ହାଇଦ୍ରାବାଦ:ଆମେରିକାରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ । ମନ୍ଦିରର କାନ୍ଥରେ ହନ୍ଦୁ ବିରୋଧୀ ଓ ଧମକପୂର୍ଣ୍ଣ ମନ୍ତବ୍ୟ ଲେଖାଯାଇ ପ୍ରବାସୀ ହିନ୍ଦୁ ସମୂଦାୟକୁ ଭୟଭୀତ କରିବାକୁ ପ୍ରୟାସ କରାଯାଇଛି । ଆମେରିକାର ସାକ୍ରାମେଣ୍ଟୋ ଏରିଆରେ ଗତକାଲି ରାତିରେ ଏପରି ଘଟଣା ସାମ୍ନାକୁ ଆସିଛି । BAPS ହିନ୍ଦୁ ମନ୍ଦିର କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ଓ ପ୍ରଶାସନକୁ ଅବଗତ କରିବା ସହ ଟ୍ବିଟ୍ କରିଛି । 10 ଦିନ ତଳେ ସମାନ ଢଙ୍ଗରେ ନ୍ୟୁୟର୍କରେ ଥିବା ହିନ୍ଦୁ ମନ୍ଦିରରେ ହିନ୍ଦୁ ବିରୋଧୀ ଟିପ୍ପଣୀ ଦେଖିବାକୁ ମିଳିଥିଲା ।
- ଘଟଣାକୁ ନିନ୍ଦା କଲା ପ୍ରବାସୀ ହିନ୍ଦୁ ସମାଜ
BAPS ଲୋକ ସମ୍ପର୍କ ବ୍ୟାପାର ୟୁନିଟ୍ ପକ୍ଷରୁ ଘଟଣାକୁ ସାମ୍ନାକୁ ଅଣାଯାଇଛି । ମନ୍ଦିର କାନ୍ଥରେ ‘ହିନ୍ଦୁ ଗୋ ବ୍ୟାକ’ ଓ ଅନ୍ୟ କିଛି ଆପତ୍ତିଜନକ ତଥା ଧମକପୂର୍ଣ୍ଣ ଟିପ୍ପଣୀ ଲେଖାଯାଇଛି । ସଂସ୍ଥା ଟ୍ବିଟ କରି କହିଛି, ନ୍ୟୁୟର୍କର BAPS ମନ୍ଦିରରେ 10 ଦିନ ତଳେ ସମାନ ଘଟଣା ଘଟିଥିଲା । ଗତକାଲି ରାତିରେ ସାକ୍ରାମେଣ୍ଟୋ ଏରିଆରେ ଥିବା ଆମର ମନ୍ଦିରରେ ହିନ୍ଦୁ ବିରୋଧୀ ଘୃଣା ସୃଷ୍ଟିକାରୀ ମନ୍ତବ୍ୟ ଲେଖାଯାଇଛି । “ହିନ୍ଦୁ ଫେରିଯାଅ ” ବୋଲି ମନ୍ଦିର କାନ୍ଥରେ ଲେଖାଯାଇଛି । ଆମେ ସମସ୍ତେ ଏକାଠି ଅଛୁ ଓ ଶାନ୍ତି ପାଇଁ ପ୍ରାର୍ଥନା କରୁଛୁ ।’’
- ସପ୍ତାହରେ ଦ୍ୱିତୀୟ ଘଟଣା:-
ଏହା ପୂର୍ବରୁ 16 ତାରିଖରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ନ୍ୟୁ-ୟର୍କରେ ଥିବା BAPS ସଂସ୍ଥାନର ସ୍ବାମୀ ନାରାୟଣ ମନ୍ଦିର କାନ୍ଥରେ କିଛି ଦୁର୍ବୃତ୍ତ ହିନ୍ଦୁ ବିରୋଧୀ ଓ ଧମକପୂର୍ଣ୍ଣ ଟିପ୍ପଣୀ ଲେଖିଥିଲେ । ନ୍ୟୁ-ୟର୍କର ମେଲଭିଲ ଏରିଆରେ ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ପ୍ରବାସୀ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ସେମାନେ ଏନେଇ ଅଭିଯୋଗ ମଧ୍ୟ କରିଥିଲେ । ଏହାର ସପ୍ତାହେ ନପୂରୁଣ ପୁଣି ଆଉ ଏକ ହିନ୍ଦୁ ମନ୍ଦିରରେ ସମାନ ଘଟଣା ଦେଖିବାକୁ ମିଳିଛି ।