ହାଇଦ୍ରାବାଦ:ଗୋଟିଏ ପରେ ଗୋଟିଏ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ସହ ଦଣ୍ଡାଦେଶ ପାଇବାରେ ଲାଗିଛନ୍ତି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଦୁର୍ନୀତି ଓ ସରକାରୀ ଗୋପନୀୟ ତଥ୍ୟ ଲିକ୍ ମାମଲା ପରେ ଏବେ ବିବାହ ସମ୍ପର୍କିତ ମାମଲାରେ ମଧ୍ୟ ତାଙ୍କୁ ଦୋଷୀ ସାବ୍ୟସ୍ତ ହେବାକୁ ପଡିଛି । ଅଣଇସଲାମୀୟ ବିବାହ ମାମଲାରେ ଇମ୍ରାନ ଖାନ ଓ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ 7ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏହା ସହ ଉଭୟଙ୍କୁ 50 ହଜାର ଲେଖାଏଁ ପାକିସ୍ତାନୀ ମୁଦ୍ରା ମଧ୍ୟ ଜୋରିମାନା ବାବଦରେ ପ୍ରଦାନ କରିବାକୁ କୋର୍ଟ କହିଛନ୍ତି ।
ପାକିସ୍ତାନର ଏକାଧିକ ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ,ଆଜି ସିନିୟର ସିଭିଲ ଜଜ କ୍ବାଦ୍ରାତୁଲ୍ଲା ଏହି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ଇମ୍ରାନ ସଜ୍ଜା କାଟୁଥିବା ଆଦିଲା ଜେଲରେ ଏହି ମାମଲାର ଶୁଣାଣି ହୋଇଥିଲା । 14 ଘଣ୍ଟାର ଶୁଣାଣି ପରେ ଗତକାଲି (ଶୁକ୍ରବାର) କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ । ଯାହା ଆଜି ପ୍ରକାଶ ପାଇଛି । ତେବେ ଇମ୍ରାନଙ୍କୁ ବିବାହ କରିଥିବା ବୁଶରାଙ୍କ ପୂର୍ବତନ ସ୍ବାମୀ ଖାଓ୍ବାର ମାନେକା ଏହି ଆବେଦନ ଦାଏର କରିଥିଲେ ।
ବୁଶରା ଓ ଇମ୍ରାନ ଅଣଇସଲାମୀୟ ପରମ୍ପରାରେ ବିବାହ କରିଥିବା ସେ ଆବେଦନରେ ଦର୍ଶାଇଥିଲେ । ଏହି ବିବାହ ବେଳେ ଇସଲାମୀୟ ପରମ୍ପରାର ପାଳନ କରାଯାଇନଥିବା ସେ ଅଭିଯୋଗ କରିଥିଲେ । କୋର୍ଟ ଏହି ମାମଲାର ଶୁଣାଣି ଆରମ୍ଭ କରିବା ସହ ବିବାହ ସମୟର ଦଲିଲ ମଧ୍ୟ ଯାଞ୍ଚ କରାଯାଇଥିଲା । ଏହା ସହ ଏକାଧିକ ସାକ୍ଷୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା । ଉଭୟ ପକ୍ଷର ତର୍କ ଶୁଣାଣି ପରେ କୋର୍ଟ ଇମ୍ରାନ ଓ ପତ୍ନୀ ବୁଶରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । 50 ହଜାର ପାକିସ୍ତାନୀ ମୁଦ୍ରା ଲେଖାଏଁ ଜୋରିମାନା ସହ 7 ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି ।