ସାନା: ୟେମେନରେ ଆମେରିକା ଓ ବ୍ରିଟେନର ମିଳିତ ଏୟାରଷ୍ଟ୍ରାଇକରେ 37 ଜଣଙ୍କ ଜୀବନ ଯାଇଥିବା ବେଳେ ପାଖାପାଖି 30 ଜଣ ଆହତ ହୋଇଥିବା ନେଇ ଦାବି କରିଛି ୟେମେନର ହାଉତି ସଂଗଠନର ନେତା ଅବଦୁଲ ମଲିକ ଏଲ- ହାଉତି । ଗୁରୁବାର ଦିନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏଭଳି ତଥ୍ୟ ଜାରି କରିଛି ଅବଦୁଲ ମଲିକ । ଆଉ ମଧ୍ୟ ଗତ ନଭେମ୍ୱର ମାସରୁ ଏବେସୁଦ୍ଧା ପାଖାପାଖି 90 ଜାହାଜକୁ ମଧ୍ୟ ଟାର୍ଗେଟ କରାଯାଇଥିବା କହିଛି ହାଉତି ନେତା ।
ଗତବର୍ଷ ଅକ୍ଟୋବର ମାସରୁ ଆରମ୍ଭ ହୋଇଥିବା ଇସ୍ରାଏଲ- ଗାଜା ଯୁଦ୍ଧ ଏବେ ସମଗ୍ର ମଧ୍ୟପ୍ରାଚ୍ୟ ଦେଶରେ ବ୍ୟାପି ଚାଲିଛି । 2 ଦେଶ ମଧ୍ୟରେ ଯୁଦ୍ଧ ଏବେ ବିଶ୍ୱକୁ 2 ଫାଳ କରିବା ଭଳି ଦେଖାଗଲାଣି । ଯାହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡୁଛି । ପାଲେଷ୍ଟାଇନକୁ ଇସଲାମୀୟ ଦେଶ ଗୁଡିକ ସମର୍ଥନ କରିଆସୁଥିବା ବେଳେ ଇସ୍ରାଏଲକୁ ଆମେରିକା, ବ୍ରିଟେକ ପ୍ରମୁଖ ଶକ୍ତିଶାଳୀ ଦେଶ ଦୃଢ ସମର୍ଥନ ଦେଇ ଆସୁଛନ୍ତି । ଏହାମଧ୍ୟରେ ପାଲେଷ୍ଟାଇନ ସମର୍ଥନରେ ୟେମେନରେ ରାଜୁତି ଚଳାଇଥିବା ସଂଗଠନ ହାଉତି ବିଦ୍ରୋହୀ ଲୋହିତ ସାଗରରେ ନିଜର ସ୍ଥିତି ଜାହିର କରିବାରେ ଲାଗିଛି । ଗତବର୍ଷ ନଭେମ୍ବର ମାସଠାରୁ ୟେମେନରେ ହାଉତି ବିଦ୍ରୋହୀ ଲୋହିତ ସାଗର ଜଳପଥରେ ବିଭିନ୍ନ ଆନ୍ତର୍ଜାତୀୟ ଜଳଜାହାଜ ଗୁଡିକ ଉପରେ ଆକ୍ରମଣ ଜାରି ରଖିଛି । ଯାହାର ପ୍ରଭାବ ଆମେରିକା, ବ୍ରିଟେନ ତଥା ପୁରା ବିଶ୍ୱର ଅର୍ଥନୀତି ଉପରେ ପଡୁଛି । ତେବେ ହାଉତିକୁ ପ୍ରତିଜବାବ ଦେବାକୁ ଯାଇ ଫେବ୍ରୁଆରୀ ମାସରୁ ଆମେରିକା ଓ ବ୍ରିଟେନ ମିଳିତ ହୋଇ ବିଭିନ୍ନ ସମୟରେ ଏୟାରଷ୍ଟ୍ରାଇକ କରିଆସୁଛନ୍ତି ।