ଶୀତ ଦିନେ ଅଧିକାଂଶ ଲୋକେ ଖରାରେ ବସିବାକୁ ପସନ୍ଦ କରନ୍ତି । ସୂର୍ଯ୍ୟକିରଣରୁ ଶରୀରକୁ ଭିଟାମିନ-ଡି ମିଳେ । ହେଲେ ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଅନେକ ଲୋକ ସକାଳେ ଖରାରେ ବସି ପାରୁନାହାନ୍ତି । ଆଉ କିଛି ତ୍ବଚା କଳା ପଡିବା ଭୟରେ ଖରାରେ ବସିବାକୁ ଏଡାନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଚର୍ମ ଓ ଶରୀରକୁ ସୁସ୍ଥ ରଖିବାରେ ସକାଳର ସୂର୍ଯ୍ୟକିରଣ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଖରାରେ ବସିଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ମାଂସପେଶୀ ଓ ହାଡ ମଜଭୁତ କରିବା ପାଇଁ ସୂର୍ଯ୍ୟକିରଣ ଲାଭଦାୟକ । ସେହିପରି ଯେଉଁମାନଙ୍କ ନିଦ୍ରା ସମସ୍ୟା ରହିଛି ସେମାନଙ୍କ ପାଇଁ ସୂର୍ଯ୍ୟକିରଣ ଏକ ଭଲ ଉପାୟ ।
NIH ଦ୍ବାରା କରାଯାଇଥିବା ଏକ ଅନୁସନ୍ଧାନ ଅନୁଯାୟୀ, ଶରୀର ପାଇଁ ଆବଶ୍ୟକ ହେଉଥିବା ଅଧିକାଂଶ ଭିଟାମିନ ଡି ସୂର୍ଯ୍ୟକିରଣରୁ ଆସିଥାଏ । ଏକ ସୁସ୍ଥ ଜୀବନଶୈଳୀ ପାଇଁ ସୂର୍ଯ୍ୟକିରଣ ଲାଭଦାୟକ । ଏହା କେବଳ ଶାରୀରିକ ନୁହେଁ ମାନସିକ ସ୍ବାସ୍ଥ୍ୟ ମଧ୍ୟ ଉନ୍ନତ କରିଥାଏ ।
ଖରାରେ ବସିବାର ଠିକ୍ ସମୟ
ଶୀତ ଦିନେ ଅଧିକ ଥଣ୍ଡା ଲାଗୁଥିବାରୁ ଲୋକମାନେ ଖରାରେ ବସିବାକୁ ଭଲ ପାଆନ୍ତି । କିଛି ଲୋକ ତ ଘଣ୍ଟା ଘଣ୍ଟା ଧରି ଖରାରେ ବସି ରୁହନ୍ତି । ହେଲେ ଏହାର କିଛି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇପାରେ । ସୂର୍ଯ୍ୟକିରଣରେ ଦୀର୍ଘ ସମୟ ରହିବା ଦ୍ବାରା ଚର୍ମରେ ଦାଗ, କୁଞ୍ଚନ ହୋଇପାରେ । ସାଧାରଣ ଦିନରେ ଆପଣ ସକାଳ 8ରୁ 11ଟା ଭିତରୁ ଖରାରେ ବସି ପାରିବେ । ନ୍ୟାସନାଲ ଲାଇବ୍ରେରୀ ଅଫ ମେଡିସିନ ଅନୁସାରେ, ଶୀତ ଋତୁରେ ଭିଟାମିନ ଡି ପାଇବା ପାଇଁ ସକାଳ 11ରୁ ମଧ୍ୟାହ୍ନ 2ଟା ମଧ୍ୟରେ ସମୟ ଭଲ ।
କେତେ ସମୟ ରହିବେ:ସୂର୍ଯ୍ୟକିରଣ ଭିଟାମିନ-ଡି'ର ଏକ ଭଲ ଉତ୍ସ । ଏଥିରୁ ସର୍ବାଧିକ ଲାଭ ପାଇଁ ସକାଳେ 20ରୁ 30 ମିନିଟ୍ ପର୍ଯ୍ୟନ୍ତ ଖରାରେ ରୁହନ୍ତୁ । ହେଲେ ଅଧିକ ସମୟ ରହିବା କ୍ଷତିକାରକ ହୋଇପାରେ । ସୂର୍ଯ୍ୟକିରଣରୁ ଆପଣଙ୍କ ଚର୍ମକୁ ସୁରକ୍ଷିତ ରଖିବା ପାଇଁ ଉପଯୁକ୍ତ ପୋଷାକ ପିନ୍ଧନ୍ତୁ । ମୁହଁରେ ସନସ୍କ୍ରିନ ଲଗାଇବା ଜରୁରୀ ।
ସୂର୍ଯ୍ୟକିରଣରୁ ଶରୀରକୁ ଫାଇଦା:
ରୋଗ ପ୍ରତିରୋଧକ ଶକ୍ତି ବଢେ: ସୂର୍ଯ୍ୟକିରଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଯାହାଦ୍ବାରା ଅନେକ ରୋଗରୁ ସୁରକ୍ଷା ମିଳିଥାଏ ।