Health benefits of Cauliflower: ସାଧାରଣତଃ ଶୀତ ଦିନେ ବଜାରରେ ଅଧିକ ଫୁଲକୋବି ମିଳିଥାଏ । ଏହି ଦିନରେ ଫୁଲକୋବିର ବେଶ୍ ଚାହିଦା ଥାଏ । ଖାସ୍ କରି ଶାକାହାରୀ ଲୋକଙ୍କର ଏହି ପରିବା ବେଶୀ ପସନ୍ଦ । ଜାଣନ୍ତି ଫୁଲକୋବି କେବଳ ସ୍ବାଦରେ ନୁହେଁ, ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ । ବିଶେଷଜ୍ଞଙ୍କ କହିବା ଅନୁସାରେ ଫୁଲକୋବିରେ କମ୍ କ୍ୟାଲୋରୀ ସହ ଫାଇବର, ପ୍ରୋଟିନ, ଭିଟାମିନ-ସି, ମ୍ୟାଗ୍ନେସିୟମ, ପୋଟାସିୟମ, ସୋଡିୟମ ଓ କାର୍ବୋହାଇଡ୍ରେଟ ରହିଥାଏ । ଯାହାକି ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।
ଏହି ଖବରରେ ଜାଣନ୍ତୁ ଫୁଲକୋବି ଖାଇବାର ଫାଇଦା:
ହଜମ କ୍ରିୟା:
ଫୁଲକୋବିରେ ଅଧିକ ଫାଇବର ଓ ପାଣି ଥାଏ । ଉଭୟ କୋଷ୍ଠକାଠିନ୍ୟ ରୋକିବା, ସୁସ୍ଥ ହଜମ ପ୍ରକ୍ରିୟା ବଜାୟ ରଖିବା ଓ କୋଲୋନ କ୍ୟାନ୍ସର ଆଶଙ୍କା କମାଇବା ପାଇଁ ଗୁରୁତ୍ବପୂର୍ଣ୍ଣ । ଅଧ୍ୟୟନରୁ ଜଣାପଡେ, ଡାଏଟାରୀ ଫାଇବର ରୋଗ ପ୍ରତିରୋଧକ ଶକ୍ତି ଓ ପ୍ରଦାହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଫଳସୂରୁପ, ଏହା ହୃଦରୋଗ, ମଧୁମେହ, କ୍ୟାନ୍ସର ଓ ମୋଟାପା ଭଳି ସ୍ବାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ହ୍ରାସ କରିପାରେ ।
ହାଡ ମଜଭୁତ:
ଫୁଲକୋବିରେ ପ୍ରଚୁର ପରିମାଣର ଭିଟାମିନ-କେ ମିଳିଥାଏ, ଯାହା ହାଡ ମଜଭୁତ କରିବାରେ ସାହାଯ୍ୟ କରେ । ଏହା ହାଡର ଘନତ୍ବ ଉନ୍ନତ କରି ହାଡ ଭାଙ୍ଗିବା ଓ ଅଷ୍ଟିଓପୋରୋସିସ୍ ଆଶଙ୍କା କମାଇପାରେ । ଶରୀରକୁ ନିୟମିତ ଭିଟାମିନ-କେ ମିଳିବା ଦ୍ବାରା ହାଡ ସୁଦୃଢ ହୁଏ ।
ଓଜନ ନିୟନ୍ତ୍ରଣରେ ସହାୟକ:
ଫୁଲକୋବିରେ ଥିବା କେତେକ ଗୁଣ ଓଜନ ହ୍ରାସରେ ସହାୟକ ହୋଇପାରେ । ଏହା କମ୍ କ୍ୟାଲୋରୀ ଯୁକ୍ତ କିନ୍ତୁ ଫାଇବାର ଓ ଜଳ ମାତ୍ରା ଅଧିକ । ଏସବୁ ତତ୍ତ୍ବ ଓଜନ କମାଇବାରେ ଉପଯୋଗୀ ହୋଇଥାଏ । ଏହାକୁ ଖାଇବା ଦ୍ବାରା ଦୀର୍ଘ ସମୟ ଯାଏଁ ପେଟ ଫୁଲ୍ ରହିବାର ଅନୁଭବ ହୁଏ ଓ ହଜମ ପ୍ରକ୍ରିୟା ଠିକ୍ ରହେ । ତେଣୁ ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ଲୋକେ ଏହି ଶୀତଦିନିଆ ପରିବାର ଖାଇବା ଲାଭଦାୟକ ।