ହାଇଦ୍ରାବାଦ:ଭାରତ ଏକ ବ୍ୟାପକ ସହରୀ ରୂପାନ୍ତିକରଣ ପାଇଁ ପ୍ରସ୍ତୁତ । 2050 ସୁଦ୍ଧା ଭାରତର ସହରଗୁଡିକରେ ପ୍ରାୟ 416 ମିଲିୟନ ଲୋକ ଯୋଡି ହେବାର ଅନୁମାନ କରାଯାଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଭାଷଣରେ ଦେଶର ସାମଗ୍ରିକ ବିକାଶ ପଥରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ସହରଗୁଡିକୁ 'ଅଭିବୃଦ୍ଧି ହବ୍' ଭାବେ ପରିକଳ୍ପନା କରିଥିଲେ । ହେଲେ ଗରିବୀ ଓ ଆର୍ଥିକ ଅସମାନତା ବ୍ୟତୀତ ଭିତ୍ତିଭୂମି ଏବଂ ସେବାର ଅଭାବ ଆଜି ବି ଆମ ସହରଗୁଡିକରେ ବଡ଼ ସମସ୍ୟା ହୋଇରହିଛି । ତେଣୁ ସହରାଞ୍ଚଳ ବିକାଶ ପାଇଁ ଏକ ସ୍ଥାୟୀ ରଣନୀତିର ଆବଶ୍ୟକତାକୁ ହୃଦୟଙ୍ଗମ କରି ବିଗତ କିଛି ବର୍ଷ ହେଲା କେନ୍ଦ୍ରୀୟ ବଜେଟରେ ଆବଣ୍ଟନ ରାଶି ବୃଦ୍ଧି କରାଯାଉଛି ।
2024-25 ପୂର୍ଣ୍ଣାଙ୍ଗ ବଜେଟରେ ସରକାରଙ୍କ 'ବିକଶିତ ଭାରତ'ର ଲକ୍ଷ୍ୟ ସାଧନ ପାଇଁ ସହରାଞ୍ଚଳ ବିକାଶକୁ ବେଶ୍ ଗୁରୁତ୍ବ ଦିଆଯାଇଛି । ଚଳିତ ବଜେଟରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ନିମନ୍ତେ ରେକର୍ଡ 82 ହଜାର 576.57 କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଯାହାକି 2023-24 ବଜେଟ ଠାରୁ 19 ପ୍ରତିଶତ ଅଧିକ । ଗତବର୍ଷ ବଜେଟରେ ଏହି ପରିମାଣ 69 ହଜାର 270.72 କୋଟି ଥିଲା । ସହରାଞ୍ଚଳ ବିକାଶରେ ଅସଂଖ୍ୟ ଆହ୍ବାନଗୁଡିକୁ ଦୃଷ୍ଟିରେ ରଖି ଚଳିତ ବଜେଟ ବ୍ୟୟବରାଦ ପରିମାଣ ବୃଦ୍ଧି ବାସ୍ତବରେ ପ୍ରଶଂସାଯୋଗ୍ୟ ।
ବିଭିନ୍ନ ଯୋଜନା ପାଇଁ 2023-24 ଏବଂ 2024-25 ବଜେଟରେ ଆବଣ୍ଟନ ରାଶିକୁ ତୁଳନା କଲେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ର ପ୍ରୟୋଜିତ ଯୋଜନା ଲାଗି 2024-25 ବଜେଟରେ ବ୍ୟୟଅଟକଳ ଯଥାକ୍ରମେ 9.5 ଓ 26 ପ୍ରତିଶତ ବୃଦ୍ଧି ହୋଇଛି । କେନ୍ଦ୍ର ପ୍ରୟୋଜିତ ଯୋଜନା ପାଇଁ ଆବଣ୍ଟିତ ସମୁଦାୟ ବଜେଟ ରାଶିରେ 62 ପ୍ରତିଶତ କେବଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ(ସହର) ବ୍ୟୟ କରାଯିବ । ଗତବର୍ଷ ବଜେଟରେ PMAY(U) ପାଇଁ 22 ହଜାର 103.03 କୋଟି ଦିଆଯାଇଥିବାବେଳେ ଚଳିତ ବର୍ଷ ଏହି ପରିମାଣ 30 ହଜାର 170.61 କୋଟିରେ ପହଞ୍ଚିଛି ।
ସେହିପରି ସହରାଞ୍ଚଳରେ କ୍ରେଡିଟ ଲିଙ୍କଡ ସବସିଡି ସ୍କିମରେ ଗୃହ ନିର୍ମାଣ ଲାଗି ନିମ୍ନ ଆୟବର୍ଗ ପାଇଁ 3000 କୋଟି ଏବଂ ମଧ୍ୟମ ଆୟ ବର୍ଗ ପାଇଁ 1000 କୋଟି ଟଙ୍କା ଆବଣ୍ଟିତ ହୋଇଛି । ଯାହାକି ଏହି ଆର୍ଥିକ ଅନଗ୍ରସର ବର୍ଗର ଆବାସ ଆବଶ୍ୟକତା ପୂରଣ କରିବାରେ ଉପଯୋଗୀ ହେବ । ତେବେ ଆବାସ ମିଶନରେ PMAY (U) ବିଏଲସି (BLC) ଯୋଜନା ଅଧିକ ସଫଳ ସାବ୍ୟସ୍ତ ହୋଇଛି । କେବଳ ଏହି ଯୋଜନାରେ 63 ପ୍ରତିଶତ ଲୋକଙ୍କୁ ଆବାସ ଯୋଗାଇ ଦିଆଯାଇଛି ।
ସହରର ପିଏମଏୱାଇ ଆଇଏସଏସଆର ( Insitu re-development of slums) ଅଧିନରେ ସରକାର ସହରର ବସ୍ତିବାସିନ୍ଦାକୁ ଆବାସ ପ୍ରଦାନ କରିବାକୁ ପଦକ୍ଷେପ ନେଇଛନ୍ତି । ହେଲେ କେବଳ 2.5 ପ୍ରତିଶତ ବସ୍ତିବାସିନ୍ଦା ଏଥିରେ ଉପକୃତ ହୋଇପାରିଛନ୍ତି । ଏହାର କାରଣ ହେଲା ସହରାଞ୍ଚଳ ଗରୀବଙ୍କ ଏକ ବଡ଼ ଭାଗ, ଖାସ୍ କରି ବସ୍ତିରେ ରହୁଥିବା ଲୋକଙ୍କ ପାଖରେ ନିଜର ଜମି ଅଧିକାର ନାହିଁ । ଯେଉଁ କାରଣରୁ ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ୍ ପଡୁଛନ୍ତି । ଫଳରେ ଏହି ଯୋଜନାରେ ସହରାଞ୍ଚଳରେ ରହୁଥିବା ଗରିବଙ୍କ ତୁଳନାରେ ମଧ୍ୟମ ଓ ଉଚ୍ଚ ଆୟ ବର୍ଗ ଅଧିକ ଫାଇଦା ପାଉଛନ୍ତି । ତେବେ ଯଦି ଜିଆଇଏସ ମ୍ୟାପିଂ ସହିତ ଜମି ରେକର୍ଡଗୁଡିକର ଡିଜିଟାଲାଇଜେସନ ଠିକ୍ ଭାବେ କାର୍ଯ୍ୟକାରୀ ହୁଏ, ତାହେଲେ ଗରିବଙ୍କୁ ଜମି ଅଧିକାର ପ୍ରଦାନରେ ପ୍ରଶାସନିକ ସମସ୍ୟା ଦୂର ହୋଇପାରିବ । ସେହିପରି ଶିଳ୍ପ ଶ୍ରମିକମାନଙ୍କ ପାଇଁ ଡର୍ମିଟୋରୀ ପ୍ରକାରର ଆବାସ ସହିତ ଭଡା ଗୃହ ପିପିପି ମୋଡରେ ଉପଲବ୍ଧ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ଏହାପୂର୍ବରୁ 2020ରେ କେନ୍ଦ୍ର ସରକାର ସହରୀ ଗରିବ, ବିଶେଷକରି କୋଭିଡ-19 ଦ୍ବାରା ଗୁରୁତର ପ୍ରଭାବିତ ପ୍ରବାସୀଙ୍କ ଆବାସ ଆବଶ୍ୟକତା ପୂରଣ କରିବା ପାଇଁ PMAY- (U) ଅନ୍ତର୍ଗତ Affordable Rental Housing Complexes (ARHCs) ବ୍ୟବସ୍ଥା କରିଥିଲେ । ସହରରେ ଖାଲି ପଡିଥିବା ଘରଗୁଡିକୁ ପିପିପି (Public-Private Partnership) ମାଧ୍ୟମରେ ଭଡାସୂତ୍ରରେ ଦେବା ତଥା ସରକାରୀ ଓ ଘରୋଇ ସଂସ୍ଥା ଦ୍ବାରା ଉପଲବ୍ଧ ଖାଲି ଜାଗାରେ ଭଡା ଘର ନିର୍ମାଣ କରିବାର ପ୍ରାବଧାନ ରହିଥିଲା । କିନ୍ତୁ ଏହି ଯୋଜନାରେ ନିର୍ମିତ ଆବାସଗୁଡିକୁ ଅନ୍ନୁନତ ସ୍ଥାନ, ମୌଳିକ ସହରୀ ସୁବିଧାର ଅଭାବ ଭଳି ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଲା ।