ହାଇଦ୍ରାବାଦ:ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଅସ୍ତ୍ରବିରତି ବନ୍ଦ ଘୋଷଣାର ମାତ୍ର କିଛି ଘଣ୍ଟା ମଧ୍ୟରେ ଇସ୍ରାଏଲ ସେନା ଦକ୍ଷିଣ-ଗାଜାରେ ଆକ୍ରମଣ ଆରମ୍ଭ କରିଛି । ଗତକାଲି ମଧ୍ୟରାତ୍ରି ଓ ଆଜି ପୂର୍ବାହ୍ନରେ ଦକ୍ଷିଣ ଗାଜା ଓ ଇଜିଷ୍ଟ ସୀମା ନିକଟବର୍ତ୍ତୀ ରଫା ବର୍ଡର ପୋଷ୍ଟ ଏରିଆରେ ଇସ୍ରାଏଲ ସେନା ଏୟାରଷ୍ଟ୍ରାଇକ କରିବାରୁ ପ୍ରାୟ 28 ପାଲେଷ୍ଟାନୀୟଙ୍କର ପ୍ରାଣହାନୀ ଘଟିଥିବାର ସୂଚନା ମିଳିଛି । ଏଥିରେ ଅନେକ ଆହତ ମଧ୍ୟ ହୋଇଛନ୍ତି । ଉତ୍ତର ଗାଜାରେ ଇସ୍ରାଏଲ ସେନାର ଗ୍ରାଉଣ୍ଡ ଅପରେସନ ଆରମ୍ଭ ହେବା ପରେ ଗାଜାବାସୀ ଦକ୍ଷିଣ ଗାଜାକୁ ସ୍ଥାନାନ୍ତରିତ ହୋଇଥିଲେ । ସେମାନେ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଥିଲେ । ଏବେ ଇସ୍ରାଏଲ ସେନା ଦକ୍ଷିଣ ଗାଜାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଛି ।
ନିକଟରେ ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହୋଇଥିଲା । ଏହି ଅବଧି ମଧ୍ୟରେ ଉଭୟ ପକ୍ଷ ଆକ୍ରମଣ ଓ ପ୍ରତିଆକ୍ରମଣ ବନ୍ଦ କରିବା ସହ ପଣବନ୍ଦୀଙ୍କୁ ହସ୍ତାନ୍ତର କରିଥିଲେ । ରେଡକ୍ରସ ଓ ଅନ୍ୟ କିଛି ଦେଶର ପ୍ରତନିଧିଙ୍କ ମାଧ୍ୟମରେ ଏହି ପ୍ରତ୍ୟର୍ପଣ ହୋଇଥିଲା । ମାତ୍ର କିଛି ଦିନ ପରେ ପୁଣି ଆକ୍ରମଣ ପାଇଁ ପରସ୍ପରକୁ ଦାୟୀ କରିଥିଲେ ଉଭୟ ଇସ୍ରାଏଲ ଓ ହମାସ । ନିକଟରେ କିଛି ମାସ ହେବ ଇସ୍ରାଏଲ ସେନା ଆକ୍ରମଣକୁ କୋହଳ କରିଥିଲା । ଗତକାଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଅସ୍ତ୍ରବିରତି ବନ୍ଦ ଘୋଷଣା କରିବା ସହ ପୁଣି ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବାକୁ ସେନାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ରଫା ବର୍ଡରରେ ଭୟଙ୍କର ଆକ୍ରମଣ କରିଛି ଇସ୍ରାଏଲ ସେନା ।