ହାଇଦ୍ରାବାଦ:ସୁଖୀ ରହିବା ଏକ ଲକ୍ଷ୍ୟ ନୁହେଁ, ଏହା ଜୀବନ ବଞ୍ଚିବାର ଏକ ଶୈଳୀ । ଗୋଟିଏ ଦେଶର ନାଗରିକମାନଙ୍କର ଜୀବନ ଶୈଳୀକୁ ନେଇ ସେହି ଦେଶ କେତେ ସୁଖୀ ଆକଳନ କରାଯାଏ । ନିକଟରେ ପ୍ରକାଶ ପାଇଛି ଦ ଓ୍ବାର୍ଲ୍ଡ ହାପିନେସ ରିପୋର୍ଟ ୨୦୨୪ ( ବିଶ୍ୱ ସୁଖୀ ତଥ୍ୟ ୨୦୨୪) । ସାମାଜିକ ସହଯୋଗ, କର୍ମମୟ ଜୀବନରେ ସନ୍ତୁଳନ, ଅର୍ଥନୈତିକ ସ୍ଥିରତା ଭଳି ଦିଗକୁ ନେଇ ଯାଞ୍ଚ କରି ଏହି ରିପୋର୍ଟ ପ୍ରକାଶ କରିଛି କେଉଁ ଦେଶ ସବୁଠୁ ସୁଖୀ । ତେବେ ଅର୍ଥନୈତିକ କ୍ଷେତ୍ରରେ ଆଗରେ ଥିବା ଦେଶ ଅର୍ଥାତ ଆମେରିକା, ବ୍ରିଟେନ, ଚୀନ ଭଳି ରାଷ୍ଟ୍ର ଏହି ରିପୋର୍ଟରେ ଆଗରେ ନାହାନ୍ତି ବରଂ ଛୋଟ ଛୋଟ ଦେଶର ନାଗରିକମାନେ ବେଶ ଖୁସିରେ ଥିବା ରିପୋର୍ଟରୁ ଜଣାପଡିଛି । ତେବେ ଆସନ୍ତୁ ଜାଣିବା ବିଶ୍ୱର ସୁଖୀରେ ଥିବା ୧୦ ଦେଶ ବିଷୟରେ...
ଦଶମ ସ୍ଥାନରେଅଷ୍ଟ୍ରେଲିଆ (Australia): ଏକମାତ୍ର ଅଣୟୁରୋପିଆନ ଦେଶ ଅଷ୍ଟ୍ରେଲିଆ ଶୀର୍ଷ ୧୦ ସୁଖୀ ଦେଶ ମଧ୍ୟରେ ରହିଛି । ଏହାର ହାପିନେସ ସ୍କୋର ୭.୦୫୭ । ଦୃଢ ଅର୍ଥନୀତି, ଗଣତାନ୍ତ୍ରିକ ଅନୁଷ୍ଠାନ ଓ ଉଚ୍ଚମାନର ଜୀବନଶୈଳୀ ମାନଦଣ୍ଡରେ ଅଷ୍ଟ୍ରେଲିଆ ଅନ୍ୟ ଦେଶ ତୁଳନାରେ ବେଶ ଉନ୍ନତ । ଅଷ୍ଟ୍ରେଲିଆ ନାଗରିକମାନଙ୍କର କର୍ମମୟ ଜୀବନ ବେଶ ସନ୍ତୁଳିତ, ପରସ୍ପର ପ୍ରତି ସହଯୋଗୀ ଓ ସୁନ୍ଦର ପରିବେଶରେ ରହି ପ୍ରକୃତିକୁ ଉପଭୋଗ କରିଥାନ୍ତି ।
ଶୀର୍ଷ ୧୦ ଦେଶ ମଧ୍ୟରେ ନବମରେସୁଇଜରଲ୍ୟାଣ୍ଡ (Switzerland): ରିପୋର୍ଟ ଅନୁଯାୟୀ ବିଶ୍ୱର ନବମ ସୁଖୀ ଦେଶ ହେଉଛି ସୁଇଜରଲ୍ୟାଣ୍ଡ । ଅର୍ଥନୈତିକ କ୍ଷେତ୍ରରେ ଏହି ଦେଶ ବେଶ ସୁଦୃଢ । ଏହି ଦେଶର ହାପିନେସ ସ୍କୋର ୭.୦୬୦ । ଅନ୍ୟ ଦେଶ ତୁଳନାରେ ଏହି ଦେଶର ନାଗରିକମାନଙ୍କର ମୁଣ୍ଡପିଛା ଆୟ ବେଶ ଅଧିକ ଓ ଏଠାରେ ଦୁର୍ନୀତି ମଧ୍ୟ କମ ହୋଇଥାଏ । ସୁଇଜରଲାଣ୍ଡ ନାଗରିକ କେବଳ ଆର୍ଥିକ କ୍ଷେତ୍ରରେ ନୁହନ୍ତି ବରଂ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ବେଶ ଉନ୍ନତ । ଏହି ଦେଶର ରାଜନୈତିକ ସ୍ଥିରତା ଓ ପ୍ରତିବଦ୍ଧତା ଏବଂ ପରିବେଶ ସନ୍ତୁଳନ ନାଗରିକମାନଙ୍କୁ ଏକ ସୁସ୍ଥ ଜୀବନଶୈଳୀ ପ୍ରଦାନ କରିଥାଏ ଓ ଦେଶକୁ ସୁଖୀ ବନାଇଥାଏ ।
ଲକ୍ଜମବର୍ଗ (Luxembourg): ୟୁରୋପ ମହାଦ୍ୱୀପରେ ଅବସ୍ଥିତ ଏହି ଛୋଟ ଦେଶଟି ବିଶ୍ୱର ସୁଖୀ ଦେଶ ମଧ୍ୟରେ ଅଷ୍ଟମରେ ରହିଛି । ଏହାର ହାପିନେସ ସ୍କୋର ୭.୧୨୨ । ୟୁରୋପର ଏକ କ୍ଷୁଦ୍ର ଦେଶ ହେଲେ ମଧ୍ୟ ଏହି ଦେଶର ନାଗରିକମାନଙ୍କର ଜୀବନଶୈଳୀ ବେଶ ଉଚ୍ଚମାନର । ଦେଶର ମୁଣ୍ଡପିଛା ଜାତୀୟ ଆୟ ବେଶ ଅଧିକ । ଯାହା ଏହି ଦେଶକୁ ଆର୍ଥିକ କ୍ଷେତ୍ରରେ ସ୍ଥିରତା ପ୍ରଦାନ କରେ । ଏହି ଦେଶ ନିଜର ବହୁଭାଷିକ ସଂସ୍କୃତି, ଦୃଢ ଅର୍ଥନୀତି, ସୁନ୍ଦର ପରିବେଶ ଲୋକମାନଙ୍କ ଜୀବନଶୈଳୀକୁ ବେଶ ପ୍ରଭାବିତ କରିଥାଏ । ବିକଶିତ ସାମାଜିକ ସହଯୋଗିତା ଓ ଉତ୍ତମ ସ୍ୱାସ୍ଥ୍ୟସେବା ଦେଶକୁ ସୁଖୀ ରଖିବାରେ ସାହାଯ୍ୟ କରେ ।
ନରଓ୍ବେ(Norway):ୟୁରୋପୀୟ ଦେଶ ନରଓ୍ବେ ବିଶ୍ୱର ଶୀର୍ଷ ୧୦ ସୁଖୀ ଦେଶ ମଧ୍ୟରେ ସପ୍ତମ ସ୍ଥାନ ଅଧିକାର କରିଛି । ଏହି ଦେଶର ହାପିନେସ ସ୍କୋର-୭.୩୦୨ । ଏହାର ଉଚ୍ଚ ମୁଣ୍ଡପିଛା ଆୟ, ସାମାଜିକ ସହଯୋଗ ଓ ଉନ୍ନତ ସ୍ୱାସ୍ଥ୍ୟସେବା ଲୋକମାନଙ୍କୁ ବେଶ ଖୁସିରେ ରଖିଥାଏ । ନରଓ୍ବେ ସରକାର ନିଜ ନାଗରିକମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ କ୍ଷେତ୍ରରେ ଉନ୍ନତି ପାଇଁ ଅଧିକ ବ୍ୟୟବରାଦ କରିଥାନ୍ତି ଓ ଏହି ଦେଶର ପ୍ରାକୃତିକ ସୌନ୍ଦର୍ଯ୍ୟ ଜୀବନଶୈଳୀକୁ ବେଶ ପ୍ରଭାବିତ କରିଥାଏ ।