ବାରଣାସୀ: ମହାକୁମ୍ଭରୁ ଫେରୁଥିବା ବେଳେ ଅଘଟଣ । ଅଳ୍ପକେ ବର୍ତ୍ତିଲେ 60 ଜଣ ଓଡିଆ ପର୍ଯ୍ୟଟକ । ବନାରସ ଘାଟରେ ବୁଡିଗଲା ଡଙ୍ଗା । ମାନ ମନ୍ଦିର ଘାଟ ସାମନାରେ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ଓ ଛୋଟ ଡଙ୍ଗା ମଧ୍ୟରେ ଧକ୍କା ହୋଇଥିଲା । ଏହି ସମୟରେ ଗୋଟିଏ ଡଙ୍ଗା ଓଲଟି ପଡିଥିଲା । କିନ୍ତୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଡଙ୍ଗାରେ 60 ଜଣ ଯାତ୍ରୀ ଥିଲେ । ମହାକୁମ୍ଭରୁ ଫେରୁଥିବା ଶ୍ରଦ୍ଧାଳୁ କାଶୀ ବିଶ୍ବନାଥ ମନ୍ଦିର ଦର୍ଶନ ପାଇଁ ପହଞ୍ଚୁଛନ୍ତି । ଏହି ସମୟରେ ଅଘଟଣ ଘଟିଥିଲା ।
- ମାନମନ୍ଦିର ଘାଟ ସାମନାରେ ବୁଡିଲା ଡଙ୍ଗା
ସମସ୍ତ ଯାତ୍ରୀ ଓଡିଶାର ହୋଇଥିବା ଜଣାପଡିଛି । ସେମାନେ ବାଲେଶ୍ବରରୁ ମହାକୁମ୍ଭ ମେଳା ପାଇଁ ପ୍ରୟାଗରାଜ ଯାଇଥିଲେ । ଶୁକ୍ରବାର ଦିନ ଶ୍ରଦ୍ଧାଳୁଙ୍କୁ ନେଇ ଏକ ଡଙ୍ଗା ମାନ ଘାଟ ସାମନାରୁ ଅତିକ୍ରମ କରୁଥିଲା । ଏହି ସମୟରେ ହଠାତ୍ ଏକ ଛୋଟ ଡଙ୍ଗା ସାମନାରୁ ଚାଲି ଆସିଥିଲା । ଅଚାନକ ଦୁଇଟି ଡଙ୍ଗା ମୁହାଁମୁହିଁ ହୋଇଥିଲେ । ଘଟଣାସ୍ଥଳରେ ପୋଲିସ ସହ ଏନଡିଆରଏଫ ଟିମ ପହଞ୍ଚିଥିଲେ ।
![ଗଙ୍ଗାରେ ବୁଡିଲା ଡଙ୍ଗା](https://etvbharatimages.akamaized.net/etvbharat/prod-images/31-01-2025/up-var-01-nav-hadsa-vis-up10123_31012025132614_3101f_1738310174_859.jpg)
ଏନଡିଆରଏଫ ଯବାନ ଡଙ୍ଗାରେ ଥିବା ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରି କୂଳକୁ ନେଇଥିଲେ । ହଠାତ ଗଙ୍ଗାରେ ଡଙ୍ଗା ବୁଡିବା ପରେ ଚାରିଆଡେ ହୋହାଲ୍ଲା ହୋଇଥିଲା । ବାଲେଶ୍ବରରୁ ଆସିଥିବା ଶ୍ରଦ୍ଧାଳୁ ପୂର୍ଣ୍ଣଚନ୍ଦ୍ର ଦେ କହିଛନ୍ତି ‘‘ଆମେ ଡଙ୍ଗାରେ ପାଖାପାଖି 60 ଲୋକେ ଥିଲୁ । ଏକ ବଡ ଡଙ୍ଗା ଆମକୁ ଆସି ଧକ୍କା ଦେଲା । ଆମେ ସମସ୍ତେ ପାଣିରେ ବୁଡି ଯାଇଥିଲୁ । କିନ୍ତୁ ଡଙ୍ଗା ଚାଳକ ଠୁ ନେଇ ଏନଡିଆରଏଫ ପର୍ଯ୍ୟନ୍ତ ଆମକୁ ସମସ୍ତେ ସାହାଯ୍ୟ କରିଥିଲେ’’।
![ଗଙ୍ଗାରେ ବୁଡିଲା ଡଙ୍ଗା](https://etvbharatimages.akamaized.net/etvbharat/prod-images/31-01-2025/up-var-01-nav-hadsa-vis-up10123_31012025132614_3101f_1738310174_720.jpg)
- ଦଳାଚକଟାରେ 30 ମୃତ୍ୟୁ
ମୌନୀ ଅମାବାସ୍ୟା ଦିନ ଦଳାଚକଟାରେ ମୃତ୍ୟୁସଂଖ୍ୟା 30ରେ ପହଞ୍ଚିଥିଲା । ପ୍ରାୟ 60ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଘଟଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ 25 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ସହ ଆହତଙ୍କ ମାଗଣା ଚିକିତ୍ସା କରିବା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଉତ୍ତର ପ୍ରଦେଶ ସରକାର ଘୋଷଣା କରିଛନ୍ତି ।
![ଗଙ୍ଗାରେ ବୁଡିଲା ଡଙ୍ଗା](https://etvbharatimages.akamaized.net/etvbharat/prod-images/31-01-2025/up-var-01-nav-hadsa-vis-up10123_31012025132614_3101f_1738310174_513.jpg)
- ନିକଟରେ ଲାଗିଥିଲା ନିଆଁ
ଆଜି ସଙ୍ଗମସ୍ଥଳରେ ପ୍ରଥମ ଅଘଟଣ ଘଟିନାହିଁ, ବରଂ ଏହା ପୂର୍ବରୁ ମଧ୍ୟ ସେଠାରେ ଏକ ବଡ ଅଘଟଣ ଅଳ୍ପକେ ଟଳିଥିଲା । 19 ତାରିଖରେ ସେକ୍ଟର-19 ଅଞ୍ଚଳରେ ଥିବା ସନ୍ଥଙ୍କ ଅସ୍ଥାୟୀ ଆଖଡାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ବହୁ ଟେଣ୍ଟ ଜଳି ପୋଡି ନଷ୍ଟ ହୋଇଯାଇଥିଲା । ଅଗ୍ନିଶମ ବାହିନୀ ଯୁଦ୍ଧକାଳୀନ ଭିତ୍ତିରେ ନିଆଁ ଆୟତ୍ତ କରିଥିବା ବେଳେ କେହି ମୃତାହତ ହୋଇନଥିବା ଖବର ସମଗ୍ର ଦେଶକୁ ଆଶ୍ବସ୍ତ କରିଥିଲା ।
![ଗଙ୍ଗାରେ ବୁଡିଲା ଡଙ୍ଗା](https://etvbharatimages.akamaized.net/etvbharat/prod-images/31-01-2025/up-var-01-nav-hadsa-vis-up10123_31012025132614_3101f_1738310174_632.jpg)