ବୟସ ବଢିବା ସହ ଆମ ଶରୀରରେ ଅନେକ ପ୍ରକାର ପରିବର୍ତ୍ତନ ଘଟେ, ଖାସ୍ କରି ମହିଳାଙ୍କଠାରେ । ସାଧାରଣତଃ 40-50 ବର୍ଷ ପରେ ମହିଳାଙ୍କୁ ବାରମ୍ବାର ପରିସ୍ରା ଲାଗିବା, ପରିସ୍ରା ହେବା ଭଳି ଅନୁଭବ ହେବା ସମସ୍ୟା ଦେଖାଥାଏ । ଏହା କେବଳ ଶାରିରୀକ ଅସୁବିଧାର କାରଣ ହୁଏନି ବରଂ ସାମାଜିକ ଜୀବନକୁ ମଧ୍ୟ ପ୍ରଭାବିତ କରେ । ଏହି ସମସ୍ୟା ଭୋଗୁଥିବା ମହିଳାମାନେ ବେଳେବେଳେ ଲଜ୍ଜାବଶତଃ କାହାରିକୁ ଏ ବିଷୟରେ କହିପାରନ୍ତି ନାହିଁ, ଯାହାକି ସମ୍ପୂର୍ଣ୍ଣ ଭୁଲ୍ । କାରଣ ଏହି ପରିସ୍ରା ସମସ୍ୟାକୁ ଅଣଦେଖା କରିବା ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ ।
ଏନେଇ ଡାକ୍ତରଙ୍କ କହିବା କଥା, ବୟସ ବଢିବା ସହିତ କମ୍ ଅନ୍ତରାଳରେ ବାରମ୍ବାର ପରିସ୍ରା ଲାଗିବା ଓ ଅନୁଭବ ହେବା ସାଧାରଣ କଥା, କିନ୍ତୁ ଏହାକୁ ଅଣଦେଖା କରିବା ଠିକ୍ ନୁହେଁ । ଯଦି ଠିକ୍ ସମୟରେ ଏହାର ଚିକିତ୍ସା ଓ ସତର୍କତା ଅବଲମ୍ବନ କରାନଯାଏ ତେବେ ଏହି ସମସ୍ୟା ବଢିବା ସହ ଅନ୍ୟ କେତେକ ସମସ୍ୟା ସୃଷ୍ଟି କରିପାରେ ।
କାରଣ
ବେଙ୍ଗାଲୁରୁର ମହିଳା ରୋଗ ବିଶେଷଜ୍ଞ ଡଃ ଜୟନ୍ତୀ କେ ବାଡେକର କହିଛନ୍ତି ଯେ, ହରମୋନାଲ ସମସ୍ୟା ଓ ଶାରିରୀକ ଦୁର୍ବଳତା ସହ ଜଡିତ ବିଭିନ୍ନ କାରଣରୁ ମହିଳାଙ୍କଠାରେ ଏହି ସମସ୍ୟା ଦେଖାଦେଇପାରେ । ବୟସ ବଢିବା ସହ ଆମ ଶରୀରରେ ଅନେକ ପରିବର୍ତ୍ତନ ହୋଇଥାଏ । ବିଶେଷକରି ମହିଳମାନେ ମେନୋପଜ ପ୍ରକ୍ରିୟା ଦେଇ ଗତି କରିଥାନ୍ତି । ମେନୋପଜ ଏପରି ଏକ ଅବସ୍ଥା, ଯେଉଁଥିରେ ମହିଳାଙ୍କ ମାସିକ ଋତୁସ୍ରାବ ବନ୍ଦ ହୋଇଯାଏ । ଏହି କାରଣରୁ ସେମାନଙ୍କ ଶରୀରରେ ଅନେକ ପ୍ରକାର ହରମୋନାଲ ପରିବର୍ତ୍ତନ ଓ ଦୁର୍ବଳତା ଦେଖାଯାଏ ।
ବୟସ ବୃଦ୍ଧି ହେବା ସହ ବେଳେବେଳେ ବ୍ଲାଡର ଓ ପେଲଭିକ ମାଂସପେଶୀ ଦୁର୍ବଳ ହେବାକୁ ଲାଗେ ଯାହା ଏଭଳି ସମସ୍ୟା ସୃଷ୍ଟି କରିପାରେ । ଓଭରଆକ୍ଟିଭ ବ୍ଲାଡର ବା ୟୁଟିଆଇ ଯୋଗୁଁ ମଧ୍ୟ ବାରମ୍ବାର ପରିସ୍ରା ଲାଗିଥାଏ । ଡାକ୍ତରଙ୍କ କହିବା ଅନୁଯାୟୀ, ମହିଳାଙ୍କୁ ବାରମ୍ବାର ପରିସ୍ରା ଲାଗିବା, ଏପରି ଅନୁଭବ ହେବା କିମ୍ବା ପରିସ୍ରା ଉପରେ ନିୟନ୍ତ୍ରଣ ନ ରହିବା ପାଇଁ ଅନେକ କାରଣ ଦାୟୀ ହୋଇପାରେ । ଯେପରିକି:-
ହରମୋନାଲ ପରିବର୍ତ୍ତନ: ମେନୋପଜ ସମୟରେ କିମ୍ବା ଏହାପରେ ବେଳେବେଳେ ଶରୀରରେ ଏଷ୍ଟ୍ରୋଜନ ହରମୋନ ଅଭାବରୁ ବ୍ଲାଡର ଓ ମୂତ୍ରନଳୀ ଦୁର୍ବଳ ହୋଇଯାଏ ।
ପେଲଭିକ ମାଂସପେଶୀ ଦୁର୍ବଳତା: ବୟସ ବଢିବା ସହ ପେଲଭିକ ମାଂସପେଶୀ ଢିଲା ହେବାକୁ ଲାଗେ । ଏହାଦ୍ବାରା ପରିସ୍ରା ଉପରେ ନିୟନ୍ତ୍ରଣ କମିଥାଏ । ପରିସ୍ରା ଲାଗିବା ମାତ୍ରେ ଏହାକୁ ରୋକିବା କଷ୍ଟକର ହୋଇପଡେ ।