ଲେଖକ- ଡକ୍ଟର ଅନନ୍ତ ଏସ
ହାଇଦ୍ରାବାଦ: ଆସନ୍ତାକାଲି ଭାରତୀୟ ସମ୍ବିଧାନ ତାର ୭୫ ବର୍ଷ ପାଳନ କରିବ । ୧୯୪୭ ପୂର୍ବରୁ ଦୀର୍ଘ ୧୦୦ ବର୍ଷ ମଧ୍ୟରେ ବିଦେଶୀ ଶାସନ ବିରୁଦ୍ଧରେ ଲକ୍ଷ ଲକ୍ଷ ଲୋକଙ୍କ ବିଭିନ୍ନ ପ୍ରକାରର ବଳିଦାନର ଫଳ ହେଉଛି ଭାରତୀୟ ସମ୍ବିଧାନ । ବ୍ରିଟିଶ ସାମ୍ରାଜ୍ୟର ମୂଳଦୁଆକୁ ଦୋହଲାଇ ଦେଇଥିବା ଭାରତୀୟ ଜାତୀୟ ଆନ୍ଦୋଳନ ଗାନ୍ଧୀ ଯୁଗରୁ ଆରମ୍ଭ ହୋଇଥିଲା । ଆଜି ମହାତ୍ମା ଗାନ୍ଧୀଙ୍କୁ ସମାଲୋଚନା କରିବା ସହଜ, କିନ୍ତୁ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସକୁ ଏକ ପ୍ରକୃତ ଜନ ଆନ୍ଦୋଳନରେ ପରିଣତ କରିବାରେ ତାଙ୍କର ବଡ଼ ଭୂମିକା ଥିଲା ।
'ଭାରତ ଛାଡ ଆନ୍ଦୋଳନ' ପରି ଆଜି ପର୍ଯ୍ୟନ୍ତ କୌଣସି ଆନ୍ଦୋଳନରେ ମୋଟ ଜନସଂଖ୍ୟାର ଅଧିକାଂଶ ଭାରତୀୟଙ୍କ ଅଂଶଗ୍ରହଣକୁ ଅତିକ୍ରମ କରିପାରି ନାହିଁ । ଏହି ଆନ୍ଦୋଳନ ପରେ ବ୍ରିଟିଶ ଶାସନର କଳା ଯୁଗର ଅନ୍ତ ଘଟିବାକୁ ଯାଉଛି ବୋଲି ଅନୁଭବ କରିପାରିଥିଲେ ଭାରତୀୟ । ଭାରତ ସ୍ବାଧୀନତାର ନିକଟତର ହେବାକୁ ଯାଉଥିବା ବେଳେ ଆମ ଦେଶର ଜାତୀୟ ନେତାମାନେ ଏକତ୍ରିତ ହୋଇ ସମ୍ବିଧାନ ପ୍ରସ୍ତୁତ କରିବା ଭଳି କଷ୍ଟକର କାର୍ଯ୍ୟ କରିବା ଆରମ୍ଭ କଲେ । ସମ୍ବିଧାନକୁ ପ୍ରସ୍ତୁତ କରିବା ସମୟରେ ସମସ୍ତ ବର୍ଗର ଲୋକଙ୍କ ପ୍ରତି ଯଥେଷ୍ଟ ଦୃଷ୍ଟି ଦିଆଯାଇଥିଲା ।
ସମ୍ବିଧାନ ପ୍ରସ୍ତୁତ ଲାଗି ୧୯୪୬ ମସିହା ଡିସେମ୍ବର ୯ ତାରିଖରେ ଦିଲ୍ଲୀରେ ବସିଥିଲା ପ୍ରଥମ ସଭା । ୧୯୪୮ ମସିହା ଫେବୃଆରୀ ମାସରେ ଏହି ସମ୍ବିଧାନର ଚିଠା ପ୍ରକାଶ ପାଇଥିବା ବେଳେ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଭାରତର ସମ୍ବିଧାନ, ସମ୍ବିଧାନ ପ୍ରଣୟନକାରୀ ସାଧାରଣ ସଭାରେ ଅନୁମୋଦିତ ହୋଇଥିଲା । ଏହାପରେ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଏହା କାର୍ଯ୍ୟକ୍ଷମ ହୋଇଥିଲା । ଆମ ସମ୍ବିଧାନ ଦେଶର ଏକତା ବଜାୟ ରଖିବାରେ ବହୁ ସଫଳତା ଲାଭ କରିଛି । ସମ୍ପ୍ରତି ଚିନ୍ତାଜନକ ବିଷୟ ହେଉଛି ଅନେକ ସମୟରେ ଆମ ସମ୍ବିଧାନକୁ ସମାଲୋଚନାର ଶିକାର ହେଉଛି । ସମାଲୋଚକମାନଙ୍କ କହିବା କଥା ' ସମ୍ବିଧାନ ବହୁ ପୁରୁଣା ହୋଇଗଲାଣି, ଯାହାକି ଦେଶର ଆବଶ୍ୟକତାକୁ ପୂରଣ କରିବାରେ ପର୍ଯ୍ୟାପ୍ତ ହେଉନାହିଁ ।'
ଏହା ବି ପଢନ୍ତୁ- ଗଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ରାଷ୍ଟ୍ରକୁ ସମ୍ବୋଧିତ କଲେ ରାଷ୍ଟ୍ରପତି
ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି, କିଛି ଲୋକ ଏହା ବି ଦାବି କରୁଛନ୍ତି ଯେ ସମ୍ବିଧାନକୁ ଆଉ ଥରେ ସଂଶୋଧନ କରିବାର ଆବଶ୍ୟକତା ରହିଛି । ଦୀର୍ଘ ସମୟ ଧରି ସମ୍ବିଧାନର ଅସ୍ତିତ୍ବ ବଜାୟ ରହିଥିଲେ ସୁଦ୍ଧା ଏପରି ଦାବି ନିଶ୍ଚିତ ହାସ୍ୟାସ୍ପଦ । କାରଣ ଆମେରିକା ଭଳି ବିକଶିତ ରାଷ୍ଟ୍ରର ସମ୍ବିଧାନ ୨୦୦ ବର୍ଷ ପୁରୁଣା । ସେହିପରି ଅନ୍ୟତମ ବିକଶିତ ରାଷ୍ଟ୍ର ଜାପାନ ଓ ୟୁରୋପୀୟ ଦେଶଗୁଡ଼ିକର ସମ୍ବିଧାନ ପ୍ରାୟତଃ ଭାରତ ସହିତ ସମାନ । ଏପରି ସ୍ଥିତିରେ ସମାଲୋଚକମାନେ ଭୁଲି ଯାଉଛନ୍ତି ଯେ ୧୯୪୦ରୁ ୧୯୭୦ ମଧ୍ୟରେ ବିଦେଶୀ ଶାସନଠାରୁ ସ୍ବାଧୀନତା ଲାଭ କରିଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ସବୁଠାରୁ ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ।
ଭାରତୀୟ ସମ୍ବିଧାନର ଚିଠା ପ୍ରସ୍ତୁତ କରିବା ଅତ୍ୟନ୍ତ କଠିନ ଥିଲା । ମୂଳ ସମ୍ବିଧାନ ସଭାରେ ମୋଟ ୩୮୯ ସଦସ୍ୟ ଥିଲେ । ଯେଉଁଥିରେ ବ୍ରିଟିଶ ଇଣ୍ଡିଆରୁ ୨୯୨, ଗଡଜାତ ରାଜ୍ୟରୁ ୯୩, ଦିଲ୍ଲୀ-ଅଜମେର-କୁର୍ଗ-ବଲୁଚିସ୍ତାନରୁ ୪ଜଣ ରହିଥିଲେ । ଭାରତ ବିଭାଜନ ପରେ ଧିରେ ଧିରେ ଏହି ସଂଖ୍ୟା ୨୯୯ରେ ପହଞ୍ଚିଥିଲା । ସମ୍ବିଧାନର ଚିଠା ପ୍ରସ୍ତୁତ ଲାଗି ୨ ବର୍ଷ, ୧୧ ମାସ ଓ ୧୮ ଦିନ ସମୟ ଲାଗିଥିଲା । ଡକ୍ଟର ବି.ଆର ଆମ୍ବେଦକରଙ୍କ ନେତୃତ୍ବାଧୀନ କମିଟିକୁ ଏହାର ଶ୍ରେୟ ଦିଆଯାଇଥିଲା । ସମାନତା, ଆଇନର ଶାସନ, କ୍ଷମତାର ପୃଥକତା, ମୌଳିକ ଅଧିକାର, ଅପରାଧିକ ପ୍ରକ୍ରିୟା ତଥା ଗଣତନ୍ତ୍ରକୁ ସୁଦୃଢ କରି ସାମାଜିକ ରୂପାନ୍ତରଣ ଉପରେ ଗୁରୁତ୍ବ ଦିଆଯାଇଥିଲା ।
ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭାରତୀୟ ସମ୍ବିଧାନ ଲାଗି ଦେଶର ନାଗରିକ ଭଲ ସ୍ଥିତିରେ ରହିଛନ୍ତି । ହେଲେ ଆଗାମୀ ବର୍ଷଗୁଡ଼ିକ ବେଶ ମହତ୍ତ୍ବପୂର୍ଣ୍ଣ ରହିବ । ସମ୍ବିଧାନ ସଭାରେ ଏହି ଆଶା ଥିଲା ଯେ ଦେଶର ଉଚ୍ଚ ସଦନ ରାଜ୍ୟସଭା ସର୍ବଦା ଦଳଗତ ତଥା ସଂକୀର୍ଣ୍ଣ ମାନସିକତାଠାରୁ ଊର୍ଦ୍ଧ୍ବରେ ରହିବ । ମାତ୍ର ଏବେ ରାଜ୍ୟସଭା ଏପରି ସ୍ଥାନ ହୋଇଛି ଯେଉଁଠି ବିରୋଧୀ ଓ ଅନ୍ୟ ସାମ୍ବିଧାନିକ ସଂସ୍ଥା ଉପରେ ଆକ୍ରମଣ କରାଯାଉଛି । ଏବେ ଚିନ୍ତାଜନକ ବିଷୟ ହେଉଛି ମୌଳିକ ଅଧିକାରର ସୀମାକୁ ସୀମିତ କରିବାକୁ ପ୍ରୟାସ, ସାମ୍ବିଧାନିକ ଶକ୍ତିକୁ କମ କରିବା ଲାଗି ଆଇନ ପାରିତ କରିବା ପ୍ରୟାସ ହେଉଛି ।
ସମ୍ପ୍ରତି ରାଜନୈତିକ ଦଳ, ଗୋଷ୍ଠୀ ଓ ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ବୁଝିବାକୁ ପଡିବ ଯେ ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ପରିବର୍ତ୍ତନ ପ୍ରକୃତିର ନିୟମ । ଏହା ସତ୍ତ୍ବେ ଏକୀକରଣ, ସାର୍ବଜନିକ ଉତ୍ସକୁ ଘରୋଇକରଣ କରିବା ବେଶ ଚିନ୍ତାଜନକ ବିଷୟ । ଏହାଦ୍ବାରା ସମ୍ବିଧାନର ଧାରା ୪୪ ସମ୍ପତ୍ତିର ମୌଳିକ ଅଧିକାରକୁ ହଟାଇବାର ଭୁଲ କାର୍ଯ୍ୟପନ୍ଥାକୁ ଦର୍ଶାଉଛି । ସେପଟେ ନୂଆ ପ୍ରଯୁକ୍ତିବିଦ୍ୟାର ସହାୟତାରେ କାର୍ଯ୍ୟକାରୀ ୱିଙ୍ଗ 'ସାର୍ବଜନିକ ହିତ' ନାମରେ ମହତ୍ତ୍ବପୂର୍ଣ୍ଣ ଅଧିକାରକୁ ନଷ୍ଟ କରିବା ଚିନ୍ତାଜନକ ବିଷୟ ପାଲଟିଛି । ଏପରି ବଜାୟ ରହିଲେ ସମ୍ବିଧାନର ଧାରା ୧୯ ଓ ୨୧ର ବିଭିନ୍ନ ସ୍ବତନ୍ତ୍ରତାର ଅଧିକାରକୁ କ୍ଷୁଣ୍ଣ କରିବ ।
(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ)