ଓଡିଶା

odisha

ETV Bharat / health

ଯୋନି ସଂକ୍ରମଣକୁ କରନ୍ତୁନି ଅବହେଳା, ନେଇପାରେ କ୍ୟାନ୍ସର ରୂପ, ସାବଧାନ ମହିଳା ! - VAGINAL INFECTION

ଯୋନି କୁଣ୍ଡେଇ ହେବା, ଲାଲ୍ ପଡିବା, ଧଳାସ୍ରାବ, ପରିସ୍ରା ପୋଡା ଇତ୍ୟାଦି ହୋଇଥାଏ ଯୋନି ସଂକ୍ରମଣ । ଅବହେଳା କଲେ ବଢିପାରେ କ୍ୟାନ୍ସର ବିପଦ । ପଢନ୍ତୁ ପୁରା ଖବର

What causes Vaginal Infection
What causes Vaginal Infection (ETV Bharat)

By ETV Bharat Health Team

Published : 8 hours ago

ଭୁବନେଶ୍ବର: ଅନେକ ସମୟରେ ଅଧିକାଂଶ ମହିଳା ଯୋନି କୁଣ୍ଡେଇ ହେବା, ଲାଲ୍ ପଡିବା, ଧଳାସ୍ରାବ, ପରିସ୍ରା ପୋଡା ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏହା ଯୋନି ସଂକ୍ରମଣ ବା ଭଜାଇନାଲ ଇନଫେକ୍ସନ (Vaginal Infection) ଯୋଗୁଁ ହୋଇଥାଏ । କେତେକ ମହିଳା ଲଜ୍ଜାବଶତଃ କିମ୍ବା ଅନ୍ୟ କୌଣସି କାରଣରୁ ଏହାର ଚିକିତ୍ସା କରିବାକୁ କୁଣ୍ଠାବୋଧ କରିଥାନ୍ତି । ଆପେ ଆପେ ଠିକ୍ ହୋଇଯିବ ଭାବି ଅବହେଳା କରିଥାନ୍ତି । ମାତ୍ର ଏହି ସଂକ୍ରମଣକୁ ଆଦୌ ହାଲୁକା ଭାବେ ନେବା ଅନୁଚିତ୍ । କାରଣ ଯୋନି ସଂକ୍ରମଣ ମହିଳାଙ୍କଠାରେ କ୍ୟାନ୍ସରର ରୂପ ମଧ୍ୟ ନେଇପାରେ । ତେବେ ଯୋନି ସଂକ୍ରମଣ କ'ଣ, ଏହାର ଲକ୍ଷଣ ଓ ଚିକିତ୍ସା ସମ୍ପର୍କରେ ETV Bharat ସହ ଅଧିକ ଆଲୋଚନା କରିଛନ୍ତି ସ୍ତ୍ରୀ ଓ ପ୍ରସୂତି ରୋଗ ଡାକ୍ତର ଶିବାନୀ ଦେବୀ ।

ଯୋନି ସଂକ୍ରମଣ କ'ଣ ?

ଯୋନି ସଂକ୍ରମଣ ବିଶେଷ ଭାବେ ଋତୁସ୍ରାବ ସମୟରେ ଦେଖାଯାଇଥାଏ । କେତେକ ମହିଳାଙ୍କ ପ୍ରଚୁର ମାତ୍ରାରେ ଋତୁସ୍ରାବ ହୋଇଥାଏ । ଏହି କାରଣରୁ ସେମାନଙ୍କୁ ଯୋନି ସଂକ୍ରମଣ ହେବାର ସମ୍ଭାବନା ମଧ୍ୟ ଅଧିକ ଥାଏ । ସଂକ୍ରମଣ ହେଲେ ଯୋନି କୁଣ୍ଡେଇ ହେବା, ଲାଲ୍ ପଡିବା, ଅନେକ ସମୟରେ ଘା' ହେବା, ଅତ୍ୟଧିକ ଧଳାସ୍ରାବ, ପରିସ୍ରା ସମୟରେ ଯନ୍ତ୍ରଣା ଓ ପୋଡାଜଳା କରିବା ଭଳି ଲକ୍ଷଣମାନେ ଦେଖାଯାଇଥାଏ । ଏହା ମହିଳାଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତାଙ୍କର ଦୈନନ୍ଦିନ କାର୍ଯ୍ୟକଳାପ ବାଧାପ୍ରାପ୍ତ ହୋଇଥାଏ । ଏପରି ସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରି ଔଷଧ ବ୍ୟବହାର କରିବା ଆବଶ୍ୟକ । ତେବେ ସବୁ ଧଳାସ୍ରାବ ବା ହ୍ବାଇଟ୍ ଡିସଚାର୍ଜ ସଂକ୍ରମଣ ହୋଇନଥାଏ ବୋଲି କହିଛନ୍ତି ଡାକ୍ତର ।

କାହିଁକି ହୁଏ ଯୋନି ସଂକ୍ରମଣ (ETV Bharat)

ଅତ୍ୟଧିକ ଆଣ୍ଟିବାୟୋଟିକ୍ ଖାଉଥିଲେ ସାବଧାନ:

