ଓଡିଶା

odisha

By ETV Bharat Odisha Team

Published : 20 hours ago

ETV Bharat / international

ସୀମା ଡେଇଁବ ଇସ୍ରାଏଲ ! ‘ହିଜବୁଲ୍ଲା’ ବିରୋଧରେ ଗ୍ରାଉଣ୍ଡ ଅପରେସନ ପ୍ରସ୍ତୁତି, ବଡ ଯୁଦ୍ଧ ସଙ୍କେତ ଦେଲେ ବାଇଡେନ - ISRAEL ATTACK ON LEBANON

Israel Hints At Lebanon Ground Invasion: ପ୍ରଚଣ୍ଡ ଆକ୍ରମଣ ପରେ ଏବେ ସୀମା ଅତିକ୍ରମ କରି ଲେବନନରେ ପ୍ରବେଶ କରିବ ଇସ୍ରାଏଲ ସେନା । ଗ୍ରାଉଣ୍ଡ ଅପରେସନ ପ୍ରସ୍ତୁତି ଆରମ୍ଭ । ଏଣେ ବାଇଡେନ କହିଲେ, ମଧ୍ୟପ୍ରାଚ୍ୟରେ ହୋଇପାରେ ବଡ ଯୁଦ୍ଧ । ଅଧିକ ପଢନ୍ତୁ

ETV Bharat ପ୍ରଚଣ୍ଡ ଆକ୍ରମଣ ପରେ ଏବେ ସୀମା ଅତିକ୍ରମ କରି ଲେବନନରେ ପ୍ରବେଶ କରିବ ଇସ୍ରାଏଲ ସେନା
ପ୍ରଚଣ୍ଡ ଆକ୍ରମଣ ପରେ ଏବେ ସୀମା ଅତିକ୍ରମ କରି ଲେବନନରେ ପ୍ରବେଶ କରିବ ଇସ୍ରାଏଲ ସେନା (ETV Bharat Odisha)

ହାଇଦ୍ରାବାଦ: ଇସ୍ରାଏଲ- ପାଲେଷ୍ଟାଇନ ଯୁଦ୍ଧ ପରେ ଏବେ ମଧ୍ୟ-ପ୍ରାଚ୍ୟରେ ଆଉ ଏକ ବଡ ଯୁଦ୍ଧ ସଙ୍କଟ । ଲେବନନରୁ ଇରାନର ସମର୍ଥିତ ଆତଙ୍କୀ ଗୋଷ୍ଠୀ ‘ହିଜବୁଲ୍ଲା’ ବିରୋଧରେ ଗତ ସପ୍ତାହେ ଧରି ପ୍ରଚଣ୍ଡ ଆକ୍ରମଣ ଜାରି ରଖିଥିବା ଇସ୍ରାଏଲ ଏବେ ସୀମାପାର ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବାକୁ ଯାଉଛି । ଇସ୍ରାଏଲ ଏୟାରଫୋର୍ସର ଏୟାରଷ୍ଟ୍ରାଇକ ଓ ଡ୍ରୋନ ଆକ୍ରମଣରେ ଲେବନନ ଛାରଖାର ହୋଇସାରିଲାଣି । ‘ହିଜବୁଲ୍ଲା’ର ପ୍ରାୟ ଦୁଇ ହଜାରରୁ ଅଧିକ ଠିକଣାକୁ ଟାର୍ଗେଟ କରାଯାଇଛି । ଏଥିରେ ସଂଗଠନର ଅନେକ କମାଣ୍ଡରଙ୍କ ସମେତ ପ୍ରାୟ 6ଶହ ଲୋକଙ୍କର ମୃତ୍ୟୁ ହୋଇଛି । ହଜାର ହଜାର ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି । ଏବେ ମଧ୍ୟ ଉଭୟ ପାର୍ଶ୍ବରୁ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଛି ।

  • ଚିନ୍ତା ବଢାଇଲା ବାଇଡେନଙ୍କ ମନ୍ତବ୍ୟ :-

ମଧ୍ୟ-ପ୍ରାଚ୍ୟରେ ଅଖଣ୍ଡ ପ୍ରଭାବ ରଖୁଥିବା ଓ ସାମରିକ ସ୍ଥିତିକୁ ନିୟନ୍ତ୍ରଣ କରୁଥିବା ଆମେରିକାର ରାଷ୍ଟ୍ରପତି ଜୋ.ବାଇଡେନ ଏହି ପ୍ରସଙ୍ଗରେ ଏକ ବଡ ମନ୍ତବ୍ୟ ଦେଇଛନ୍ତି । ଏକ ଗଣମାଧ୍ୟମ ପ୍ରତିକ୍ରିୟାରେ ସେ କହିଛନ୍ତି, ମଧ୍ୟ-ପ୍ରାଚ୍ୟରେ ଏକ ବଡ ତଥା ପୂର୍ଣ୍ଣ ଯୁଦ୍ଧର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ହେଲେ ରକ୍ତପାତ ରୋକିବାର କୌଣସି ରାସ୍ତା ବାହାରିବା ଉଚିତ ।

