Oily food side effects: କ୍ୟାନ୍ସର, ହୃଦରୋଗ, ଷ୍ଟ୍ରୋକ ଆଦି ଏଭଳି ମାରାତ୍ମକ ସ୍ବାସ୍ଥ୍ୟ ସମସ୍ୟା, ଯେଉଁଥିରେ ମଣିଷର ବଞ୍ଚିବା ଆଶା ଅତି କ୍ଷୀଣ । କେବେ ବିରଳ ଲାଗୁଥିବା ଏସବୁ ରୋଗ ଆଜିକାଲି ଯେମିତି ସାଧାରଣ ହୋଇଗଲାଣି । ଯାହାର ପ୍ରମୁଖ କାରଣ ଖରାପ ଖାଦ୍ୟାଭ୍ୟାସ ଓ ଜୀବନଶୈଳୀ । ଆମ ମଧ୍ୟରୁ ଅନେକ ଲୋକ ସକାଳୁ ରାସ୍ତାକଡ ଷ୍ଟଲ, ରେସ୍ତୋରାଁରେ ଅତ୍ୟଧିକ ତୈଳଯୁକ୍ତ ଖାଦ୍ୟ ଯେମିତିକି, ପୁରୀ, ବରା, ସିଙ୍ଗଡା, କଚୋଡି, ପରଟା ଇତ୍ୟାଦି ଖାଇଥାନ୍ତି । ଆଉ କେତେକ ସନ୍ଧ୍ୟା ଜଳଖିଆରେ ତେଲ ଛଣା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ତା' ସ୍ବାଦ ପାଇଁ ହେଉ କିମ୍ବା କର୍ମବ୍ୟସ୍ତତା ମଧ୍ୟରେ ଘରେ ରାନ୍ଧି ଖାଇବାର ଅକ୍ଷମତା ହେଉ । ଏହିସବୁ ତୈଳଯୁକ୍ତ ଖାଦ୍ୟ ପ୍ରାଣଘାତି କ୍ୟାନ୍ସର ଓ ହୃଦରୋଗର କାରଣ ହୋଇପାରେ ।
ରେସ୍ତୋରାଁ ହେଉ କି ରାସ୍ତାକଡ ଫୁଡଷ୍ଟଲ, ଛଣାଛଣି ବେଳେ କଡେଇରେ ସବୁତକ ତେଲ ସରିନଥାଏ । ଏହି ବଳକା ତେଲକୁ ସେମାନ୍ୟ ଅନ୍ୟ ଖାଦ୍ୟ ପ୍ରସ୍ତୁତିରେ ବାରମ୍ବାର ବ୍ୟବହାର କରିଥାନ୍ତି । ହେଲେ ଜାଣନ୍ତି, ବଳକା ତେଲକୁ ବାରମ୍ବାର ଗରମ କରିବା ଦ୍ବାରା ଏହା ବିଷ ପାଲଟିଯାଏ । ଏଥିରୁ କ୍ୟାନ୍ସର ହେବାର ଆଶଙ୍କା ରହିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି । ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (FSSAI) ବି ଏହା ସ୍ପଷ୍ଟ କରିଛି ।
ଆଜିର ଧାଁ ଦୌଡ ଜୀବନରେ ସମୟ ଅଭାବରୁ ଅଧିକାଂଶ ଲୋକେ ଅଧିକ ବାହାର ଖାଦ୍ୟ ଖାଇଥାନ୍ତି । ସେସବୁ ଖାଦ୍ୟ ସାଧାରଣତଃ ଅତ୍ୟଧିକ ତୈଳଯୁକ୍ତ ହୋଇଥାଏ । ଏହି ପ୍ରକାର ଖାଦ୍ୟ ସେବନରୁ ସାବଧାନ ରହିବାକୁ ଚେତାଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । କାରଣ ଆଜିକାଲି ଖାଦ୍ୟରେ ଅପମିଶ୍ରଣ ସହ ଏଥିରେ ବ୍ୟବହାର ହେଉଥିବା ତେଲର ଏକାଧିକ ଥର ବ୍ୟବହାର, ପରିଚ୍ଛନ୍ନତା ଅଭାବ ଓ ଶସ୍ତା ସାମଗ୍ରୀର ଉପଯୋଗ ଯୋଗୁଁ ସ୍ବାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପଡେ । ଖାସ୍ କରି ହୃଦରୋଗ ଓ କ୍ୟାନ୍ସର ଭଳି ରୋଗର ବିପଦ ବୃଦ୍ଧି ପାଇଥାଏ ।
କ'ଣ କୁହେ FSSAI ନିୟମ ?
ବଳକା ତେଲକୁ ବାରମ୍ବାର ଗରମ କରିବା ଦ୍ବାରା ଏହାର ମୋଟ ପୋଲାର ଯୌଗିକ(Total polar compounds) ଫ୍ରି ରାଡିକଲ୍ସରେ ବଦଳିଯାଏ । ଯାହାକି ଶରୀରରେ ବିଭିନ୍ନ ରୋଗର କାରଣ ହୁଏ । FSSAI ନିୟମ ଅନୁଯାୟୀ, ଏହି ପୋଲାର ଯୌଗିକ ରନ୍ଧା ତେଲରେ 25%ରୁ ଅଧିକ ହେଲେ ଏହା ବ୍ୟବହାର ଅନୁପଯୁକ୍ତ । ବ୍ୟବହୃତ ତେଲକୁ ବାରମ୍ବାର ବ୍ୟବହାର ଦ୍ବାରା ଏହି ବିଷାକ୍ତ ଯୌଗିକ ସୃଷ୍ଟି ହୋଇଥାଏ । କିନ୍ତୁ ପ୍ରାୟତଃ ସବୁ ହୋଟେଲ, ରେସ୍ତୋରାଁରେ ବଳକା ତେଲକୁ ଏକାଧିକ ଥର ବ୍ୟବହାର ସହ ଖାଦ୍ୟ ରଙ୍ଗ, ସ୍ବାଦ ବଢାଉଥିବା ଲୁଣ ଓ ସୋୟା ସସ୍ ଅଧିକ ମାତ୍ରାରେ ବ୍ୟବହାର କରାଯାଏ । ତେଣୁ ରାସ୍ତାକଡରେ ବିଭିନ୍ନ ଫୁଡଷ୍ଟଲରୁ ଖାଦ୍ୟ ଖାଇବା ଦ୍ବାରା ମାରାତ୍ମକ ସ୍ବାସ୍ଥ୍ୟ ଜନିତ ସମସ୍ୟା ହୋଇପାରେ ବୋଲି ଚେତାବନୀ ଦିଅନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।