ହାଇଦ୍ରାବାଦ:ସାମାନ୍ୟ ଶାନ୍ତ ପଡିଆସୁଥିବା ମଧ୍ୟପ୍ରାଚ୍ୟ ପୁଣି ଅଶାନ୍ତ ହୋଇପଡିଛି । ଇସ୍ରାଏଲ ସହର ତେଲ୍ ଆଭିଭ୍ରେ ୟେମେନରୁ ସଞ୍ଚାଳିତ ଆତଙ୍କ ଗୋଷ୍ଠୀ ‘ହୁତି’ ଡ୍ରୋନ ଆକ୍ରମଣ କରିବା ପରେ ପାଲଟା ଆକ୍ରମଣ କରିଛି ଇସ୍ରାଏଲ । ‘ହୁତି’ ସଂଗଠନର ନିୟନ୍ତ୍ରଣରେ ଥିବା ୟେମେନର ହୁଡେଇଡା ବନ୍ଦରରେ ଏୟାରଷ୍ଟ୍ରାଇକ କରିଛି ଇସ୍ରାଏଲ ବାୟୁସେନା । ଏହାର କିଛି ଘଣ୍ଟା ମଧ୍ୟରେ ଇସ୍ରାଏଲ ଡିଫେନ୍ସ ଫୋର୍ସ (ୟୁଡିଏଫ) ଗାଜାପଟିରେ ମଧ୍ୟ ଏକାଧିକ ଠିକଣାରେ ଆକ୍ରମଣ କରିଛି । ଉଭୟ ଆକ୍ରମଣରେ ବହୁ ଲୋକଙ୍କ ପ୍ରାଣହାନୀ ହୋଇଥିବା ଆଶଙ୍କା କରାଯାଉଛି ।
ସ୍ଥାନୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ‘ଇସ୍ରାଏଲ ଡିଫେନ୍ସ ଫୋର୍ସ’ ଗାଜାରେ ଥିବା ଏକାଧିକ ଶରଣାର୍ଥୀ କ୍ୟାମ୍ପକୁ ଟାର୍ଗେଟ କରିଛି । କିଛି ସମୟ ବ୍ୟବଧାନରେ 3ଟି ଷ୍ଟ୍ରାଇକ ହୋଇଛି । ଏଥିରେ 12ଜଣଙ୍କ ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଛନ୍ତି । ସାଧାରଣ ନାଗରିକ ଥିବା ସ୍ଥାନକୁ ଟାର୍ଗେଟ କରାଯାଉଛି ବୋଲି ପାଲେଷ୍ଟାଇନ ଅଭିଯୋଗ କରିଛି । ସେହିପରି ୟେମେନରେ ‘ହୁତି’ ସଂଗଠନର ନିୟନ୍ତ୍ରଣରେ ଥିବା ଠିକଣାରେ ଆକ୍ରମଣରେ ପ୍ରାୟ 3ଜଣଙ୍କ ମୃତ୍ୟୁ ହୋଇଛି ଓ ପ୍ରାୟ 80ଜଣ ଆହତ ହୋଇଥିବା ସୂଚନା ମିଳିଛି । ୟେମେନରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଇସ୍ରାଏଲ ସେନା ମଧ୍ୟ ସ୍ବୀକାର କରିଛି । ତେଲ୍ ଆଭିଭ୍ ସହରରେ ଆକ୍ରମଣ ପାଇଁ ୟେମେନରେ ଏହି ଆକ୍ରମଣ କରାଯାଇଛି । ଇସ୍ରାଏଲ ବାୟୁସେନାର ଯୁଦ୍ଧବିମାନ ଏୟାର ଷ୍ଟ୍ରାଇକ କରିବା ପରେ ସୁରକ୍ଷିତ ନିଜ ଦେଶର ବାୟୁସୀମାକୁ ଫେରିଆସିଥିବା ଇସ୍ରାଏଲ ପକ୍ଷରୁ ଦାବି କରାଯାଇଛି ।