ଓଡିଶା

odisha

ETV Bharat / health

କଞ୍ଚା ଅମୃତଭଣ୍ଡା କମାଏ କ୍ୟାନ୍ସର ବିପଦ, ଅଧ୍ୟୟନରେ ଖୁଲାସା - RAW PAPAYA HEALTH BENEFITS

କଞ୍ଚା ଅମୃତଭଣ୍ଡା ଭିଟାମିନ ଓ ମିନେରାଲରେ ଭରପୂର ହୋଇଥାଏ । ଭଣ୍ଡା ଖାଇଲେ ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ । ଜାଣନ୍ତୁ ସେସବୁ କ'ଣ

Raw papaya health benefits
Raw papaya health benefits (ETV Bharat)

By ETV Bharat Health Team

Published : 9 hours ago

କଞ୍ଚା ଅମୃତଭଣ୍ଡା ପ୍ରତି ଓଡିଆ ରୋଷେଇ ଘରେ ଏକ ନିତିଦିନିଆ ପରିବା । ସାଧାରଣତଃ ଡାଲମା, ସନ୍ତୁଳାରେ କଞ୍ଚା ଭଣ୍ଡା ବ୍ୟବହାର ହୋଇଥାଏ । ଏହା କେବଳ ଖାଦ୍ୟର ସ୍ବାଦ ବଢାଏନି, ସ୍ବାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଉପଯୋଗୀ । କୌଣସି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଲେ ରୋଗୀଙ୍କୁ ଭଣ୍ଡା ସନ୍ତୁଳା ଖାଇବାକୁ ପରାମର୍ଶ ଦିଆଯାଏ । ଓଜନ କମାଇବାକୁ ଚାହୁଁଥିବା ଲୋକଙ୍କର ମଧ୍ୟ ପ୍ରଥମ ପସନ୍ଦ ଏହି ସନ୍ତୁଳା । କଞ୍ଚା ଅମୃତଭଣ୍ଡାରେ ବିଭିନ୍ନ ଭିଟାମିନ ଓ ମିନେଲାର ସହ ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ରହିଥାଏ । ଏଥିରୁ ହାଇଫାଇବର ମିଳେ ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ଏଥିରେ ବାୟୋଆକ୍ଟିଭ କମ୍ପାଉଣ୍ଡ ରହିଥିବା ଯୋଗୁଁ ବିଭିନ୍ନ ପାରମ୍ପରିକ ଔଷଧରେ ଏହାର ଉପଯୋଗ କରାଯାଇଥାଏ ।

କିଛି ଏମିତି ଲୋକ ମଧ୍ୟ ଅଛନ୍ତି ଯାହାଙ୍କୁ କଞ୍ଚା ଅମୃତଭଣ୍ଡା ଖାଇବା ଆଦୌ ପସନ୍ଦ ନୁହେଁ । ଖାସ୍ କରି ଛୋଟ ପିଲାମାନେ ଭଣ୍ଡାରୁ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ନାକ ଟେକନ୍ତି । ତେବେ ଭଣ୍ଡା ଖାଇଲେ ସ୍ବାସ୍ଥ୍ୟକୁ କ'ଣ ସବୁ ଫାଇଦା ହୁଏ ଜାଣିଲେ ଆପଣ ବି ଆଜିଠୁ ଏହାକୁ ଖାଇବା ଆରମ୍ଭ କରିବେ ଏବଂ ନିଜ ପିଲାଙ୍କୁ ଦେବେ ।

କଞ୍ଚା ଅମୃତଭଣ୍ଡା ଖାଇବାର ଫାଇଦା

ପାଚନ କ୍ରିୟା: କଞ୍ଚା ଅମୃତଭଣ୍ଡା ଭିଟାମିନ ଓ ମିନେରାଲର ପାୱାରହାଉସ୍ । ବିଶେଷଜ୍ଞଙ୍କ କହିବା କଥା, ଭଣ୍ଡାରେ ଥିବା ପପେନ ଏନଜାଇମ ଗ୍ୟାଷ୍ଟ୍ରିକ ଏସିଡ ରିଲିଜ ବଢାଇଥାଏ ଯାହା ଖାଦ୍ୟ ହଜମରେ ସହାୟତା କରେ । ଏହି ଏନଜାଇମ ପେଟରୁ ବର୍ଜ୍ୟ ପଦାର୍ଥକୁ ବାହାର କରିଥାଏ । ଏହାଯୋଗୁଁ ପାଚନ କ୍ରିୟା ଉନ୍ନତ ହୁଏ । ବଦହଜମୀ, ଗ୍ୟାସ, କୋଷ୍ଠକାଠିନ୍ୟ ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ ।

କ୍ୟାନ୍ସରରୁ ରକ୍ଷା କରେ: ବିଶେଷଜ୍ଞଙ୍କ କହିବା କଥା, କଞ୍ଚା ଅମୃତଭଣ୍ଡା କ୍ୟାନ୍ସର ଆଶଙ୍କା କମାଇଥାଏ । ଏହା ମଧ୍ୟ କୁହାଯାଏ ଯେ, ଏହାର ଲାଇକୋପିନ ଓ ବିଟା କେରୋଟିନ ଭଳି ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଶରୀରରୁ ହାନିକାରକ ତତ୍ତ୍ବ ବାହାର କରିଥାଏ ଓ କୋଷିକା କ୍ଷତି (ସେଲ୍ ଡ୍ୟାମେଜ) ରୋକିଥାଏ । ଏହା ବିଶେଷ ଭାବେ ପୁରୁଷଙ୍କ ମଧ୍ୟରେ ପ୍ରୋଷ୍ଟେଟ ଓ କୋଲନ କ୍ୟାନ୍ସର ଭଳି କେତେକ ମାରାତ୍ମକ କ୍ୟାନ୍ସର ବିପଦ କମ୍ କରିବାରେ ସାହାଯ୍ୟ କରେ । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲ୍‌ଥର ସଦସ୍ୟଙ୍କ ଏକ ଗ୍ରୁପ ଏକ ଅଧ୍ୟୟନରେ ଏହି କଥା ସ୍ପଷ୍ଟ କରିଛନ୍ତି । (ରିପୋର୍ଟ ପାଇଁ ଏଠାରେ କ୍ଲିକ୍ କରନ୍ତୁ )

ହୃଦୟ ସ୍ବାସ୍ଥ୍ୟ:ସବୁଜ ଅମୃତଭଣ୍ଡାରେ ମିଳୁଥିବା ପୋଟାସିୟମ ଓ ଆଣ୍ଟିଅକ୍ସିଡାଣ୍ଟ ରକ୍ତଚାପ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ । ଏହାଦ୍ବାରା ହୃଦ ଜନିତ ରୋଗ ବିପଦ କମ୍ ହୋଇଥାଏ ।

ଓଜନ ନିୟନ୍ତ୍ରଣ: କଞ୍ଚା ଅମୃତଭଣ୍ଡାରେ କମ୍ କ୍ୟାଲୋରୀ ଥାଏ । କୁହାଯାଏ, ଏହାକୁ ଖାଇଲେ ଅଧିକ ସମୟ ପର୍ଯ୍ୟନ୍ତ ପେଟ ଭର୍ତ୍ତି ହେବା ଭଳି ରହେ । ଭୋକ ଲାଗେନି । ଯାହାଫଳରେ ଅନାବଶ୍ୟକ ଖାଦ୍ୟ ଖାଇବା କମିଯାଏ । ଏହା ଓଜନ ନିୟନ୍ତ୍ରଣରେ ସହାୟକ ହୋଇଥାଏ ।

ସୁସ୍ଥ ତ୍ବଚା ପାଇଁ: କୁହାଯାଏ କଞ୍ଚା ଅମୃତଭଣ୍ଡା କେବଳ ସ୍ବାସ୍ଥ୍ୟ ନୁହେଁ ସୁନ୍ଦରତା ବୃଦ୍ଧିରେ ମଧ୍ୟ ସାହାଯ୍ୟ କରେ । ଏଥିରେ ଥିବା ଭିଟାମିନ ସି ଓ ଇ ତ୍ବଚାକୁ ମୁଲାୟମ ଓ ଚମକଦାର ବଜାୟ ରଖିବାରେ ସାହାଯ୍ୟ କରେ । ଚର୍ମକୁଞ୍ଚନ ସମସ୍ୟା ମଧ୍ୟ ରୋକିଥାଏ ।

ରୋଗ ପ୍ରତିରୋଧକ ଶକ୍ତି: କଞ୍ଚା ଅମୃତଭଣ୍ଡାରେ ଥିବା ଭିଟାମିନ ଏ ଓ ସି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ । ବିଶେଷଜ୍ଞ ଏହା ମଧ୍ୟ ପରାମର୍ଶ ଦିଅନ୍ତି ଯେ, ଅମୃତଭଣ୍ଡା ପତ୍ରର ରସ ସେବନ କଲେ ମ୍ୟାଲେରିଆ ଓ ଡେଙ୍ଗୁ ରୋଗୀଙ୍କ ଶରୀରରେ ପ୍ଲେଟଲେଟ କାଉଣ୍ଟ ବୃଦ୍ଧି ପାଇଥାଏ ।

ଜଣ୍ଡିସ:ବିଶେଷଜ୍ଞଙ୍କ ଅନୁସାରେ, ଜଣ୍ଡିସ ରୋଗୀ କଞ୍ଚା ଭଣ୍ଡା ଖାଇବା ଖୁବ୍ ଲାଭଦାୟକ ହୋଇଥାଏ । କୁହାଯାଏ ଦିନକୁ 3-4 ଘଣ୍ଟା ବ୍ୟବଧାନରେ ଅଧା ଗ୍ଲାସ ଭଣ୍ଡା ଜୁସ୍ ପିଇଲେ ଜଣ୍ଡିସରୁ ଆରାମ ମିଳିଥାଏ ।

ଏହା ମଧ୍ୟ ପଢନ୍ତୁ: ଆତଙ୍କ ଖେଳାଉଛି ଡିଙ୍ଗା ଡିଙ୍ଗା ଭାଇରସ୍: ହଲି ହଲି ନାଚୁଛନ୍ତି ରୋଗୀ - DINGA DINGA VIRUS

ଏହା ମଧ୍ୟ ପଢନ୍ତୁ: ପ୍ରସବ ପରର ଅବସାଦ କ'ଣ ? କିପରି ମୁକୁଳିବେ ମହିଳା, ପରାମର୍ଶ ଦେଲେ ଡାକ୍ତର - POSTPARTUM DEPRESSION

(Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)

ABOUT THE AUTHOR

...view details