ଢାକା:ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନେଇ ବଡ଼ ଖବର । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଶେଖ ହସିନା । ହସିନା ଇସ୍ତଫା ଦେଇଥିବା ସ୍ପଷ୍ଟ କରିଛନ୍ତି ବାଂଲାଦେଶ ସେନା ମୁଖ୍ୟ । ଏହାପରେ ସେନା ହାତକୁ ଗଲା କ୍ଷମତା ଡୋରି । ହସିନା ଅପରାହ୍ନ 2.30ଟା ସମୟରେ ସେ ବଙ୍ଗଭବନରୁ ହେଲିକପ୍ଟର ଯୋଗେ ଦେଶ ଛାଡିଛନ୍ତି । ଭଉଣୀ ଶେଖ ରିହାନାଙ୍କ ସହ ସେ ଦେଶ ଛାଡିଥିବା ନେଇ ବାଲାଂଦେଶ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ବାଲାଂଦେଶରେ ଭୟଙ୍କର ହିଂସା ଜାରି ରହିଥିବାବେଳେ ଅନେକଙ୍କର ଜୀବନ ଗଲାଣି ।
ଶେଖ ହସିନାଙ୍କ ଇସ୍ତଫା:
ବିରୋଧ ପ୍ରଦର୍ଶନ ଭିତରେ ଅନେକଙ୍କ ଜୀବନ ଗଲାଣି । ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇଛନ୍ତି । ଏହାପରେ ସେ ସାମରିକ ହେଲିକପ୍ଟର ଯୋଗେ ଦେଶ ଛାଡିଛନ୍ତି । ଶେଖ ହସିନା ପଦ ଛାଡିବା ପରେ ସେନା ହାତକୁ ଗଲା ସରକାର । ପ୍ରଧାନମନ୍ତ୍ରୀ ଦେଶ ଛାଡିବା ପରେ ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭିତରେ ପଶି ହଲ୍ଲାବୋଲ କରିଛନ୍ତି ବୋଲି ବାଂଲାଦେଶ ଗଣମାଧ୍ୟମ ରିପୋର୍ଟ କରିଛି ।
Bangladesh PM Departed (ETV Bharat) ବାଂଲାଦେଶରେ ଅନ୍ତରୀଣ ସରକାର:
ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ବର୍ତ୍ତମାନ ଦେଶର ସାମରିକ ଶାସନ ଲାଗୁ ହୋଇଛି । ସେନା ହାତକୁ ଯାଇଛି କ୍ଷମତା । ବାଲାଂଦେଶ ସେନା ମୁଖ୍ୟ ଛାତ୍ରଛାତ୍ରୀମାନଙ୍କୁ ଶାନ୍ତ ହେବାକୁ ଅନୁରୋଧ କରିଛନ୍ତି । "ଦେଶରେ ଶାନ୍ତି ରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି । କର୍ଫ୍ୟୁ କିମ୍ବା ଏମରଜେନ୍ସିର ଆବଶ୍ୟକତା ନାହିଁ । ରାତି ସୁଦ୍ଧା ସମାଧାନର ବାଟ ବାହାରିବ" ବୋଲି ସେନା ମୁଖ୍ୟ କହିଛନ୍ତି ।
ସୀମାରେ ହାଇଆଲର୍ଟ:
ଗୋଟିଏ ପଟେ ଶେଖ ହସିନା ଦେଶ ଛାଡିବା ପରେ ଭାରତ ଆସିଥିବା କହିଯାଉଛି । ଅନ୍ୟପଟେ ବାଂଲାଦେଶରେ ଜାରି ରହିଥିବା ହିଂସା ପରିସ୍ଥିତିକୁ ନଜରରେ ରଖି ଭାରତ-ବାଲାଂଦେଶ ସୀମାରେ ହାଇଆଲର୍ଟ ଜାରି ହୋଇଛି ।
ଭାରତରେ ପ୍ରଧାନମନ୍ତ୍ରୀ ଶେଖ ହସିନା (ETV Bharat Odisha) ଭାରତରେ ଶେଖ ହସିନା:
ବାଂଲାଦେଶ ଛାଡିବା ପରେ ଭାରତରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ଶେଖ ହସିନା । ବାୟୁସେନାର ଏୟାରଫୋର୍ସ ବିମାନରେ ଆସି ହିଣ୍ଡନ ଏୟାରବେସରେ ପଞ୍ଚିଛନ୍ତି ହସିନା । ବାଂଲାଦେଶରେ ବ୍ୟାପକ ହିଂସା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡିଥିଲେ ଶେଖହସିନା ।
ଭାରତ-ବାଂଲାଦେଶ ରେଳ ଚଳାଚଳ ବାତିଲ:
ହିଂସାକୁ ଦୃଷ୍ଟିରେ ରଖି ଭାରତ-ବାଂଲାଦେଶ ମଧ୍ୟରେ ରେଳ ଚଳାଚଳ ବାତିଲ ହୋଇଛି । ଏନେଇ ଭାରତୀୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା 15 ଦିନ ଯାଏଁ ଏହି ନିୟମ ବଳବତ୍ତର ରହିବ।
ହିଂସାରେ ଗଲାଣି ଅନେକ ଜୀବନ:
ହିଂସାରେ ଅଦ୍ୟାବଧି ୨୦୦ରୁ ଅଧିକ ମୃତ୍ୟୁ ହେଲାଣି, ମାତ୍ର ଏହି ସରକାରୀ ବିରୋଧୀ ଆନ୍ଦୋଳନ ଥମିବା ବଦଳରେ ଦିନକୁ ଦିନ ଅଧିକ ଉଗ୍ର ହେଉଛି । ଆନ୍ଦୋଳନକାରୀ ଛାତ୍ର ଗୋଷ୍ଠୀ ଏବଂ ଶାସକ ଆୱାମୀ ଲିଗ୍ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହେବାରୁ 90ରୁ ଊର୍ଦ୍ଧ୍ବ ମୃତ୍ୟୁ ହୋଇଛି, ଏଥିରେ ଅନେକ ଆହତ ହୋଇଛନ୍ତି । ଆନ୍ଦୋଳନକାରୀମାନେ ଢାକାର ମୁନିସଗଞ୍ଜ ଠାରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ଦାବିରେ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିବାବେଳେ ଆୱାମୀ ଲିଗ୍, ଛାତ୍ର ଲିଗ୍ ଏବଂ ଯୁବୋ ଲିଗ୍ କାର୍ଯ୍ୟକର୍ତ୍ତାଙ୍କ ସହିତ ସଂଘର୍ଷ ହୋଇଥିଲା ।
ଆନ୍ଦୋଳନର କାରଣ:
୧୯୭୧ରେ ବାଂଲାଦେଶ ଓ ପାକିସ୍ତାନ ଯୁଦ୍ଧ ହୋଇଥିଲା । ଏଥିରେ ଲଢେଇ କରିଥିବା ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟ ପାଇଁ ସରକାରୀ ଚାକିରି କ୍ଷେତ୍ରରେ ୩୦ ପ୍ରତିଶତ ସଂରକ୍ଷଣ ଘୋଷଣା ହୋଇଛି । ଏହି ସଂରକ୍ଷଣ ବ୍ୟବସ୍ଥାକୁ ବନ୍ଦ କରିବା ଏବଂ ଯୋଗ୍ୟତା ଭିତ୍ତିରେ ଚାକିରି ଦେବାକୁ ଦାବିରେ ଦେଶବ୍ୟାପୀ ଆନ୍ଦୋଳନ ଚାଲିଛି । ଏହି ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିବାବେଳେ ଏଥିରେ ଏବେ ସୁଦ୍ଧା ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ବିପକ୍ଷବାଦୀମାନେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ତେବେ ଆଜି ସେ ଇସ୍ତଫା ଦେଇଛନ୍ତି।
ଏହା ମଧ୍ୟ ପଢନ୍ତୁ:ବାଂଲାରେ ଥମୁନି ହିଂସା: ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ହିଂସାତ୍ମକ ଆନ୍ଦୋଳନ, ଗଲାଣି 90ରୁ ଊର୍ଦ୍ଧ୍ବ ଜୀବନ