ସ୍ତ୍ରୀ ପ୍ରସୂତି ବିଭାଗ ଡାକ୍ତର ଶିବାନୀ ଦେବୀ କହିଛନ୍ତି ଯେ, ଶରୀରର ଇମ୍ୟୁନିଟି କମ୍ ହେଲେ କିମ୍ବା ଅଧିକ ଆଣ୍ଟିବାୟୋଟିକ ସେବନ କରୁଥିଲେ ସଂକ୍ରମଣ ସମ୍ଭାବନା ଅଧିକ ରହିଥାଏ । ବାରମ୍ବାର ଡେଟଲ ଓ ସ୍ପିରିଟରେ ଯୋନି ସଫା କରିବା ଦ୍ବାରା ଭଲ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଏ । ଏହି କାରଣରୁ ମଧ୍ୟ ସଂକ୍ରମଣ ହୋଇଥାଏ । ଯୋନି ସଫା ରଖିବା ପାଇଁ କୌଣସି ପ୍ରକାର କେମିକାଲ ମିଶ୍ରିତ ପ୍ରଡକ୍ଟ ବ୍ୟବହାର କରିବା ଅନୁଚିତ୍ । କାରଣ ଯୋନି ଆପେ ଆପେ ସଫା ହୋଇଥାଏ । ଆପଣ ସାଧାରଣ ପାଣି ଓ ବେଳେବେଳେ ସାବୁନରେ ଧୋଇପାରିବେ ।

ଯଦି ଅଧିକ ଚାଲୁଛନ୍ତି କିମ୍ବା ଜିମ୍ ଯାଉଛନ୍ତି ତେବେ ସାଧାରଣ ପାଣିରେ ଧୁଅନ୍ତୁ । ଏହାଦ୍ବାରା ଯୋନି ସ୍ବାସ୍ଥ୍ୟ ଠିକ୍ ରହିଥାଏ । ଯୋନି ଅଧିକ ସମୟ ଓଦା ରହିଲେ ଇନଫେକ୍ସନ ହେବାର ସମ୍ଭାବନା ଥାଏ । ପରିଷ୍କାର ପରିଚ୍ଛନ୍ନ ରହିବା ଜରୁରୀ । ନିଜର ଅଣ୍ଟର ଗାରମେଣ୍ଟ ସଫା ରଖନ୍ତୁ । ବିଶେଷକରି ଋତୁସ୍ରାବ ପରିଚ୍ଛନ୍ନତା ଅଧିକ ଜରୁରୀ ହୋଇଥାଏ ବୋଲି ସେ କହିଛନ୍ତି ।

ଯୋନି ସଂକ୍ରମଣ ଲକ୍ଷଣ ?

  • ଯୋନି କୁଣ୍ଡେଇ ହେବା
  • ଲାଲ୍ ପଡିଯିବା
  • ପରିସ୍ରା ସମୟରେ ଯନ୍ତ୍ରଣା ହେବା
  • ଧଳାସ୍ରାବ
  • ଦୁର୍ଗନ୍ଧଯୁକ୍ତ ସ୍ରାବ
  • ପରିସ୍ରା ପୋଡା
  • ଚିଡ୍‌ଚିଡା ହେବା
  • ବାରମ୍ବାର ଜ୍ବର ଆସିବା

ନିରାକରଣ:

ଡାକ୍ତର ଶିବାନୀ ଦେବୀ କହିଛନ୍ତି, ସଂକ୍ରମଣର ଲକ୍ଷଣକୁ ଯାଞ୍ଚ କରିବା ପରେ ଡାକ୍ତର ଚିକିତ୍ସା କରିଥାନ୍ତି । ବେଳେବେଳେ ସଂକ୍ରମଣ ନଥାଇ ମଧ୍ୟ ଯୋନି କୁଣ୍ଡେଇ ହେବା ସମସ୍ୟା ହୋଇପାରେ । ଶରୀରରେ ସୁଗାର ମାତ୍ରା ବଢିଲେ ବା ହାଇସୁଗାର ଯୋଗୁଁ ଏପରି ସମସ୍ୟା ଦେଖାଯାଏ । ସେହିପରି ମହିଳାଙ୍କ ଯଦି କିଛି ବର୍ଷ ହେଲା ଋତୁସ୍ରାବ ବନ୍ଦ (ମେନୋପଜ) ହୋଇଯାଇଛି ତେବେ ଯୋନି କୁଣ୍ଡେଇ ହେବା ଏବଂ ସଂକ୍ରମଣ ହେବାର ସମ୍ଭାବନା ରହିଥାଏ । ଏ କ୍ଷେତ୍ରରେ ସେହି ମହିଳାଙ୍କୁ ସାଧାରଣ ଭାବେ ହରମୋନାଲ ମେଡିସିନ ଦିଆଯାଇଥାଏ । ଏହି ସଂକ୍ରମଣ ବେଳେବେଳେ କ୍ୟାନ୍ସର ରୂପ ନେବାର ମଧ୍ୟ ଆଶଙ୍କା ରହିଥାଏ ।

ଏହା ମଧ୍ୟ ପଢନ୍ତୁ: ଆତଙ୍କ ଖେଳାଉଛି ଡିଙ୍ଗା ଡିଙ୍ଗା ଭାଇରସ୍: ହଲି ହଲି ନାଚୁଛନ୍ତି ରୋଗୀ - DINGA DINGA VIRUS

ଏହା ମଧ୍ୟ ପଢନ୍ତୁ: କାହିଁକି ହୁଏ ବ୍ରେନ ଟ୍ୟୁମର, ଜାଣନ୍ତୁ ଏହାର ଲକ୍ଷଣ ଓ ନିରାକରଣ - BRAIN TUMOR

ଏହା ମଧ୍ୟ ପଢନ୍ତୁ: ମୁହଁରେ ଲଗାନ୍ତୁ ଚାଉଳ ଧୁଆ ପାଣି, ଫାଇଦା ଦେଖିଲେ ହେବେ ଆଶ୍ଚର୍ଯ୍ୟ - RICE WATER FOR SKIN

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details