Malai paneer recipe:ସବୁବେଳେ ଗୋଟିଏ ଷ୍ଟାଇଲରେ ପନିର ତରକାରୀ ଖାଇ ବିରକ୍ତ ଲାଗିଲାଣି ?ପନିରରେ କିଛି ନୂଆ ଡିସ୍ ବନାଇବାକୁ ଚାହୁଁଛନ୍ତି ? ତାହେଲେ ଆଜି ଆମେ ଆପଣଙ୍କ ପାଇଁ ନେଇଆସୁଛି ମଲାଇ ପନିର ରେସିପି । ପୁରା ରେସ୍ତୋରାଁ ଷ୍ଟାଇଲରେ ଘରେ ଆପଣ ଏହି ସୁଆଦିଆ ପନିର ଡିସ୍ ବନାଇ ପାରିବେ ଓ ପରିବାର ଲୋକଙ୍କୁ ଖୁଆଇ ପାରିବେ ।
ଆବଶ୍ୟକୀୟ ସାମଗ୍ରୀ
- କ୍ଷୀର
- ପନିର
- କାଜୁ
- ପିଆଜ
- ଅଦା
- ଲଙ୍କାଗୁଣ୍ଡ, ଜିରାଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସାଲା
- ହଳଦୀ, ଲୁଣ
- ଘିଅ
- ତେଲ
- କସୁରୀ ମେଥି
ପ୍ରସ୍ତୁତ ପ୍ରଣାଳୀ:
ମଲାଇ ପ୍ରସ୍ତୁତ ପାଇଁ- ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ରରେ କ୍ଷୀର ଫୁଟାନ୍ତୁ । କ୍ଷୀର ଫୁଟି ତା' ଉପରେ ବହଳିଆ ସର ବସିଲେ ସେହି ସରକୁ ଆଣି ଆଉ ଏକ ପାତ୍ରରେ ରଖନ୍ତୁ । ଏମିତି ଗୋଟେ କପ୍ ସର ବାହାର କରି ଏକ ମକ୍ସଚର ଜାରରେ ଗ୍ରାଇଣ୍ଡ କରିଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ମଲାଇ ।
ବର୍ତ୍ତମାନ ମଲାଇ ପନିର ବନାଇବା ପାଇଁ ବଜାରରୁ ପନିର ଆଣି ଛୋଟ ଛୋଟ ପିସ୍ କରି କାଟି ଦିଅନ୍ତୁ । ଏକ କଡେଇରେ ଦୁଇ ଚାମଚ ତେଲ ଗରମ କରନ୍ତୁ । ଏଥିରେ ଦୁଇଟି କଟା ପିଆଜ, କଟା ଅଦା, ଦୁଇଟି ଲଙ୍କା ଓ କାଜୁ ପକାଇ ଭାଜନ୍ତୁ । ପିଆଜ ଗୋଲ୍ଡେନ ରଙ୍ଗ ଦେଖାଗଲେ ଏଥିରେ ଦୁଇଟି କଟା ଟମାଟୋ ପକାଇ 5 ମିନିଟ୍ ଗୋଳାନ୍ତୁ । 5 ମିନିଟ୍ ପରେ ଏହି ମସାଲା ବାହାର କରି ଥଣ୍ଡା ହେବାକୁ ରଖନ୍ତୁ । ଥଣ୍ଡା ହୋଇଗଲା ପରେ ଏଥିରେ ଅଳ୍ପ ପାଣି ଦେଇ ଭଲ ଭାବରେ ଗ୍ରାଇଣ୍ଡ କରିଦିଅନ୍ତୁ । ଏବେ ସେହି କଡେଇରେ ଦୁଇ ଚାମଚ ଘିଅ ଓ ଦୁଇ ଚାମଚ ତେଲ ଗରମ କରନ୍ତୁ । ଏହାପରେ ତେଲରେ ଏକ ଚାମଚ ହଳଦୀ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ଜିରାଗୁଣ୍ଡ, ଗରମ ମସାଲା ଓ ସ୍ବାଦ ଅନୁସାରେ ଲୁଣ ମିଶାଇ କିଛି ସମୟ ଗୋଳାନ୍ତୁ । ଗ୍ୟାସ୍ ଆଞ୍ଚ ଧୀମା ରଖନ୍ତୁ ।
ତା' ପରେ ଗ୍ରାଇଣ୍ଡ କରିଥିବା ମସାଲା ପେଷ୍ଟ ମିଶାଇ 5 ମିନିଟ୍ କଷନ୍ତୁ । ଭଲରେ କଷି ହେବା ପାଇଁ ଅଳ୍ପ ପାଣି ଦିଅନ୍ତୁ । ମସାଲାକୁ 5 ମିନିଟ୍ ଘୋଡାଇ ରଖନ୍ତୁ । ଏବେ ସେଥିରେ ଫ୍ରେସ ମଲାଇ ମିଶାନ୍ତୁ । ଫ୍ଲେଭର ବାଲାନ୍ସ ପାଇଁ ଏଥିରେ ଅଧା ଚାମଚ ଚିନି ପକାଇପାରିବେ । ଏବେ ମସାଲାରେ ଗୋଟିଏ କପ୍ ପାଣି ଦେଇ ଘୋଡାଇ 5 ମିନିଟ୍ ପାଇଁ ଛାଡି ଦିଅନ୍ତୁ । ମସାଲାରୁ ତେଲ ଛାଡିବା ପରେ ଏଥିରେ ପନିର୍ ପକାନ୍ତୁ ଏବଂ ତରକାରୀକୁ କିଛି ସମୟ ଫୁଟିବାକୁ ଛାଡିଦିଅନ୍ତୁ । ସେଥିରେ ଅଳ୍ପ କସୁରୀ ମେଥି ମିଶାଇ ଆଉ 5 ମିନିଟ୍ ପାଇଁ ଘୋଡାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ମଲାଇ ପନିର । ଏହାକୁ ଆପଣ ରୁଟି ନହେଲେ ନାନ୍ ସହିତ ଖାଇପାରିବେ ।