ଶୀତ ଦିନେ ଚର୍ମ ସମସ୍ୟା ସାଧାରଣ ହୋଇଥାଏ । ଶୀତଳ ପବନ ଓ ଶୁଷ୍କ ପାଗ ଆମ ଚର୍ମକୁ ଶୁଖିଲା ଓ ରୁକ୍ଷ କରିଦିଏ । ଏହି କାରଣରୁ ଓଠ, ହାତଗୋଡ ଫାଟିବା ଭଳି ସମସ୍ୟା ଦେଖାଯାଏ । ଧୀରେ ଧୀରେ ଚେହେରାରୁ ଚମକ କମିବା ଆରମ୍ଭ କରେ । ତେଣୁ ଶୀତ ଋତୁରେ ନିଜ ଚର୍ମର ବିଶେଷ ଯତ୍ନ ନେବା ଆବଶ୍ୟକ । ଏନେଇ ବିଶେଷଜ୍ଞଙ୍କ କହିବା କଥା, ଶୀତ ଦିନ ଆମର ସ୍ବାସ୍ଥ୍ୟ ଓ ଚର୍ମ ପାଇଁ ଅନୁକୂଳ ହୋଇନଥାଏ । ଏହି ସମୟରେ ଆମର କିଛି ସାଧାରଣ ଭୁଲ୍ ଡ୍ରାଏନେସ ସମସ୍ୟାକୁ ଆହୁରି ବଢାଇଦିଏ ଏବଂ ଚେହେରାରୁ ପ୍ରାକୃତିକ ଚମକ କମିଯାଏ । ତେବେ ଉପଯୁକ୍ତ ଯତ୍ନ ଏବଂ ଅଭ୍ୟାସ ମାଧ୍ୟମରେ ଆମେ ନିଜ ତ୍ବଚାର ଚମକ ବଜାୟ ରଖିପାରିବା ।
ଏହି ଖବରରେ ଜାଣନ୍ତୁ 5ଟି ଭୁଲ୍ ଯାହା ଶୀତ ଦିନେ ଆପଣଙ୍କ ଚର୍ମ ସମସ୍ୟା ଅଧିକ ବଢାଇଥାଏ ।
କମ୍ ପାଣି ପିଇବା:ସାଧାରଣତଃ ଶୀତ ଦିନେ ଥଣ୍ଡା ପାଗ ଯୋଗୁଁ କମ୍ ଶୋଷ ଲାଗିଥାଏ । ତେଣୁ ଲୋକମାନେ ମଧ୍ୟ କମ୍ ପାଣି ପିଇଥାନ୍ତି । ଏହାଦ୍ବାରା ଶରୀର ଡିହାଇଡ୍ରେଟ ହୋଇଯାଏ । ଡ୍ରାଏନେସ ସମସ୍ୟା ବଢିଯାଏ ଏବଂ ଚର୍ମ ରୁକ୍ଷ ହୋଇଯାଏ । ପାଣି କେବଳ ଚର୍ମକୁ ମଇଶ୍ଚରାଇଜ କରେ ନାହିଁ ବରଂ ଶରୀରରୁ ବିଷାକ୍ତ ଏବଂ ବର୍ଜ୍ୟ ପଦାର୍ଥ ବାହାର କରିବାରେ ମଧ୍ୟ ସାହାଯ୍ୟ କରେ । ଏଥିପାଇଁ ଶୀତ ଦିନେ ଦୈନିକ 8ରୁ 10 ଗ୍ଲାସ ପାଣି ପିଇବା ଉଚିତ୍ ।
ମଇଶ୍ଚରାଇଜର ବ୍ୟବହାର ନକରିବା: ଥଣ୍ଡା ବାୟୁ ତ୍ବଚାରୁ ନମନୀୟତା କମାଇ ଶୁଷ୍କ କରିଦିଏ । ଏପରି ସ୍ଥଳେ ଯଦି ଆପଣ ମଇଶ୍ଚରାଇଜର ଲଗାଉ ନାହାନ୍ତି ତେବେ ଚର୍ମ ଫାଟିବା ସହ ମଳିନ ଦେଖାଯାଏ । ଶୀତରୁ ତ୍ବଚାକୁ ହାଇଡ୍ରେଟ ରଖିବା ପାଇଁ ନିୟମିତ ଭାବେ ମଇଶ୍ଚରାଇଜର ବ୍ୟବହାର କରିବା ଉଚିତ୍ । ଖାସ୍ କରି ଗାଧୋଇବା ପରେ ହାତଗୋଡ ଓ ମୁହଁରେ ଲଗାନ୍ତୁ ।
ଗରମ ପାଣିରେ ଗାଧୋଇବା:ଶୀତ ଦିନେ ଥଣ୍ଡା ପାଣି ଦେଖିବା ମାତ୍ରେ ଡର ଲାଗେ । ଗରମ ପାଣିରେ ଆରାମ ଲାଗିଥାଏ । ଏହି କାରଣରୁ ଅଧିକାଂଶ ଲୋକେ ଶୀତ ଦିନେ ଗରମ ପାଣିରେ ଗାଧୋଇଥାନ୍ତି । ହେଲେ ଆପଣ ଜାଣନ୍ତି କି, ଗରମ ପାଣିରେ ଗାଧୋଇବା ଦ୍ବାରା ଚର୍ମରୁ ପ୍ରାକୃତିକ ତୈଳ ନଷ୍ଟ ହୋଇଯାଏ । ଏହାଦ୍ବାରା ଚର୍ମ ରୁକ୍ଷ ଓ ଶୁଷ୍କ ହୋଇଯାଏ । ଶୀତରେ ନଖ ଉଷୁମ ପାଣିରେ ଗୋଧୋଇବା ଭଲ । ଗାଧୋଇବା ପରେ ମଇଶ୍ଚରାଇଜର ଲଗାଇବାକୁ ଭୁଲିବେ ନାହିଁ ।