ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମରେ ଗତ ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଛି । ଏହାକୁ ନେଇ ମହାନଗର ନିଗମର ମେୟର, ଡେପୁଟି ମେୟରଙ୍କଠାରୁ ଆରମ୍ଭ କରି ଗୋଟିଏ ଗୋଷ୍ଠୀ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଗତ କିଛି ଦିନର ଅସ୍ଥିରତା ଏବଂ ସୁରକ୍ଷା ଉପରେ ଆଲୋଚନା କରିଛନ୍ତି । ମେୟର ଏବଂ ତାଙ୍କର ପ୍ରତିନିଧି ଦଳ ସୁରକ୍ଷା ପାଇଁ ପୁଣିଥରେ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସଓ) ଯୋଗାଇବାକୁ ଅନୁରୋଧ କରିଛନ୍ତି । ଏନେଇ ରାଜ୍ୟ କମିଟି ଅନୁସାରେ, ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ।
- ସୁରକ୍ଷା ପାଇଁ ଅନୁରୋଧ :
ବ୍ରହ୍ମପୁର ମେୟର ସଂଙ୍ଘମିତ୍ରା ଦଳେଇଙ୍କୁ ପୂର୍ବରୁ ସରକାରଙ୍କ ପକ୍ଷରୁ ସୁରକ୍ଷା କର୍ମୀ ଯୋଗାଇ ଦିଆଯାଇଥିଲା । କିନ୍ତୁ ଗତ କିଛି ମାସ ତଳେ ଏହାକୁ ହଟାଇ ଦିଆଯାଇଥିଲା । ବ୍ରହ୍ମପୁର ମହାନଗର ନିଗମରେ ବିବାଦ ଦେଖାଦେବା ପରେ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ସୁରକ୍ଷା କର୍ମୀ ଯୋଗାଇ ଦେବାକୁ ନିବେଦନ କରିଛନ୍ତି ମେୟର ସଂଙ୍ଘମିତ୍ରା ଦଳେଇ । ରାଜ୍ୟସ୍ତରୀୟ ସୁରକ୍ଷା କମିଟି ନିକଟରେ ଏହି ପ୍ରସ୍ତାବ ଉପସ୍ଥାପନା କରାଯାଇ କମିଟିରେ ଯେଉଁ ବିଷୟ ଆସିବ ସେହି ଅନୁସାରେ ନିଷ୍ପତ୍ତି ନିଆଯିବ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣା ବିବେକ ଏମ୍ ।
- ରାଜ୍ୟସ୍ତରୀୟ ସୁରକ୍ଷା କମିଟିରେ ହୋଇଥାଏ ନିଷ୍ପତ୍ତି:
ପୋଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ହୋଇଥାଏ ରାଜ୍ୟସ୍ତରୀୟ ସୁରକ୍ଷା କମିଟି । ନିର୍ବାଚିତ ଜନପ୍ରତିନିଧିଙ୍କ ମଧ୍ୟରୁ କେଉଁମାନଙ୍କୁ ସୁରକ୍ଷା ଆବଶ୍ୟକତା ରହିଛି, କାହାକୁ ପିଏସଓ ଯୋଗାଇ ଦିଆଯିବ, ଏହାକୁ ନେଇ କମିଟିକୁ ଆସୁଥିବା ପ୍ରସ୍ତାବ ଉପରେ କମିଟି ପକ୍ଷରୁ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଥାଏ । ପୂର୍ବରୁ ଏହି କମିଟି ପକ୍ଷରୁ ବ୍ରହ୍ମପୁର ମେୟରଙ୍କୁ ଯୋଗାଇ ଦିଆଯାଇଥିବା ପିଏସଓକୁ ଉଠାଇ ନିଆଯାଇଥିବା ବେଳେ ବର୍ତ୍ତମାନ ଏହି ବିଷୟକୁ ପୁଣି ସେହି କମିଟିରେ ପ୍ରସ୍ତାବ ଦିଆଯିବ । କମିଟି ପକ୍ଷରୁ ଯାହା ନିଷ୍ପତ୍ତି ନିଆଯିବ ସେହି ଅନୁସାରେ ସୁରକ୍ଷା ଯୋଗାଇ ଦିଆଯିବ୍ ବୋଲି କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡା.ସର୍ବଣା ବିବେକ ଏମ୍ ।
ଏସପି କହିଛନ୍ତି," ପୁଣି ‘ପିଏସଓ’ ସୁରକ୍ଷା ଯୋଗାଇ ଦେବା ପାଇଁ ବ୍ରହ୍ମପୁର ମେୟର ଅନୁରୋଧ କରିଛନ୍ତି । ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ରାଜ୍ୟସ୍ତରୀୟ ଏକ ସୁରକ୍ଷା କମିଟି ଅଛି । ଏହି କମିଟିରେ ଯାହା ନିଷ୍ପତ୍ତି ହୋଇଥାଏ, ଆମେ ତାହାକୁ ପାଳନ କରିଥାଉ । ମେୟର ସୁରକ୍ଷା ପାଇଁ ଅନୁରୋଧ କରିଛନ୍ତି । କମିଟି ଯାହା ନିଷ୍ପତ୍ତି, ନେବ ସେହି ଅନୁସାରେ ଆମେ କାର୍ଯ୍ୟ କରିବୁ ।"
ଏହା ମଧ୍ୟ ପଢ଼ନ୍ତୁ...BeMC କାର୍ଯ୍ୟାଳୟରେ ହାଇଡ୍ରାମା, BJDର ଦୁଇ କର୍ପୋରେଟର ଗୋଷ୍ଠୀ ମୁହାଁମୁହିଁ ଏହା ମଧ୍ୟ ପଢ଼ନ୍ତୁ...BeMC କମିଶନରଙ୍କୁ ଦୁର୍ବ୍ୟବହାର, ଜିଲ୍ଲାପାଳଙ୍କୁ ଜଣାଇଲେ ମେୟର |
BeMC କମିଶନରଙ୍କୁ ଦୁର୍ବ୍ୟବହାର ଅଭିଯୋଗ:
ସୂଚନା ଥାଉକି, ବ୍ରହ୍ମପୁର ବିଜେଡ଼ିରେ ୨ କର୍ପୋରେଟର ଗୋଷ୍ଠୀଙ୍କ କନ୍ଦଳ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ମହାନଗର ନିଗମର ସାଧାରଣ ପରିଷଦ ବୈଠକରେ ଦୁଇ ଗୋଷ୍ଠୀ ମଧ୍ୟରେ ବିଭିନ୍ନ ବିଷୟକୁ ନେଇ ବିବାଦ ଦେଖାଦେବା ସହିତ ୨୬ ନମ୍ବର ୱାର୍ଡ଼ର କର୍ପୋରେଟର ବୈଠକରେ କମିଶନରଙ୍କୁ ଦୁର୍ବ୍ୟବହାର କରିବାର ଅଭିଯୋଗ ଆସିଥିଲା । ଦୁର୍ବ୍ୟବହାର ନେଇ କର୍ପୋରେଟରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମେୟରଙ୍କୁ ଚିଠି ଲେଖିବା ସହିତ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ବିଭାଗକୁ ପତ୍ର ଲେଖିଥିଲେ ନିଗମର କମିଶନର । ସେପଟେ ମେୟର, ତାଙ୍କ ସମର୍ଥକ କର୍ପୋରେଟର ଓ ଏକାଧିକ ବିଜେପି କର୍ପୋରେଟର ଗଞ୍ଜାମ ଜିଲ୍ଲାପାଳ ଏବଂ ପରେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକଙ୍କୁ ସାକ୍ଷାତ କରି ମହାନଗର ନିଗମର ବୈଠକରେ ହୋଇଥିବା ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଗତ ୨ ମାସ ଧରି ନିର୍ଦ୍ଦିଷ୍ଟ କିଛି କର୍ପୋରେଟର ନିଗମରେ ଗୁଣ୍ଡାଗର୍ଦ୍ଦି କରୁଥିବା ନେଇ ଅଭିଯୋଗ ଆଣିଥିଲେ ।
ଇଟିଭି ଭାରତ, ବ୍ରହ୍ମପୁର