ହାଇଦ୍ରାବାଦ:ଆଜିକାଲି ହୃଦଘାତ ଅତି ସାଧାରଣ ରୋଗ ହୋଇଗଲାଣି । ଦେଶରେ ବଢିବାରେ ଲାଗିଛି ହୃଦଘାତ ଜନିତ ମୃତ୍ୟୁ । କିଏ କେତେବେଳେ ନାଚିବା ବେଳେ ଟଳିପଡିଲାଣି ତ କିଏ ଏକ୍ସରସାଇଜ କରିବା ବେଳେ ଆଖି ବୁଜିଲାଣି । ବିଶେଷକରି ଆଜିକାଲି ଯୁବବର୍ଗଙ୍କ ଠାରେ ଅଧିକ ହୃଦଘାତ ଦେଖାଯାଉଛି । ନିଜର ଖାଦ୍ୟପେୟ ଓ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସତ୍ତ୍ବେ ଲୋକେ ହୃଦଘାତରେ ପ୍ରାଣ ହରାଉଛି । ଏହାରି ମଧ୍ୟରେ ଏକ ତଥ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ହୃଦଘାତ ପାଇଁ ଶବ୍ଦ ପ୍ରଦୂଷଣକୁ ଦାୟୀ କରାଯାଇଛି । ଏଥିରେ ମୁଖ୍ୟତଃ ସହରୀ ଶବ୍ଦ ପ୍ରଦୂଷଣ କାରଣରୁ ଅଧିକ ହୃଦଘାତ ହେଉଥିବା କୁହାଯାଇଛି ।
ବିଭିନ୍ନ ଇଉରୋପୀୟ ସହରରେ ହୋଇଥିବା ଦୁଇଟି ଅଧ୍ୟୟନରୁ ଜଣାପଡିଛି ଯେ, ସହରୀ ଶବ୍ଦ ପ୍ରଦୂଷଣ ହୃଦୟ ସ୍ବାସ୍ଥ୍ୟ ଉପରେ ବଡ଼ ନକରାତ୍ମକ ପ୍ରଭାବ ପକାଇଥାଏ । ଏହି DECIBEL-MI ଅଧ୍ୟୟନରେ ଦେଖାଯାଇଛି, ହୃଦଘାତରେ ପୀଡିତ 50 ବର୍ଷ ଓ ଏହାଠୁ କମ୍ ବୟସର ରୋଗୀ ଯିଏକି ମାୟୋକାର୍ଡିୟଲ ଇନଫାର୍କ୍ସନର (myocardial infarction) ଶିକାର ହୋଇଥିଲେ, ସେମାନେ ସାଧାରଣ ଲୋକଙ୍କ ଅପେକ୍ଷାରେ ଅଧିକ ଉଚ୍ଚ ସ୍ତରର ଶବ୍ଦ ସଂସ୍ପର୍ଶରେ ଆସିଥିଲେ । କହୁରଖୁଛୁ କି, ମାୟୋକାର୍ଡିୟଲ ଇନଫାର୍କ୍ସନ ହେଉଛି ହୃଦଘାତ, ହୃଦୟର ମାଂସପେଶୀକୁ ପର୍ଯ୍ୟାପ୍ତ ଅକ୍ସିଜେନ ନ ମିଳିପାରିଲେ ଏହି ହୃଦଘାତ ହୋଇଥାଏ ।