ଓଡିଶା

odisha

By ETV Bharat Odisha Team

Published : Feb 8, 2024, 4:20 PM IST

ETV Bharat / health

କର୍ଣ୍ଣାଟକରେ ମାଡୁଛି ମଙ୍କି ଫିଭର୍, ଲକ୍ଷଣ ଦେଖି ଚିହ୍ନନ୍ତୁ ରୋଗ

Monkey Fever: କର୍ଣ୍ଣାଟକରେ ମଙ୍କି ଫିଭର । 50ରୁ ଅଧିକ ଅସୁସ୍ଥ, ୨ ଜଣଙ୍କର ମୃତ୍ୟୁ ଘଟିଛି । ଆସନ୍ତୁ ଜାଣିବା କଣ ଏହି ରୋଗ ?

Monkey Fever
Monkey Fever

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବର୍ତ୍ତମାନ ଚିନ୍ତାର କାରଣ ସାଜିଛି ମଙ୍କି ଫିଭର । ଦିନକୁ ଦିନ ବୃଦ୍ଧି ପାଇଛି ମଙ୍କି ଫିଭର ରୋଗୀଙ୍କ ସଂଖ୍ୟା । ଗତ ମାସରୁ ଆଜି ଯାଏଁ କର୍ଣ୍ଣାଟକରେ 50ରୁ ଅଧିକ ମାମଲା ସାମ୍ନାକୁ ଆସିଥିବା ବେଳେ 2ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେବେ ରାଜ୍ୟରେ ମଙ୍କି ଫିଭର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସତର୍କ ରହିବା ପାଇଁ ସୂଚନା ଦିଆଯାଇଛି । ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏହାକୁ ବିପଜ୍ଜନକ ବୋଲି କହିଛନ୍ତି ।

ମଙ୍କି ଫିଭର କଣ ?: ମଙ୍କି ଫିଭର କ୍ୟାସାନୁର ଫରେଷ୍ଟ ଡିଜିଜ (KFD) ଭାବରେ ମଧ୍ୟ ଜଣାଶୁଣା । ଏହା ଏକ ଭାଇରାଲ୍ ହେମୋରେଜିକ୍ ଜ୍ୱର । କ୍ୟାସାନୁର ଫରେଷ୍ଟ ଡିଜିଜ ଭାଇରସ କାଣରୁ ଏହି ରୋଗ ହୋଇଥାଏ । ଏହି ଭାଇରସ ଫ୍ଲାଭିଭାଇରସର ଏକ ଅଂଶ ଅଟେ । ଏହି ରୋଗ ମୁଖ୍ୟତଃ ଜଙ୍ଗଲରେ ରହୁଥିବା ମାଙ୍କଡ, ହନୁ କାମୁଡିବା ଦ୍ବାରା ହୋଇଥାଏ । ଜଙ୍ଗଲୀ ପଶୁମାନଙ୍କ ଠାରୁ ମନୁଷ୍ୟକୁ ବ୍ୟାପିଥାଏ ଏହି ରୋଗ ।

କିଭଳି ବ୍ୟାପେ ଏହି ରୋଗ ?: ମଙ୍କି ଫିଭର ବା କ୍ୟାସାନୁର ଫରେଷ୍ଟ ଡିଜିଜ କୀଟ ଦ୍ବାରା ବ୍ୟାପିଥାଏ । ଏହା ସାଧାରଣତଃ ମାଙ୍କଡ଼ ନିକଟରେ ଦେଖାଯାଏ । ଅନ୍ୟପଟେ ଜଙ୍ଗଲକୁ ଯାଉଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଏହି ଜ୍ବର ହେବାର ସମ୍ଭାବନା ଅଧିକ ରହିଥାଏ । ମଣିଷକୁ କାମୁଡିବା ଦ୍ବାରା ରକ୍ତର ସଂର୍ଶରେ ଆସି ଜଣେ ସଂକ୍ରମିତ ହୋଇଥାଏ । ଅନ୍ୟପଟେ ସଂକ୍ରମିତ ପଶୁମାନଙ୍କର କ୍ଷୀର ପିଇବା ଦ୍ବାରା ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ରହିଥାଏ । କିନ୍ତୁ ଜଣେ ମନୁଷ୍ୟ ଠାରୁ ଅନ୍ୟଜଣଙ୍କୁ ବ୍ୟାପିବା ବିରଳ ଅଟେ ।

ଏହା ମଧ୍ୟ ପଢନ୍ତୁ: କେରଳକୁ ଶନିଦଶା, କୋରୋନା ପରେ ବ୍ୟାପୁଛି ‘ମଙ୍କି ଫିଭର’

ମଙ୍କି ଫିଭରର ଲକ୍ଷଣ: ମଙ୍କି ଫିଭରର ଲକ୍ଷଣ ମଧ୍ୟରେ ଜ୍ବର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ବାନ୍ତି ଏବଂ ରକ୍ତସ୍ରାବ ହେବାର ସମ୍ଭାବନା ରହିଥାଏ । କିନ୍ତୁ କେତେକ କ୍ଷେତ୍ରରେ ସ୍ନାୟୁଗତ ବ୍ୟାଧି ମଧ୍ୟ ଦେଖାଯାଇଥାଏ ।

ମଙ୍କି ଫିଭରରୁ ବର୍ତ୍ତିବାର ଉପାୟ: ଏହି ରୋଗରୁ ବର୍ତ୍ତିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତି ନାହିଁ । କିନ୍ତୁ ସତର୍କ ରହିବା ଦ୍ବାରା ସଂକ୍ରମଣ ହେବାର ଆଶଙ୍କା କମ୍ ରହିଥାଏ ।

  • ମଙ୍କି ଫିଭରରୁ ବର୍ତ୍ତିବାକୁ ହେଲେ ଜଙ୍ଗଲ ପ୍ରତି ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ।
  • କୀଟଠାରୁ ବର୍ତ୍ତିବାକୁ ହେଲେ ଅଙ୍ଗ ଘୋଡାଇ ହେଲା ଭଳି ପୋଷାକ ପରିଧାନ କରନ୍ତୁ ।
  • ମାଙ୍କଡ ଏବଂ ସେମାନଙ୍କ ବାସସ୍ଥାନଠାରୁ ଦୂରେଇ ରୁହନ୍ତୁ ।
  • ଯଦି ବନାଞ୍ଚଳ ପରିଦର୍ଶନ ପରେ ଜ୍ବର, ଥଣ୍ଡା, ମୁଣ୍ଡବିନ୍ଧା କିମ୍ବା ମାଂସପେଶୀରେ ଯନ୍ତ୍ରଣା ହୁଏ, ତାହେଲେ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ ବୋଲି କୁହାଯାଇଛି ।

ABOUT THE AUTHOR

...view details