ବଡ ଯୁଦ୍ଧ ସଙ୍କେତ ଦେଲେ ବାଇଡେନ (ETV Bharat Odisha)

ଏପରି ସ୍ଥଳେ ଇସ୍ରାଏଲ ମଧ୍ୟ ‘ହିଜବୁଲ୍ଲା’ ବିରୋଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି । ‘ହିଜବୁଲ୍ଲା’ ଏକ ଆତଙ୍କୀ ସଂଗଠନ ହୋଇଥିବା କାରଣରୁ ଏହା ସହ ଆଲୋଚନାର କୌଣସି କାରଣ ନଥିବା ଟେଲ-ଆଭିବ କହିଛି । ଫଳରେ ହିଜବୁଲ୍ଲାକୁ ସମୂଳେ ସମାପ୍ତ କରିବା ପାଇଁ ଇସ୍ରାଏଲ ସେନା ଏବେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି । ଇସ୍ରାଏଲ ସେନା ଏବେ ସୀମା ପାର କରି ଲେବନନରେ ପ୍ରବେଶ କରିବା ସହ ଇନପୁଟ ସୂଚନା ଆଧାରରେ ‘ହିଜବୁଲ୍ଲା’ ଆତଙ୍କୀଙ୍କୁ ଖୋଜି ଖୋଜି ମାରିବ ।

ପ୍ରଚଣ୍ଡ ଆକ୍ରମଣ ପରେ ଏବେ ଲେବନନରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବ ଇସ୍ରାଏଲ, (ETV Bharat Odisha)
  • ପେଜର ଓ ଓ୍ବାକି-ଟକି ବିସ୍ଫୋରଣ ସମଗ୍ର ବିଶ୍ବକୁ ସ୍ତବ୍ଦ କରିଦେଇଥିଲା :-

ଚଳିତମାସ 17 ଓ 18 ତାରିଖରେ ଇସ୍ରାଏଲ ଗୁଇନ୍ଦା ସଂସ୍ଥା ଲେବନନର ଏକାଧିକ ଠିକଣାରେ ଅଭିନବ ବିସ୍ପୋଣ ଘଟାଇଥିଲା । ‘ହିଜବୁଲ୍ଲା’ ସଂଗଠନ ବ୍ୟବହାର କରୁଥିବା କମ୍ୟୁନିକେସନ ଡିଭାଇସ ‘ପେଜର’ ଓ ଓ୍ବାକିଟକିରେ ବିସ୍ପୋରକ ଚିର ଲଗାଇ ବିସ୍ଫୋରଣ ଘଟାଇବାରେ ସଫଳ ହୋଇଥିଲା ଇସ୍ରାଏଲ । ଏଥିରେ ହିଜବୁଲ୍ଲାର ପ୍ରାୟ 35ରୁ ଅଧିକ ଆତଙ୍କୀ ପ୍ରାଣ ହରାଇଥିଲେ । ଆହତଙ୍କ ସଂଖ୍ୟା 3 ହଜାର ଛୁଇଁଥିଲା । ଏହାକୁ ନେଇ ଉତ୍ତେଜିତ ହୋଇଥିଲା ‘ହିଜବୁଲ୍ଲା’ । ପ୍ରତିଶୋଧମୂଳକ ଭାବେ ଇସ୍ରାଏଲର ଏକାଧିକ ଠିକଣାରେ ଘନ ଘନ ରକେଟ ମାଡ କରିଥିଲା । ଇସ୍ରାଏଲ ମଧ୍ୟ ଏହାର ଜବାବରେ, ‘ହିଜବୁଲ୍ଲା’ର ପ୍ରାୟ ହଜାରରୁ ଅଧିକ ଠିକଣାରେ ପ୍ରଚଣ୍ଡ ଏୟାର ଓ ଡ୍ରୋନ ଷ୍ଟ୍ରାଇକ କରିଥିଲା ।

ସୀମା ଡେଇଁବ ଇସ୍ରାଏଲ (ETV Bharat Odisha)
  • ଇସ୍ରାଏଲୀ ଗୁଇନ୍ଦା ସଂସ୍ଥା ମୁଖ୍ୟାଳୟକୁ ରେକଟ ମାଡ :

‘ହିଜବୁଲ୍ଲା’ ବିରୋଧରେ ପୁରା ଅପରେସନର ପ୍ରଚ୍ଛଦ ନେତୃତ୍ବ ନେଉଥିବା ଇସ୍ରାଏଲୀ ଗୁଇନ୍ଦା ସଂସ୍ଥା ‘ମୋସାଦ’ର ମୁଖ୍ୟାଳୟକୁ ଟାର୍ଗେଟ କରି ଗତକାଲି ହିଜବୁଲ୍ଲା ଏକ କ୍ଷେପଣାସ୍ତ୍ର ମାଡ କରିଥିଲା । ମାତ୍ର ଏହାକୁ ପଣ୍ଡ କରିବାରେ ଇସ୍ରାଏଲ ସଫଳ ହୋଇଥିଲା । ଇସ୍ରାଏଲର ବାୟୁ ପ୍ରତିରକ୍ଷା ପ୍ରଣାଳୀ ‘ଆଇରନ ଡୋମ’ ଏହି କ୍ଷେପଣାସ୍ତ୍ରକୁ ମଝି ଆକାଶରେ ଇଣ୍ଟରସେଫ୍ଟ କରିଥିବା ଇସ୍ରାଏଲ ଦାବି କରିଛି । ଅନ୍ୟପଟେ ଇସ୍ରାଏଲ ବିରୋଧରେ ଯୁଦ୍ଧ ଜାରି ରହିବ ବୋଲି ହିଜବୁଲ୍ଲା କହିଛି ।

‘ହିଜବୁଲ୍ଲା’ ବିରୋଧରେ ଗ୍ରାଉଣ୍ଡ ଅପରେସନ (ETV Bharat Odisha)
  • ଇସ୍ରାଏଲ-ହିଜବୁଲ୍ଲା ଶତ୍ରୁତା:-

ହିଜବୁଲ୍ଲା ହେଉଛି ଇରାନ ସମର୍ଥିତ ଲେବନନର ଏକ ଇସଲାମିକ ଆତଙ୍କୀ ସଂଗଠନ । ପାଲେଷ୍ଟାଇନ ଅଧିକୃତ ଗାଜାରୁ ସଞ୍ଚାଳିତ ହେଉଥିବା ଆତଙ୍କୀ ସଂଗଠନ ‘ହମାସ’ ବିରୋଧରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିବା ପରଠାରୁ ‘ହିଜବୁଲ୍ଲା’ ମଧ୍ୟ ଇସ୍ରାଏଲ ବିରୋଧରେ ଅପରେସନ ଜାରି ରଖିଛି । ଗାଜାରେ ପ୍ରବଳ ଆକ୍ରମଣରେ ‘ହମାସ’ ଏବେ ପ୍ରାୟ ନିଶ୍ଚିହ୍ନ ହୋଇସାରିଛି । ଇରାନ ସମର୍ଥନରେ ହିଜବୁଲ୍ଲା ଉତ୍ତର- ଇସ୍ରାଏଲ ଅଞ୍ଚଳରେ ପ୍ରବଳ ରକେଟ ମାଡ କରିଥିଲା । ଇସ୍ରାଏଲୀ ନାଗରିକମାନେ ଉତ୍ତର-ଇସ୍ରାଏଲରୁ ପଳାୟନ କରିବାକୁ ବାଧ୍ୟ ହୋଇଥିଲା । ପରେ ଇସ୍ରାଏଳ ସେନା ହିଜବୁଲ୍ଲା ବିରୋଦୀ ଲଢେଇକୁ ବ୍ୟାପକ କରିଥିଲା । ଏବେ ଇସ୍ରାଏଲର ଆକ୍ରମଣରେ ଲେବନନର ରାଜଧାନୀ ବେରୁଟ ସମେତ ଏକାଧିକ ପ୍ରମୁଖ ସହର ଧ୍ବଂସସ୍ତୂପରେ ପରିଣତ ହୋଇସାରିଲାଣି । ଏବେ ଏହି ଅପରେସନ ଗ୍ରାଉଣ୍ଡ ମିଶନରେ ପରିବର୍ତ୍ତନ ହେବାକୁ ଯାଉଛି । ଫଳରେ ବାଇଡେନଙ୍କ ଚେତାବନୀ ଅନୁସାରେ, ମଧ୍ୟପ୍ରାଚ୍ୟରେ ବଡ ଯୁଦ୍ଧ ସଂଗଠିତ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details