ହାଇଦ୍ରାବାଦ:କିଛି ଦିନର ବ୍ୟବଧାନ ମଧ୍ୟରେ ପୁଣି ଚରମ ତିକ୍ତତା ଆଡକୁ ବଢିବାକୁ ଯାଉଛି ଇରାନ ଓ ଇସ୍ରାଏଲ ମଧ୍ୟରେ ଲାଗିଥିବା ବିବାଦ । ପୂର୍ବରୁ ଇସ୍ରାଏଲ ଉପରେ ଡ୍ରୋନ ଆକ୍ରମଣ କରିସାରିଥିବା ଇରାନ ଏବେ ପରମାଣୁ ଆକ୍ରମଣ ଧମକ ଦେଇଛି । ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲ୍ଲୀ ଖାମେନେଇଙ୍କର ନିକଟତମ ପରାମର୍ଶଦାତା ଇରାନ ଆଣବିକ ଶକ୍ତି ବ୍ୟବହାର କରିପାରେ ବୋଲି ସୂଚନା ଦେଇଛନ୍ତି । ଇସ୍ରାଏଲ ସହ ସଙ୍କଟ କିମ୍ବା ଆକ୍ରମଣ ପ୍ରତିଆକ୍ରମଣ ବୃଦ୍ଧି ପାଇଲେ ଇରାନ ଆଣବିକ ଶକ୍ତି ବ୍ୟବହାର କରିବାକୁ ପଛାଇବ ନାହିଁ ବୋଲି ସେ ପରୋକ୍ଷରେ ଇଙ୍ଗିତ କରିଛନ୍ତି । ଏହି ଚେତାବନୀ ସେ ଇସ୍ରାଏଲ ଉଦ୍ଦେଶ୍ୟରେ ଦେଇଥିବା ସ୍ପଷ୍ଟ ହୋଇଛି ।
ଇରାନ ରାଷ୍ଟ୍ରମୁଖ୍ୟଙ୍କ ପରାମର୍ଶଦାତା କମଲ ଖରାଜୀ କହିଛନ୍ତି, ‘‘ଆଣବିକ ଅସ୍ତ୍ର ନିର୍ମାଣ କରିବା ପାଇଁ ଇରାନ କିଛି ନିଷ୍ପତ୍ତି ନେଇନି । ମାତ୍ର ଯଦି ଇରାନରେ ଅସ୍ଥିତ୍ବ ପ୍ରତି ବିପଦ ଦେଖାଯାଏ, ତେବେ କ’ଣ କରାଯାଇପାରିବ । ଇରାନ ନିଜ ସାମରିକ ତତ୍ତ୍ୱରେ ପରିବର୍ତ୍ତନ କରିବାକୁ ବାଧ୍ୟ ହେବ । ଆବଶ୍ୟକ ପଡିଲେ ଆଣବିକ ଅସ୍ତ୍ର ନିର୍ମାଣ ଓ ବ୍ୟବହାର ମଧ୍ୟ ଇରାନ କରିବାକୁ ବାଧ୍ୟ ହେବ । କାରଣ ଏହା ବ୍ୟତୀତ ଇରାନ ନିକଟରେ ଅନ୍ୟ କୌଣସି ବିକଳ୍ପ ନିର୍ଣ୍ଣୟ ନଥିବ ।’’
ଏପ୍ରିଲ ପହିଲାରେ ଇସ୍ରାଏଲ ସିରିୟାରେ ଥିବା ଇରାନୀୟ ଦୂତାବାସ ଉପରେ ଏୟାରଷ୍ଟ୍ରାଇକ କରିଥିଲା । ଏଥିରେ ଇରାନ ରେଭୁଲୁସନେରୀ ଗାର୍ଡର କିଛି ସୈନିକଙ୍କ ସମେତ ଏକାଧିକ କୂଟନୈତିକ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ମାସାଧିକ ସମୟ ଉଭୟ ପକ୍ଷ ମଧ୍ୟରେ ତିକ୍ତତା ଜାରି ରହିଥିବା ବେଳେ ଏପ୍ରିଲ ଶେଷ ଭାଗରେ ଇରାନ ଇସ୍ରାଏଲ ଅଞ୍ଚଳରେ ଡ୍ରୋନ ଆକ୍ରମଣ ମଧ୍ୟ କରିଥିଲା । ଏଥିରେ ଇସ୍ରାଏଲ ପ୍ରତିଆକ୍ରମଣ କରିବା ନେଇ ଅନୁମାନ କରାଯାଉଥିଲେ ସୁଦ୍ଧା ସେପରି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ଇସ୍ରାଏଲ ଏକ ଇସ୍ରାଏଲୀ ଜାହାଜକୁ ମଧ୍ୟ ଇରାନ ଫୋର୍ସ ଆରବ ସାଗରରୁ ଅପହରଣ କରିନେଇଥିଲା । ଯେଉଁଥିରେ ଭାରତୀୟ ନାଗରିକ ଥିଲେ । ଆମେରିକା ଓ ଅନ୍ୟ କିଛି ଦେଶଙ୍କ ହସ୍ତକ୍ଷେପ ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ସାମାନ୍ୟ ପ୍ରଶମିତ ହୋଇଥିଲା । ହେଲେ ଆବଶ୍ୟକ ପଡିଲେ ଇରାନ ନିଜର ସୁରକ୍ଷା ଓ ଅସ୍ଥିତ୍ବ ପାଇଁ ଆଣବିକ ଅସ୍ତ୍ର ବ୍ୟବହାର କରିପାରେ ବୋଲି କହିବା ପରେ ପୁଣି ଥରେ ତିକ୍ତତା ବଢିବାକୁ ଯାଉଛି ।