କେବେ ଅନୁଭବ କରିଛନ୍ତି କି, ବେଳେବେଳେ ହଠାତ୍ ଆମକୁ ମିଠା ଖାଇବାକୁ ପ୍ରବଳ ଇଚ୍ଛା ହୁଏ । ଏହି ସମୟରେ ଆମେ ଚକୋଲେଟ, କେକ୍, ଆଇସିକ୍ରିମ ଏବଂ ଅନ୍ୟାନ୍ୟ ମିଠାଜାତୀୟ ଖାଦ୍ୟ ଖୋଜିଥାଉ । ଯଦି ମିଠା ନମିଳେ ମନ ଅସ୍ଥିର ଲାଗିବା ସହ ଖୁବ୍ ଚିଡ୍ଚିଡା ଅନୁଭବ କରୁ । ଯଦି ହଁ, ତାହେଲେ କେବେ ଭାବିଛନ୍ତି ଏମିତି କାହିଁକି ହୁଏ ?
ଏନେଇ ବିଶେଷଜ୍ଞ କହିଛନ୍ତି, ''ମିଠା ଖାଇବାର ଏହି ଲାଳସାକୁ ଇଂରାଜୀରେ 'ସୁଗାର କ୍ରେଭିଙ୍ଗ' (Sugar cravings) କୁହାଯାଏ ଯାହାକି ଅତି ସାଧାରଣ କଥା । କିନ୍ତୁ ଯଦି ଏହି କ୍ରେଭିଙ୍ଗ ଲୋକଙ୍କ ମଧ୍ୟରେ ଅସ୍ବାଭାବିକ ଭାବେ ବଢେ ତେବେ ଏହା ସାଧାରଣ ହୋଇନପାରେ । ଶରୀରରେ କିଛି ପୋଷଣର ଅଭାବ କିମ୍ବା କୌଣସି ସ୍ବାସ୍ଥ୍ୟ ସମସ୍ୟାର ସଙ୍କେତ ହୋଇପାରେ । ଯଦି କ୍ରେଭିଙ୍ଗ ଉପରେ ନିୟନ୍ତ୍ରଣ ନ ରଖନ୍ତି ଏବଂ ଇଚ୍ଛା ହେବା ମାତ୍ରେ ସମୟ ଅସମୟରେ ଅତ୍ୟଧିକ ମିଠା ସେବନ କରନ୍ତି ଏହାଦ୍ବାରା ସାମଗ୍ରିକ ସ୍ବାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ ।''
ସୁଗାର କ୍ରେଭିଙ୍ଗ କାରଣ ?
- ଦିଲ୍ଲୀର ନ୍ୟୁଟ୍ରନିଷ୍ଟ ଡଃ ଦିବ୍ୟ ଶର୍ମା କହିଛନ୍ତି, ମିଠା ଶରୀରରେ ଶକ୍ତି ଉତ୍ପାଦନ ତଥା ପରିଚାଳନାରେ ସାହାଯ୍ୟ କରିଥାଏ । କେବେ ଯଦି ଆମେ ମାନସିକ କିମ୍ବା ଶାରିରୀକ ଭାବେ କ୍ଲାନ୍ତ ଓ ଚାପର ସାମ୍ନା କରୁ, ଆମ ଶରୀର ତୁରନ୍ତ ଶକ୍ତି ଆବଶ୍ୟକ କରେ । ବେଳେବେଳେ ଏପରି ସ୍ଥିତିରେ ମିଠା ଖାଇବାକୁ ପ୍ରବଳ ଇଚ୍ଛା ହୁଏ ବା ସୁଗାର କ୍ରେଭିଙ୍ଗ ହୋଇଥାଏ । ମିଠା ଖାଇବା ଦ୍ବାରା ତୁରନ୍ତ ଶରୀରକୁ ଆବଶ୍ୟକ ପରିମାଣର ଶକ୍ତି ମିଳିଥାଏ ।
- ଶରୀରରେ ବ୍ଲଡସୁଗାରରେ ପରିବର୍ତ୍ତନ କିମ୍ବା ସୁଗାର ସ୍ତର କମ୍ ହେବା ଯୋଗୁଁ କ୍ରେଭିଙ୍ଗ ହୋଇପାରେ । ସେହିପରି କିଛି ହରମୋନରେ ପରିବର୍ତ୍ତନ ମଧ୍ୟ ବେଳେବେଳେ ସୁଗାର କ୍ରେଭିଙ୍ଗ କାରଣ ହୋଇଥାଏ । ଖାସ୍ କରି ମହିଳାଙ୍କଠାରେ ଏହା ଅଧିକ ଦେଖାଯାଏ ।
