ହାଇଦ୍ରାବାଦ:ଅନେକ ଲୋକଙ୍କୁ ଏନର୍ଜି ଡ୍ରିଙ୍କ ପିଇବା ପସନ୍ଦ ହୋଇଥାଏ । କିଛି ବ୍ୟକ୍ତି ଏହାକୁ ପ୍ରତିଦିନ ପିଇ ଥାଆନ୍ତି । ଅନେକ ଲୋକ ଭାବନ୍ତି ଏହା ପିଇବା ଦ୍ବାରା ଶରୀରକୁ ଶକ୍ତି ମିଳିବ । କିନ୍ତୁ ନିକଟରେ ହୋଇଥିବା ଏକ ଅନୁସନ୍ଧାନ ଏହାକୁ ଭୁଲ ପ୍ରମାଣିତ କରିଛି । ଏନର୍ଜି ଡ୍ରିଙ୍ଗ ନିଦ୍ରାହୀନତାର କାରଣ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି । ଏନର୍ଜି ଡ୍ରିଙ୍କରେ ଅଧିକ ମାତ୍ରାରେ କେଫିନ ରହିଥାଏ, ତେଣୁ ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ ବୋଲି ସମସ୍ତେ ଭାବନ୍ତି, କିନ୍ତୁ ଏହାକୁ ଭୁଲ ବୋଲି ଦର୍ଶାଇଛନ୍ତି ବୈଜ୍ଞାନିକ । ଏହି ରିସର୍ଚ୍ଚ ଓପନ ଏକ୍ସେସ ଜର୍ନାଲରେ ପ୍ରକାଶିତ ହୋଇଛି ।
ଅନୁସନ୍ଧାନକାରୀମାନେ 18 ରୁ 35 ବର୍ଷ ବୟସର 53ହଜାର 266 ଛାତ୍ରଛାତ୍ରୀଙ୍କ ତଥ୍ୟ ସଂଗ୍ରହ କରି ଅନୁଧ୍ୟାନ କରିଥିଲେ । ସେମାନେ କେତେ ପରିମାଣର ଏନର୍ଜି ଡ୍ରିଙ୍କ ପିଉଥିଲେ ଏବଂ କେତେ ମାତ୍ରାରେ ନିଦ୍ରା ପ୍ରଭାବିତ ହୋଇଥିଲା ସେନେଇ ଏକ ତଥ୍ୟ ହାସଲ କରାଯାଇଥିଲା । ତେବେ ଅନୁସନ୍ଧାନର ଫଳାଫଳ ଆଶ୍ଚର୍ଯ୍ୟଜନକ ରହିଥିଲା । ଯେଉଁ ଛାତ୍ରଛାତ୍ରୀମାନେ ପ୍ରତିଦିନ ଏନର୍ଜି ଡ୍ରିଙ୍କ ପିଉଥିଲେ ସେମାନଙ୍କଠାରେ ଶୋଇବାରେ ଅନିୟମିତତା, କମ୍ ସମୟ ଶୋଇବା ଭଳି ସମସ୍ୟା ଦେଖାଯାଉଥିଲା । ଯେତେ ଅଧିକ ଏନର୍ଜି ଡ୍ରିଙ୍କ ପିଉଥିଲେ, ସେତେ ଅଧିକ ପରିମାଣରେ ନିଦ୍ରାହୀନତା ସମସ୍ୟା ଦେଖା ଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: ଚା' କିମ୍ବା କଫି ପିଇବା ପୂର୍ବରୁ ପାଣି ପିଉଛନ୍ତି କି ? ଜାଣନ୍ତୁ ଶରୀର ଉପରେ ପ୍ରଭାବ