ହାଇଦ୍ରାବାଦ:ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କର ହେବ ଅପରେସନ । ତାଙ୍କର ନେତାନ୍ୟାହୁଙ୍କର ହେବ ହାର୍ନିଆ ଅସ୍ତ୍ରୋପଚାର ହେବାକୁ ଯାଉଥିବା ଟେଲ-ଆଭିବ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଆଜି (ରବିବାର) ତାଙ୍କର ଏହି ଅପରେସନ ହେବାକୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଏହି ଅପରେସନ କରିବ । ତେବେ ଅପରେସନ ପରେ ସେ ସାମୟିକ ଭାବେ ଦାୟିତ୍ବରେ ଅବ୍ୟାହତି ନେଇପାରନ୍ତି । ସେହିପରି ସମୟରେ ଇସ୍ରାଏଲର ଉପ-ପ୍ରଧାନମନ୍ତ୍ରୀ ଲେଭିନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବା ନେଇ ନିଷ୍ପତ୍ତି ହୋଇଛି । ହେଲେ ସେ କେତେ ଦିନ ବିଶ୍ରାମ ନେବେ କିମ୍ବା ଡାକ୍ତରୀ ପରାମର୍ଶରେ ରହିବେ ସେ ନେଇ କୌଣସି ସ୍ପଷ୍ଟତା ଆସିନି ।
ଗତକାଲି (ଶନିବାର ) ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ74 ବର୍ଷୀୟ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ହାର୍ନିଆ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ଅବଶ୍ୟ ତାଙ୍କଠାରେ ପୂର୍ବରୁ ମଧ୍ୟ ଏହି ସମସ୍ୟା ଦେଖାଯାଇଥିଲା । ପରେ ସେ ଏଥିରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ । ଏବେ ପୁଣି ଥରେ ଏହି ସମସ୍ୟା ଦେଖାଯିବା ପରେ ଆଉ ଥରେ ଅପରେସନ ହେବାର ଆବଶ୍ୟକତା ଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ କହିଥିଲା । ଏବେ ତାଙ୍କ ଦ୍ବିତୀୟ ଅପରେସନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସ୍ଥାନୀୟ ସମୟ ଅନୁସାରେ, ଆଜି ଏହି ଅପରେସନ ହେବାକୁ ଯାଉଛି । ଆଜି ଓ୍ବାର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହି ଅପରେସନ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, 2013ରେ ମଧ୍ୟ ସେ ଏହି ପ୍ରକାର ସମସ୍ୟାରେ ସାମ୍ନା କରିଥିଲେ । ସେତେବେଳେ ମଧ୍ୟ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ।