ହାଇଦ୍ରାବାଦ:ବାଂଲାଦେଶରେ ପୁଣି ହିଂସା । ନିର୍ବାସିତ ହୋଇ ଭାରତରେ ଶରଣ ନେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପିତା ତଥା ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରେହମାନଙ୍କ ବାସଭବନ ଓ ସ୍ମାରକୀରେ ଆକ୍ରମଣ ହୋଇଛି । ଗତକାଲି(ବୁଧବାର) ସଂଧ୍ୟାରେ ହସିନା ଭର୍ଚ୍ଚୁଆଲି ତାଙ୍କ ଦଳ ‘ଆଓ୍ବାମୀ ଲିଗ’କୁ ସମ୍ବୋଧିତ କରିବା ପରେ ତାଙ୍କ ବିରୋଧୀମାନେ ସିଧା ତାଙ୍କ ପିତା ତଥା ବାଂଲାଦେଶ ପ୍ରତିଷ୍ଠାତା ମୁଜିବୁର ରେହମାନଙ୍କ ପୈତୃକ ବାସଭବନରେ ଆକ୍ରମଣ, ଜଳାପୋଡା କରିଛନ୍ତି । ରାତି ତମାମ ଆକ୍ରମଣ କରିବା ପରେ ଆଜି ସକାଳୁ ଉକ୍ତ କୋଠାକୁ ସମ୍ପୂର୍ଣ୍ଣ ମାଟିରେ ମିଶାଇ ଦିଆଯାଇଛି ।
- ଏହି କୋଠାରେ ବାଂଲାଦେଶ ମୁକ୍ତି ସଂଗ୍ରାମର ରଣନୀତି କରୁଥିଲେ ମୁଜିବୁର
ରାଜଧାନୀ ଢାକାରେ ଥିବା ଏହି ଘର ହସିନାଙ୍କ ପିତା ମୁଜିବୁର ରେହମାନଙ୍କ ପୈତୃକ ବାସଭବନ ଥିଲା । ବାଂଲାଦେଶ ସ୍ବାଧୀନତା ଆନ୍ଦୋଳନର ନେତୃତ୍ବ ନେଇଥିବା ମୁଜିବୁର ଏହି ଘରେ ରହୁଥିଲେ । 1971 ରେ ବାଂଲାଦେଶର ଆତ୍ମପ୍ରକାଶ କରିଥିଲା । 1975 ରେ ବଙ୍ଗବନ୍ଧୁଙ୍କୁ ହତ୍ୟା କରାଯିବା ପରେ ଏହା ଏକ ଜାତୀୟ ସ୍ମାରକର ପରିଚୟ ମଧ୍ୟ ହାସଲ କରିଥିଲା । କେବଳ ହସିନାଙ୍କ ପୈତୃକ ସ୍ମରକୀ ନୁହେଁ ବରଂ ସ୍ବାଧୀନତା ବାଂଲାଦେଶ ଆନ୍ଦୋଳନ ଓ 1971 ଯୁଦ୍ଧର ଗରିମା ସହ ଏହି ଅଟ୍ଟାଳିକାକୁ ଯୋଡାଯାଉଥିଲା ।
- ଭାରତରୁ ସମ୍ବୋଧନ କରୁଥିଲେ ହସିନା
ଗତକାଲି (ବୁଧବାର) ହସିନା ଆଭାସୀ ମାଧ୍ୟମରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ଏହି ସମ୍ବୋଧନ ବିଶେଷ ଭାବେ ସେ ତାଙ୍କ ପାର୍ଟି ଆଓ୍ବାମୀ ଲିଗର କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କ ଉଦ୍ଦେଶ୍ୟରେ ରଖିଥିଲେ । ଏବେ ବାଂଲାଦେଶରେ କ୍ଷମତାରେ ଥିବା ଅନ୍ତରୀଣ ସରକାରକୁ ବିରୋଧ କରିବା ପାଇଁ ସେ ସମ୍ବୋଧନରେ ନିବେଦନ କରିଥିଲେ । ହସିନାଙ୍କ ଭାଷଣର ସିଧା ପ୍ରସାରଣ ଶେଷ ହେବା ପୂର୍ବରୁ ଶତାଧିକ ସଂଖ୍ୟାରେ ତାଙ୍କ ବଦ୍ରୋହୀ ଆନ୍ଦୋଳନକାରୀମାନେ ସିଧା ତାଙ୍କ ପୈତୃକ ବାସଭବନରେ ପ୍ରବେଶ କରିଥିଲେ । ପୂରା ଅଟ୍ଟାଳିକାରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ । ନାରାବାଜୀ ମଧ୍ୟ କରିଥିଲେ । ଆଜି ସକାଳୁ ଉକ୍ତ କୋଠାକୁ ବୁଲଡୋଜର ମାଧ୍ୟମରେ ଭଙ୍ଗା ଯାଉଥିବା ମଧ୍ୟ ଦେଖିବାକୁ ମିଳିଛି ।
- ଭାରତରେ ଶରଣ ନେଇଛନ୍ତି ହସିନା
2024 ଅଗଷ୍ଟରୁ କ୍ଷମତା ସହ ଦେଶ ଛାଡିଥିବା ଶେଖ ହସିନା ଏବେ ଭାରତ ଶରଣରେ ଅଛନ୍ତି । ତାଙ୍କ ପରବର୍ତ୍ତୀ ସ୍ଥିତି କ’ଣ ହେବ, ସେନେଇ ଅନିଶ୍ଚିତତା ଲାଗି ରହିଛି । ସେ ଭାରତରେ କିଛି ଦିନ ରହିବା ପରେ ବ୍ରିଟେନ ଯିବେ ବୋଲି ଚର୍ଚ୍ଚା ହୋଇଥିଲେ ସୁଦ୍ଧା ସେ ଏବେ ସୁଦ୍ଧା ମଧ୍ୟ ଭାରତ ଛାଡ଼ି ନାହାନ୍ତି । ଅନ୍ୟପଟେ ବାଂଲାଦେଶରେ ପ୍ରଫେସର ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ଏକ ଅନ୍ତରୀଣ ସରକାର କାମ କରୁଛି । ତଥାପି ଦେଶବ୍ୟାପୀ ହସିନା ଓ ତାଙ୍କ ପରିବାର ପ୍ରତି ଆନ୍ଦୋଳନକାରୀଙ୍କ କ୍ରୋଧ ନରମ ପଡିନି ।
ଇଟିଭି ଭାରତ, ବ୍ୟୁରୋ