ହାଇଦ୍ରାବାଦ: ପାକିସ୍ତାନରେ କିଏ ଗଢିବ ସରକାର ? ପାକିସ୍ତାନ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରକାଶିତ ଫଳାଫଳ ଉପରେ ନଜର ପକାଇଲେ, ଆଗାମୀ ସରକାର କାହାର ହେବ, ସେ ପ୍ରଶ୍ନର ଉତ୍ତର ପାଇବା କଷ୍ଟସାଧ୍ୟ ଅଟେ । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ଇମ୍ରାନ ଖାନଙ୍କ ପାର୍ଟି PTI ସମର୍ଥିତ ନିର୍ଦ୍ଦଳୀୟ ପ୍ରାର୍ଥୀ ୯୧ ଆସନରେ ବିଜୟୀ ହୋଇଥିବା ବେଳେ, 71ଟି ନଓ୍ୱାଜ ଶରିଫଙ୍କ ପାର୍ଟି PML-Nକୁ , PPPକୁ 51 ଏବଂ ଅନ୍ୟାନ୍ୟ ଦଳଗୁଡ଼ିକ 21ଟି ଆସନରେ ବିଜୟ ମିଳିଛି । ଯଦିଓ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ଫଳାଫଳ ଘୋଷଣା ହୋଇନାହିଁ, କିନ୍ତୁ ଏବେ ପର୍ଯ୍ୟନ୍ତ ଇମ୍ରାନ ଖାନଙ୍କ ପିଟିଆଇ ପାର୍ଟି ଆଗରେ ରହିଛି । ମାତ୍ର କୌଣସି ଦଳ ମ୍ୟାଜିକ ନମ୍ୱର ଛୁଇଁ ନାହାନ୍ତି । ଯଦି ନଓ୍ବାଜ ଶରିଫ ମେଣ୍ଟ କରିବାରେ ସଫଳ ହୁଅନ୍ତୁ, ତେବେ ଇମ୍ରାନଙ୍କ ସରକାର ଗଠନ ସ୍ବପ୍ନ ସ୍ବପ୍ନରେ ରହିଯିବ ।
ପାକିସ୍ତାନର ମୁଖ୍ୟତଃ 2ଟି ପାର୍ଟି ଇମ୍ରାନ ଖାନଙ୍କ ପାର୍ଟି PTI ସମର୍ଥିତ ପ୍ରାର୍ଥୀ ଓ ନଓ୍ୱାଜ ଶରିଫଙ୍କ PML-N ଆଗପଛ ଥିବା ବେଳେ 2ଟି ଯାକ ଦଳ ସରକାର ଗଢିବା ନେଇ ଆଗୁଆ ଘୋଷଣା କରିସାରିଛନ୍ତି । ଜେଲରେ ଥାଇ ରାଜନୀତି ଗୋଟି ଚଳାଉଛନ୍ତି ଇମ୍ରାନ ଖାନ୍ । ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ନେଇ ବିଳମ୍ୱ ହେଉଥିବା ନେଇ ଚର୍ଚ୍ଚା ମଧ୍ୟରେ ଇମ୍ରାନ ଖାନଙ୍କ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ସରକାର ଗଢିବା ନେଇ ବିଜୟ ଭାଷଣ ମଧ୍ୟ ଦେଇଛନ୍ତି ।
ପୂର୍ବତନ ପ୍ରଧାନମନ୍ତ୍ରୀ ପାକିସ୍ତାନ ତହରିକ-ଏ- ଇନସାଫ (ପିଟିଆଇ)ର ପ୍ରତିଷ୍ଠାତା ଇମ୍ରାନ ଖାନ ଶନିବାର ନିଜର ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଜରିଆରେ ବିଜୟ ଭାଷଣ ଜାରି କରିଛନ୍ତି । ଏହି ଭାଷଣରେ ଇମ୍ରାନ ଖାନ ପାକିସ୍ତାନ ମୁସଲିମ ଲିଗ ନଓ୍ୱାଜ(ପିଏମଏଲ-ଏନ) ସୁପ୍ରିମୋ ନୱାଜ ଶରିଫଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ମୋ ପ୍ରିୟ ଦେଶବାସୀ, ଏତେ ବଡ ସଂଖ୍ୟାରେ ଉପସ୍ଥିତ ରହି ଓ ମତସାବ୍ୟସ୍ତ କରି ନିଜ ଗଣତନ୍ତ୍ରର ଅଧିକାର ପ୍ରୟୋଗ କରି, ଆମ ନାଗରିକଙ୍କ ଅଧିକାରକୁ ବ୍ୟବହାର କରିବାର ସ୍ୱାଧୀନତାର ପୁନରୁଦ୍ଧାର ପାଇଁ ଭିତ୍ତିଭୂମି ସ୍ଥାପନ କରାଯାଇଛି । ମୁଁ ଆପଣମାନଙ୍କୁ ନିର୍ବାଚନରେ ଶାନଦାର ବିଜୟ ଦେଇଥିବାରୁ ଧନ୍ୟବାଦ ଦେଉଛି । ଆପଣମାନେ ଏତେ ସଂଖ୍ୟାରେ ଭୋଟ ଦେବେ ବୋଲି ମତେ ଭରସା ଥିଲା । ଆପଣମାନେ ମୋ ଭରସାକୁ ରଖିଛନ୍ତି ଓ ଭୋଟିଂ ଦିନ ଏତେ ସଂଖ୍ୟାର ମତଦାନ ଅନେକଙ୍କ ଆଶ୍ଚର୍ଯ୍ୟଚକିତ କରିଛି । ଗଣତନ୍ତ୍ର ପ୍ରକ୍ରିୟାରେ ଆପଣମାନଙ୍କ ସକ୍ରିୟ ଅଂଶଗ୍ରହଣ କାରଣରୁ ନଓ୍ବାଜ ଶରିଫଙ୍କ ଲଣ୍ଡନ ଯାତ୍ରା ବିଫଳ ହୋଇଛି । ନଓ୍ବାଜ ଶରିଫ ଅଳ୍ପ ବୁଦ୍ଧି ନେତା ଅଟନ୍ତି ଯେଉଁମାନେ ନିର୍ବାଚନରେ 30 ଆସନରେ ପଛରେ ରହିଥିଲେ ସୁଦ୍ଧା ବିଜୟୀ ଭାଷଣ ଦେଇଛନ୍ତି ।