁକ ପରିବର୍ତ୍ତନ ଯୋଗୁଁ ପାହାଡ଼ର ଉପରି ଭାଗରେ ଥିବା ଗ୍ଲାସିୟର ହ୍ରଦ ସ୍ଖଳନ ହେଉଛି ।
ରିପୋର୍ଟ ଅନୁସାରେ, ନ୍ୟାସନାଲ ଗ୍ଲାସିଅଲ ଲେକ ଆଉଟବର୍ଷ୍ଟ ଫ୍ଲଡ ରିସ୍କ ମିଟିଗେସନ ପ୍ରୋଗ୍ରାମ ( National Glacial Lake Outburst Floods Risk Mitigation Programme)କୁ କେନ୍ଦ୍ର ସରକାର ଜୁଲାଇ ୨୫ରେ ଅନୁମୋଦନ କରିଛନ୍ତି । ଏହା ସିକିମରେ ଅବସ୍ଥିତ ୬ଟି ଗ୍ଲାସିୟର ହ୍ରଦର ଭୌଗଳିକ ସ୍ଥିତି, ଗଭୀରତା ଏବଂ ଆକାର ସମେତ ସମସ୍ତ ଦିଗର ଅନୁଧ୍ୟାନ କରିବା ସହ, ଜିଓ ଫିଜିକାଲ ସ୍ଥିତିର ଅନୁସନ୍ଧାନ ଏବଂ ମୂଲ୍ୟାଙ୍କନ କରିବ । ଇଲେକ୍ଟ୍ରିକାଲ ରେଜିଷ୍ଟିଭିଟି ଟୋମୋଗ୍ରାଫି ସର୍ଭେ ଆଣ୍ଡ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡର ସର୍ଭେ( Electrical Resistivity Tomography Survey and Ground Penetrating Radar Survey) ମାଧ୍ୟମରେ ଏହାର ବିଶ୍ଳେଷଣ ଏବଂ ଅନୁଧ୍ୟାନ କରାଯିବ ।
ଯେଉଁ ଗ୍ଲାସିଆଲ ହ୍ରଦଗୁଡ଼ିକ ବିପଦଜନକ ସ୍ଥିତିରେ ଅଛି, ସେଗୁଡ଼ିକୁ ସଠିକ ଭାବେ ମ୍ୟାପିଂ କରିବା ଏବଂ ମୂଲ୍ୟାଙ୍କନ କରିବା ଜରୁରୀ । ଏହି ଅଞ୍ଚଳରେ ଘର ଦ୍ବାର ନିର୍ମାଣ, ଜନବସତି ଗଢ଼ିଉଠିବା, ରାସ୍ତା ଘାଟ ତିଆରି, ପୋଲ, ଟନେଲ ଏବଂ ଜଳ ବିଦ୍ୟୁତ ପ୍ରକଳ୍ପ ପ୍ରତିଷ୍ଠା କରିବା ଦ୍ବାରା ପ୍ରାକୃତିକ ବିପର୍ଯ୍ୟୟ ବିପର୍ଯ୍ୟୟ ସୃଷ୍ଟି ହେବାର ପ୍ରମୁଖ କାରଣ ସାଜିଛି । ତେଣୁ ବର୍ତ୍ତମାନ ସମୟରେ ବିକାଶମୂଳକ କାର୍ଯ୍ୟକ୍ରମର ଗମ୍ଭୀରତା ସହ ପୁନର୍ବିଚାର କରିବା ଉଚିତ । ଏହାସହ ହିମାଳୟ ପର୍ବତମାଳାରେ ପର୍ଯ୍ୟଟନର ସଂପ୍ରସାରଣ ଏବଂ ଜଳବାୟୁ ପରିବର୍ତ୍ତନ ବିପର୍ଯ୍ୟୟର କାରଣ ହେଉଛି ।
ଏହାମଧ୍ୟ ପଢ଼ନ୍ତୁ: OPINION: ଚୀନକୁ କାଉଣ୍ଟର କରିବାକୁ ହାତ ମିଳାଇଲେ ଭାରତ-ଜାପାନ, ପ୍ରତିରକ୍ଷା ସୁଦୃଢ଼ ଉପରେ ଗୁରୁତ୍ବ - Third Indo Japan Dialogue
ଏହାମଧ୍ୟ ପଢ଼ନ୍ତୁ: ଗ୍ଲୋବାଲ-ସାଉଥର ସ୍ୱର ଏବେ ଭାରତ - India as Voice of the Global South
ଏହାମଧ୍ୟ ପଢ଼ନ୍ତୁ: ଉତ୍ତରା ରାମାୟଣ ସତରେ ବାସ୍ତବିକ ? କଣ କହୁଛି ତର୍କ - Uttara Ramayana