- ଏଥିସହ ନିଦ ଅଭାବ, ଶରୀରରେ କିଛି ପୋଷଣର ଅଭାବ ହେଲେ ମିଠା ଖାଇବାକୁ କ୍ରେଭିଙ୍ଗ ହୋଇଥାଏ । ନିଦ ପୁରା ନହେଲେ ଆମ ଶରୀର ଶକ୍ତି ପାଇଁ ଉତ୍ସ ଖୋଜିବାକୁ ଚେଷ୍ଟା କରିଥାଏ । ଯେହେତୁ ମିଠା ଖାଇବା ଦ୍ବାରା ତୁରନ୍ତ ଶକ୍ତି ମିଳିଥାଏ ତେଣୁ ମିଠା ଖାଇବାକୁ ମନ ହୁଏ । ସେହିପରି ଖାଦ୍ୟରେ ପ୍ରୋଟିନ, ଫାଇବର, ମ୍ୟାଗ୍ନେସିୟମ, କ୍ରୋମିୟମ, ଜିଙ୍କ ଓ ହେଲ୍ଦି ଫ୍ୟାଟ ଅଭାବ ହେଲେ ବି ମିଠା ଖାଇବାକୁ ଖୁବ୍ ଇଚ୍ଛା ହୁଏ ।
ଅସ୍ବାଭାବିକ କ୍ରେଭିଙ୍ଗ ହାନିକାରକ:
ଯଦିଓ ମିଠା ଖାଇବାକୁ ଇଚ୍ଛା ହେବା ଏକ ସ୍ବାଭାବିକ କଥା, କିନ୍ତୁ ଅଧିକ ହେଲେ ଏହା ଅସ୍ବାଭାବିକ । ଏହି ଅବସ୍ଥାରେ ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ୍ । ଡଃ ଦିବ୍ୟ ଶର୍ମା କହିଛନ୍ତି, ଅତ୍ୟଧିକ ମିଠା ଖାଇବା ହେତୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଓଜନ ବଢିବା, ଡାଇବେଟିସ୍ ଭଳି ରୋଗ ଆଶଙ୍କା ବଢିଥାଏ । ତେଣୁ ଏହାକୁ ନିୟନ୍ତ୍ରଣ କରିବା ଜରୁରୀ । ସୁସ୍ଥ ଅଭ୍ୟାସ, ସନ୍ତୁଳିତ ଖାଦ୍ୟ ଓ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଏହି କ୍ରେଭିଙ୍ଗକୁ ସହଜରେ ନିୟନ୍ତ୍ରଣ କରାଯାଇପାରିବ । ମନେରଖନ୍ତୁ, ମିଠା କେବଳ ସୀମିତ ମାତ୍ରାରେ ଖାଇଲେ ହିଁ ଭଲ ।
ମିଠା କ୍ରେଭିଙ୍ଗ ନିୟନ୍ତ୍ରଣ କରିବାର ଉପାୟ:
ଯଦି ଅସ୍ବାଭାବିକ ଭାବେ ମିଠା ଖାଇବାକୁ ଇଚ୍ଛା ହେଉଛି ତାହେଲେ ନ୍ୟୁଟ୍ରନିଷ୍ଟ କିମ୍ବା ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ଏହାଛଡା ନିଜର ଦିନଚର୍ଯ୍ୟାରେ କିଛି ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ ।