ହାଇଦ୍ରାବାଦ:ସରକାରୀ ଗୋପନୀୟ ତଥ୍ୟ ଲିକ୍ ମାମଲାରେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ତାଙ୍କ ରାଜନୈତିକ ସହଯୋଗୀ ତଥା ପୂର୍ବତନ ମନ୍ତ୍ରୀ ଶାହ ମେହେମ୍ମୁଦ କ୍ୟୁରେସୀଙ୍କୁ 10ବର୍ଷ ଜେଲ ଦଣ୍ଡରେ ଦଣ୍ତିତ କରାଯାଇଛି । ପାକିସ୍ତାନ ସାଧାରଣ ନିର୍ବାଚନର ମାତ୍ର କେହି ସପ୍ତାହ ପୂର୍ବରୁ ଆଜି ଏକ ସ୍ଥାନୀୟ କୋର୍ଟ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 10ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ପାକିସ୍ତାନର ଏକ ପ୍ରମୁଖ ଜାତୀୟ ଗଣମାଧ୍ୟମ ‘ଡନ’ରେ ପ୍ରସାରିତ ଖବର ଅନୁସାରେ, ସ୍ପେଶାଲ ଜଜ ଅବୁଲ ହସନତ ଜୁଲଗାରନେନଙ୍କ କୋର୍ଟରେ ଏହି ଦଣ୍ଡାଦେଶ ପ୍ରକାଶ ପାଇଛି । ଅଫିସିଆଲ ସିକ୍ରେଟ ଆକ୍ଟ ଅନୁସାରେ, ଉଭୟ ଇମ୍ରାନ ଓ କ୍ୟୁରେସୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ତେବେ ଗତ ଏକମାସ ପୂର୍ବରୁ ଏହି ମାମଲାରେ କୋର୍ଟ ଶୁଣାଣି ଆରମ୍ଭ କରିଥିଲେ । ଦଣ୍ଡାଦେଶ ସହ ଇମ୍ରାନ ମୁକ୍ତ ହୋଇ ସାଧାରଣ ନିର୍ବାଚନରେ ପ୍ରତ୍ୟେକ୍ଷ ପ୍ରତିଦ୍ବନ୍ଦ୍ବିତା କରିବା ଆଶା ଉପରେ ପୁଣି ସନ୍ଦେହ ସୃଷ୍ଟି ହୋଇଛି ।
କ୍ଷମତାରୁ ପଦଚ୍ୟୁତ ହେବା ପରେ ଇମ୍ରାନଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇଛି । ତାଙ୍କୁ ନାଟକୀୟ ଭାବେ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ‘ପାକିସ୍ତାନ ରେଞ୍ଜର୍ସ’ ଲଗାଇ କୋର୍ଟ ପରିସରରୁ ଗିରଫ କରାଯାଇଥିଲା । ଏହି ଗିରଫଦାରୀ ସମୟରେ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଓ ହିଂସା ମଧ୍ୟ ଦେଖିବାକୁ ମିଳିଥିଲା । ଇମ୍ରାନଙ୍କ ଦଳ ‘ପିଟିଆଇ’ କାର୍ଯ୍ୟକର୍ତ୍ତା ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଥିଲେ । ରାଓ୍ବଲପିଣ୍ଡିରେ ସେନା ମୁଖ୍ଯାଳୟରେ ମଧ୍ୟ ଆକ୍ରମଣ ଓ ଜଳାପୋଡା ହୋଇଥିଲା ।